ଭାରତ ହରାଇଲା ହୀରା: ସମସ୍ତଙ୍କୁ ଏକା କରି ଚାଲିଗଲେ ପ୍ରଖ୍ୟାତ ତବଲା ବାଦକ ପଦ୍ମଶୀ ଜାକିର ହୁସେନ୍

Published By : Prameya-News7 Bureau | December 15, 2024 IST

ନୂଆଦିଲ୍ଲୀ: ରବିବାର(୧୫ ଡିସେମ୍ବର) ଭାରତ ହରାଇଲା ହୀରା। ସମସ୍ତଙ୍କୁ ଏକା କରି ଚାଲିଗଲେ କିମ୍ବଦନ୍ତୀ ତବଲା ବାଦକ ପଦ୍ମଶ୍ରୀ ଉସ୍ତାଦ ଜାକିର ହୁସେନ। ୭୩ ବର୍ଷ ବୟସରେ ତାଙ୍କର ବିୟୋଗ ହୋଇଛି। ଏଇ କିଛି ସମୟ ପୂର୍ବରୁ ତାଙ୍କ ଅସୁସ୍ଥତାର ଖବର ଆସିଥିଲା। ସେ ହୃଦରୋଗ ଜନିତ ସମସ୍ୟା ନେଇ ଆମେରିକାର ସାନ୍‌ ଫ୍ରାନ୍ସସିସ୍‌କୋ ହସ୍‌ପିଟାଲ୍‌ରେ ଚିକିତ୍ସିତ ହେଉଥିଲେ। ଗତ ସପ୍ତାହେ ହେଲା ତାଙ୍କର ଚିକିତ୍ସା ଚାଲିଥିବା ବେଳେ ଆଜି ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।  

୯ ମାର୍ଚ୍ଚ ୧୯୫୧ ମସିହାରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ ଜାକିର ହୁସେନ। ସେ ତବଲା ବାଦନରେ ସାରା ବିଶ୍ୱରେ ବିଖ୍ୟାତ ଥିଲେ। ତାଙ୍କ ତବଲରା ତାଳରେ ଝୁମୁଥିଲା ଆମେରିକା ଠାରୁ ଆଫ୍ରିକା। ଭାରତୀୟ ଶାସ୍ତ୍ରୀୟ ସଂଗୀତ ଓ ତବଲା ବାଦନରେ ତାଙ୍କର ମହତ୍ୱପୂର୍ଣ୍ଣ ଯୋଗଦାନ ଯୋଗୁ ଜାକିର ହୁସେନ୍‌ଙ୍କୁ ଦେଶର ସର୍ବୋଚ୍ଚ ନାଗରିକ ପୁରସ୍କାର ପଦ୍ମ ବିଭୂଷଣ, ପଦ୍ମ ଭୂଷଣ ଓ ପଦ୍ମ ଶ୍ରୀ ପୁରସ୍କାରରେ ସାମ୍ମାନିତ କରାଯାଇଥିଲା।   

ନିକଟ ସମ୍ପର୍କୀୟଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ, ୭୩ ବର୍ଷୀୟ ଜାକିର ହୁସେନ୍‌ଙ୍କର ବ୍ଲଡ ପ୍ରେସର ସମସ୍ୟା ରହିଥିଲା। ଗତ ସପ୍ତାହ ଧରି ହୃଦରୋଗ ସମ୍ବନ୍ଧୀୟ ସମସ୍ୟା ପାଇଁ ତାଙ୍କୁ ସାନ ଫ୍ରାନ୍ସିସ୍କୋର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। 

ପ୍ରଖ୍ୟାତ ବଂଶୀବାଦକ ରାକେଶ ଚୌରାସିଆ ଘନିଷ୍ଠ ବନ୍ଧୁ ଜାକିର ହୁସେନଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ପିଟିଆଇକୁ ସୂଚନା ଦେଇଥିଲେ। ଜାକିର ହୁସେନ ବର୍ତ୍ତମାନ ଅସୁସ୍ଥ ଅଛନ୍ତି। ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି। ପରିସ୍ଥିତି ନେଇ ଆମେ ସମସ୍ତେ ଚିନ୍ତାରେ ଅଛୁ ବୋଲି ଶ୍ରୀ ଚୌରାସିଆ କହିଥିଲେ। ହେଲେ ଆମେରିକାର ଚିକିତ୍ସିତ ଅବସ୍ଥାରେ ରବିବାର ତାଙ୍କର ବିୟୋଗ ହୋଇଛି।

ଭାରତୀୟ ଶାସ୍ତ୍ରୀୟ ସଂଗୀତ କ୍ଷେତ୍ରରେ ଜାକିର ହୁସେନ୍‌ଙ୍କ ଅନେକ ଅବଦାନ ରହିଛି। ତାଙ୍କ ତବଲାର ତାଳ ସାରା ବିଶ୍ୱରେ ଗୁଞ୍ଜରିତ। କେବଳ ଭାରତ ନୁହେଁ ବିଦେଶରେ ବି ତାଙ୍କର ବହୁ ଅନୁଗାମୀ ରହିଛନ୍ତି। 

ଜାକିର ହୁସେନଙ୍କ ବାପା ଉସ୍ତାଦ ଅଲ୍ଲା ରଖା ଖାନ ମଧ୍ୟ ପ୍ରଖ୍ୟାତ ତବଲା ବାଦକ ଥିଲେ। ସାରା ବିଶ୍ୱରେ ତାଙ୍କର ଖ୍ୟାତି ଥିଲା। ତେବେ ଜାକିର ହୁସେନ୍‌ ବାପାଙ୍କ ପଦାଙ୍କ ଅନୁସରଣ କରି ମାତ୍ର ୭ ବର୍ଷ ବୟସରେ ତବଲା ବାଦକ ଯାତ୍ରା  ଆରମ୍ଭ କରିଥିଲେ। ୧୨ ବର୍ଷ ବୟସ ବେଳକୁ ସେ ସାରା ଭାରତରେ ତବଲା ବାଦନ ପ୍ରଦର୍ଶନ କରି ବହୁ ଲୋକପ୍ରିୟତା ଅର୍ଜନ କରିଥିଲେ। 

ପୂରା କ୍ୟାରିୟରରେ ସେ ଭାରତୀୟ ଶାସ୍ତ୍ରୀୟ ସଂଗୀତ ଓ ବିଶ୍ୱ ମ୍ୟୁଜିକ୍‌ ପ୍ରତି ତାଙ୍କର ଅତୁଳନୀୟ ଅବଦାନ ରହିଛି। ସେ ଏକାଧିକ ଲୋକପ୍ରିୟା ଭାରତୀୟ ସିନେମା ଓ ଅନ୍ତର୍ଜାତୀୟ ସିନେମାରେ ନିଜ କଳାର ପ୍ରଦର୍ଶନ କରିଛନ୍ତି। ଦୀର୍ଘ ୪୦ ବର୍ଷ ତଳେ ଜାକିର ହୁସେନ ତାଙ୍କର ପରିବାର ସହିତ ଭାରତରୁ ଆମେରିକାର ସାନ୍ ଫ୍ରାନସିସ୍‌କୋ ଚାଲି ଆସିଥିଲେ। ଆମେରିକାରେ ରହିବ ବିଶ୍ୱ ମ୍ୟୁଜିକ୍‌ରେ ତାଙ୍କ ଯୋଗଦାନ ଜାରି ରଖିଥିଲେ।  

ତବଲା କିମ୍ବଦନ୍ତୀ ଜାକିର ହୁସେନ୍‌ଙ୍କ ତାଙ୍କ ପ୍ରତିଭା ପାଇଁ ଭାରତ ସରକାରଙ୍କ ପକ୍ଷରୁ ଏକାଧିକ ପୁରସ୍କାର ମିଳିଛି। ୧୯୮୮ ମସିହାରେ ପଦ୍ମଶ୍ରୀ, ୨୦୦୨ ମସିହାରେ ପଦ୍ମଭୂଷଣ ଏବଂ ୨୦୨୩ ମସିହାରେ ପଦ୍ମ ବିଭୂଷଣ। ୧୯୯୦ ମସିହାରେ, ତାଙ୍କୁ ସଙ୍ଗୀତ କ୍ଷେତ୍ରରେ ଭାରତର ସର୍ବୋଚ୍ଚ ସ୍ୱୀକୃତି, ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାରରେ ମଧ୍ୟ ସମ୍ମାନିତ କରାଯାଇଥିଲା।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.