ମୁମ୍ବାଇ: ମହାରାଷ୍ଟ୍ରରେ ଆଜି ଦେବେନ୍ଦ୍ର ଫଡ଼ଣବିସ ସରକାରଙ୍କ କ୍ୟାବିନେଟ୍ ସଂପ୍ରସାରଣ ହୋଇଛି। ନାଗପୁରରେ ଆୟୋଜିତ ଶପଥ ସମାରୋହରେ ୩୯ ବିଧାୟକ ମନ୍ତ୍ରୀ ପଦରେ ଶପଥ ନେଇଛନ୍ତି। ଗୃହ ବିଭାଗ ଉପରେ ଶିବସେନାର ନଜର ଥିଲେ ହେଁ ଏହା ବିଜେପି ନିଜ ପାଖରେ ରଖିଛି। ଏହା ସହିତ ରାଜସ୍ଵ, ଜଳସେଚନ ଓ ଶିକ୍ଷା ବିଭାଗ ମଧ୍ୟ ବିଜେପି ଖାତାକୁ ଯାଇଛି। ମନ୍ତ୍ରୀଙ୍କ କାର୍ଯ୍ୟକାଳ କେବଳ ଅଢେଇ ବର୍ଷ ରହିବ ଏବଂ ପୁଣି ଅଦଳବଦଳ କରାଯିବ।
Also read: ନୂଆ କ୍ୟାବିନେଟରେ ସ୍ଥାନ ନମିଳିବାରୁ ଇସ୍ତଫା ଦେଲେ ସିନ୍ଦେଙ୍କ ବିଧାୟକ ନରେନ୍ଦ୍ର ଭୋଣ୍ଡେକର
ଆଜି ଶପଥ ସମାରୋହରେ ବିଜେପିର ୧୯ ବିଧାୟକ ମନ୍ତ୍ରୀ ପଦରେ ଶପଥ ନେଇଛନ୍ତି। ଶିବସେନା କୋଟାରୁ ୧୧ ଓ ଏନସିପିରୁ ୯ ଜଣ ବିଧାୟକ ମନ୍ତ୍ରୀ ହୋଇଛନ୍ତି। ଦଳୀୟ ସୂତ୍ର ଅନୁଯାୟୀ, ଦେବେନ୍ଦ୍ର ଫଡ଼ଣବିସ ସରକାରରେ ମନ୍ତ୍ରୀ ପଦରେ ଶପଥ ନେଇଥିବା ବିଧାୟକଙ୍କ କାର୍ଯ୍ୟକାଳ ଅଢେଇ ବର୍ଷ ରହିବ। ଏ ନେଇ ଅନେକ ମନ୍ତ୍ରୀଙ୍କଠୁ ସତ୍ୟପାଠ ଲେଖା ଯାଇଛି। ଏହାର ଉଦ୍ଦେଶ୍ୟ ଅନେକ ବିଧାୟକଙ୍କୁ ମନ୍ତ୍ରୀ ପଦ ମିଳିବ। ଏହି ଅଢେଇ ବର୍ଷରେ କାର୍ଯ୍ୟଶୈଳୀ ଓ ବିକାଶମୂଳକ ପ୍ରକଳ୍ପକୁ ମଧ୍ୟ ପରଖାଯିବ। କୁହାଯାଉଛି ଯେଉଁ ବିଧାୟକମାନେ ଦୁଇ ତିନି ଥର ନିର୍ବାଚନ ଜିତିଛନ୍ତି, ସେମାନଙ୍କ ଅସନ୍ତୋଷକୁ ଦୂର କରିବା ପାଇଁ ଅଢେଇ ବର୍ଷର ଫର୍ମୁଲା ରଖାଯାଇଛି।
ସୂଚନାଯୋଗ୍ୟ, ବହୁ କସରତ ପରେ ଡିସେମ୍ବର ୫ ତାରିଖରେ ମୁଖ୍ୟମନ୍ତ୍ରୀ ପଦରେ ଶପଥ ନେଇଥିଲେ ଦେବେନ୍ଦ୍ର ଫଡ଼ଣବିସ। ତାଙ୍କ ସହ ଉପମୁଖ୍ୟମନ୍ତ୍ରୀ ଭାବେ ଏକନାଥ ସିନ୍ଦେ ଓ ଅଜିତ ପାଓ୍ଵାର ଶପଥ ନେଇଥିଲେ। ମହାରାଷ୍ଟ୍ରରେ ଗୋଟିଏ ପର୍ଯ୍ୟାୟରେ ନଭେମ୍ବର ୨୦ ତାରିଖରେ ଭୋଟିଂ ହୋଇଥିବା ବେଳେ ନଭେମ୍ବର ୨୩ରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇଥିଲା। ୨୮୮ ବିଧାନସଭା ସିଟରୁ ମହାୟୁତି ୨୩୦ ସିଟ୍ ଜିତି ପ୍ରଚଣ୍ଡ ବହୁମତ ହାସଲ କରିଥିଲେ। ବିଜେପି ୧୩୨ ସିଟ୍ ଜିତିଥିବ ବେଳେ ମେଣ୍ଟ ସହଯୋଗୀ ସିନ୍ଦେ ଗୋଷ୍ଠୀକୁ ୫୭ ସିଟ୍ ମିଳିଥିବା ବେଳେ ଅଜିତ ପାଓ୍ଵାରଙ୍କ ଏନସିପିକୁ ୪୧ ସିଟ୍ ମିଳିଥିଲା। ଅନ୍ୟପଟେ ବିରୋଧୀ ମହାବିକାଶ ଅଘାଡ଼ି ୪୬ ସିଟରେ ସୀମିତ ରହିଥିଲା।