ଜୀବନ ନେଲା ଜୀବନ ସାଥୀ: ଗୁପ୍ତ ପ୍ରେମ ପାଇଁ ବିବାହର ୪ ଦିନ ପରେ ସ୍ୱାମୀକୁ ମାରିଦେଲା ସ୍ତ୍ରୀ

Published By : Prameya-News7 Bureau | December 15, 2024 IST

indiatoday

ଗାନ୍ଧୀନଗର: ଜୀବନ ନେଇଗଲା ବୈବାହିକ ଶୁଖ। ବିବାହର ମାତ୍ର ୪ ଦିନ ପରେ ସ୍ୱାମୀକୁ ଷଡ଼ଯନ୍ତ୍ର କରି ମାରିଦେଲା ସ୍ତ୍ରୀ। ହେଲେ ଯେଉଁ କାରଣରୁ ମାରିଲା, ସେଥିରେ ସ୍ୱାମୀର କାଣିଚାଏ ବି ଭୁଲ ନଥିଲା। ଭୁଲ ତ ଦୂରର କଥା ବିଚରା ସ୍ୱାମୀ ସେ ବିଷୟରେ କିଛି ଜାଣି ବି ନଥିଲା। ହେଲେ ନିଷ୍ଠୁର ପତ୍ନୀର ଗୁପ୍ତପ୍ରେମ ପାଇଁ ବଳି ପଡ଼ିଲା ତା' ନିରୀହ ଜୀବନ।

ଘଟଣା ଘଟିଛି ଗୁଜରାଟର ଗାନ୍ଧୀନଗରରେ। ଅହମଦାବାଦର ଭାବିକ, ଗାନ୍ଧୀ ନଗରର ପାୟଲଙ୍କୁ ବିବାହ କରିଥିଲେ। ବିବାହର ୪ ଦିନ ପରେ ପତ୍ନୀକୁ ଆଣିବାକୁ ଶ୍ୱଶୁର ଘରକୁ ଯାଇଥିଲେ ଭାବିକ୍। ହେଲେ ଆଉ ଫେରି ନଥିଲେ। ପ୍ରେମିକ ସହ ଷଡ଼ଯନ୍ତ୍ର କରି ସ୍ୱାମୀକୁ ଜୀବନରୁ ଶେଷ କରିଦେଲା ପତ୍ନୀ ପାୟଲ।

ଗାନ୍ଧୀନଗର ପୁଲିସର ସୂଚନା ଅନୁସାରେ, ପାୟଲ ତା’ର ଜଣେ ସମ୍ପର୍କୀୟ ଭାଇଙ୍କୁ ଲୁଚି ଲୁଚି ପ୍ରେମ କରୁଥିଲେ। ତାଙ୍କୁ ବିବାହ କରିବାକୁ ଚାହିଁଥିଲେ। ହେଲେ ପରିବାର ଲୋକେ ତାଙ୍କ ଇଚ୍ଛା ବିରୋଧରେ ପାୟଲଙ୍କ ବିବାହ ଭାବିକଙ୍କ ସହ କରାଇ ଦେଇଥିଲେ। ବିଚରା ଭାବିକ୍ ଏ ବିଷୟରେ କିନ୍ତୁ ବିନ୍ଦୁ ବିଶର୍ଗ ବି ଜାଣି ନଥିଲେ। ପ୍ରେମିକକୁ ପାଇବା ଚକ୍କରରେ ପତ୍ନୀ ପାୟଲ ଷଡ଼ଯନ୍ତ୍ର କରି ପ୍ରେମିକ ସହ ମିଶି ସ୍ୱାମୀକୁ ହତ୍ୟା କରିଥିବା ପୁଲିସ ଆଗରେ ସ୍ୱୀକାର କରିଛନ୍ତି।
କେମିତି ହୋଇଥିଲା ହତ୍ୟା ଷଡ଼ଯନ୍ତ୍ର? 

ପତ୍ନୀକୁ ଆଣିବାକୁ ଶ୍ୱଶୁର ଘର ଯାଇଥିଲେ ଭାବିକ। ହେଲେ କିଏ ଜାଣିଥିଲା ଜୀବନସାଥି ଏମିତି ଜୀବନ ନେଇଯିବ ବୋଲି। ପୁଲିସର ସୂଚନା ମୁତାବିକ ଶନିବାର ଭାବିକ ଯେତେବେଳେ ପତ୍ନୀଙ୍କୁ ଆଣିବାକୁ ଶ୍ୱଶୁର ଘର ଯାଇଥିଲେ ସେତେବେଳେ ପାୟଲ ତାଙ୍କୁ ଫୋନ୍ କରି ଲୋକେସନ ପଚାରିଥିଲେ। ଭାବିକ ଲୋକେସନ ଶେୟାର କରିବାରୁ ପାୟଲ ଏହି ଲୋକେସନକୁ ତାଙ୍କ ସମ୍ପର୍କୀୟ ପ୍ରେମିକ କଳ୍ପେଶ୍‌କୁ ଶେୟାର କରିଥିଲେ। 
ଲୋକେସନ ପାଇବା ପରେ କଳ୍ପେସ୍ ତୁରନ୍ତ ଦୁଇ ଜଣଙ୍କୁ ଧରି ଏକ ଏସୟୁଭିରେ ବସି ଭାବିକଙ୍କୁ ହତ୍ୟା କରିବାକୁ ବାହାରି ପଡ଼ିଥିଲା। ଭାବିକ ବାଇକ୍ ଚଲାଉଥିବା ବେଳେ କଳ୍ପେଶ୍‌ ଏସୟୁଭିରେ ପ୍ରଥମେ ଧକ୍କା ଦେଇ ତାଙ୍କୁ ତଳେ ପକାଇ ଦେଇଥିଲା। ଏହାପରେ ଗାଡ଼ି ଭିତରକୁ ଉଠାଇ ନେଇ ଅନ୍ୟ ହତ୍ୟାକାରୀଙ୍କ ସହ ମିଶି ତାଙ୍କ ତଣ୍ଟି ଚିପି ହତ୍ୟା କରିଥିଲା। ପରେ ତାଙ୍କ ମୃତ ଶରୀରକୁ ନର୍ମଦା କେନାଲ୍‌ରେ ଫିଙ୍ଗି ଦେଇଥିଲେ ୩ ଅପରାଧୀ।

ଏପଟେ ବେଳ ଉଛୁର ହେବାରୁ ପାୟଲଙ୍କ ବାପା ଭାବିକଙ୍କ ବାପାଙ୍କୁ ଫୋନ୍ କରିଥିଲେ। ଏତେ ବିଳମ୍ବ ହେଲାଣି ଜ୍ୱାଇଁ କାହିଁକି ଆସିଲେନି ବୋଲି ପଚାରିବାରୁ ଭାବିକ୍‌ଙ୍କ ବାପା କହିଥିଲେ ପୁଅ ଅନେକ ବେଳୁ ଘରୁ ଗଲାଣି। ଏହାପରେ ପାୟଲଙ୍କ ପରିବାର ପକ୍ଷରୁ ଭାବିକଙ୍କୁ ଖୋଜା ଖୋଜି ଆରମ୍ଭ ହୋଇଥିଲା। ରାସ୍ତାରେ ଏକ ବାଇକ୍ ପଡ଼ିଥିବା ଦେଖି ଏହା ଭାବିକଙ୍କ ବାଇକ୍ ବୋଲି ସନ୍ଦେହ କରି ଲୋକଙ୍କୁ ପଚରାଉଚରା କରିଥିଲେ ପାୟଲଙ୍କ ପରିବାର ଲୋକେ। ଏହାପରେ ହତ୍ୟାକାଣ୍ଡର ପର୍ଦ୍ଦାଫାସ ହୋଇଥିଲା।

ସ୍ଥାନୀୟ ଲୋକ ଦେଖିଥିବା ଉପରୋକ୍ତ ଦୃଶ୍ୟ ବଖାଣିଥିଲେ। ଭାବିକଙ୍କ ଅପହରଣ କରି ନିଆଯାଇଛି ବୋଲି ସେମାନେ କହିଥିଲେ। ଏହାପରେ ପାୟଲଙ୍କ ପରିବାର ଲୋକେ ତୁରନ୍ତ ପୁଲିସକୁ ଖବର ଦେଇଥିଲେ। ବିବାହର ୪ ଦିନ ପରେ ଏହି ହତ୍ୟା ହୋଇଛି ବୋଲି ପୁଲିସ ଜାଣିବା ପରେ ପତ୍ନୀ ପାୟଲଙ୍କ ଉପରେ ପୁଲିସର ସନ୍ଦେହ ବଢ଼ିଥିଲା। ପୁଲିସ ଅଧିକ ଖୋଳତାଡ଼ କରି ପଚାରିବାରୁ ପାୟଲ ପୁଲିସ ଚାପରେ ସବୁ ସତ ମାନିଯାଇଥିଲା। 

ପାୟଲ ଠାରୁ ସୂଚନା ପାଇବା ପରେ ପୁଲିସ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ କଳ୍ପେସ ସମେତ ଅନ୍ୟ ଦୁଇ ଜଣଙ୍କୁ ଗିରଫ କରିଥିଛି। କଳ୍ପେଶ ମଧ୍ୟ ପୁଲିସ ଆଗରେ ସତ ମାନି ଯାଇଛି। ମୃତଦେହକୁ ନର୍ମଦା କେନାଲ୍‌ରେ ଭସାଇ ଦେଇଛି ବୋଲି ସ୍ୱୀକାର କରିଛି ହତ୍ୟାକୀର କଳ୍ପେଶ୍। ପାୟଲକୁ ପୁଲିସ କଷ୍ଟୁଡିକୁ ନେଇଥିବା ବେଳେ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି।

ଘଟଣାରେ ପୁଲିସ ଭାରତୀୟ ନ୍ୟାୟ ସଂହିତାର ଧାରା ଅନୁସାରେ ହତ୍ୟା ଷଡ଼ଯନ୍ତ୍ର ଓ ଅପହରଣର ଆଧାରର ମାମଲା ରୁଜୁ କରି ତଦନ୍ତ କରୁଛି। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.