ନୂଆଦିଲ୍ଲୀ ୧୫।୧୨: ଭାରତର ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାନୀ ଏବେ ବି ହସ୍ପିଟାଲର ଆଇସିୟୁରେ ଅଛନ୍ତି। ଦିଲ୍ଲୀର ଅପୋଲୋ ହସ୍ପିଟାଲରେ ତାଙ୍କର ଚିକିତ୍ସା ହେଉଛି। ସେ ବାର୍ଦ୍ଧକ୍ୟଜନିତ ସ୍ୱାସ୍ଥ୍ୟଗତ ସମସ୍ୟାରେ ଗ୍ରସିତ ହୋଇଛନ୍ତି। ଶନିବାର ଆଡଭାନୀଙ୍କ ସ୍ୱାସ୍ଥ୍ୟ ଅଚାନକ ଖରାପ ହୋଇଯାଇଥିଲା। ଏଣୁ ତାଙ୍କୁ ହସ୍ପିଟାଲକୁ ନିଆଯାଇଥିଲା। ୟୁରିନରେ ମାଂସପେସି ବଢିବା ଯୋଗୁ ସେ ଗୁରୁତର ଅସୁସ୍ଥ ହୋଇପଡିଛନ୍ତି।
ଆଡଭାନୀ ଏବେ ଅପୋଲୋ ହସ୍ପିଟାଲ ଡାକ୍ତରଙ୍କ ଦେଖରେଖରେ ଅଛନ୍ତି। ବରିଷ୍ଠ ନ୍ୟୁରୋଲଜିଷ୍ଟ ଡା. ଭିନିତ ସୁରୀଙ୍କ ତତ୍ୱାବଧାନରେ ତାଙ୍କର ଚିକିତ୍ସା ଚାଲିଛି। ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ଜେ.ପି.ନଡ୍ଡା ଇନ୍ଦ୍ରପ୍ରସ୍ତ ଅପୋଲୋକୁ ଯାଇ ଆଡଭାନୀଙ୍କ ପରିବାର ଓ ଡାକ୍ତରଙ୍କ ସହ କଥାବାର୍ତ୍ତା ହୋଇଛନ୍ତି। ଆଡଭାନୀଙ୍କୁ ଏବେ ୯୭ ବର୍ଷ। ଗତ ୪-୫ ମାସରେ ସେ ପାଖାପାଖି ଚତୁର୍ଥ ଥର ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଏହା ପୂର୍ବରୁ ସେ ଅଗଷ୍ଟ ମାସରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ।
ଲାଲକୃଷ୍ଣ ଆଡଭାନୀ ଗତ କିଛି ସମୟ ହେଲା ସ୍ୱାସ୍ଥ୍ୟଗତ ସମସ୍ୟା ଭୋଗୁଛନ୍ତି। ସ୍ୱାସ୍ଥ୍ୟଗତ କାରଣରୁ ଦିଗ୍ଗଜ ବିଜେପି ନେତାଙ୍କ ସମୟ ଏବେ ଘରେ କଟୁଛି ଓ ସାର୍ବଜନିକ କାର୍ଯ୍ୟକ୍ରମମାନଙ୍କରେ ଯୋଗ ଦେଉ ନାହାନ୍ତି। ଚଳିତବର୍ଷ ଆଡଭାନୀଙ୍କୁ ଦେଶର ସର୍ବୋଚ୍ଚ ପୁରସ୍କାର ଭାରତ ରତ୍ନରେ ସମ୍ବର୍ଦ୍ଧିତ କରାଯାଇଛି।