ନୂଆଦିଲ୍ଲୀ ୧୫।୧୨: ବରିଷ୍ଠ କଂଗ୍ରେସ ନେତା ମଣିଶଙ୍କର ଆୟର ତାଙ୍କ ସଦ୍ୟ ପ୍ରକାଶିତ ପୁସ୍ତକ ‘ଏ ମାଭେରିକ୍ ଇନ ପଲିଟିକ୍ସ’ ଏବେ ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ଆୟର ତାଙ୍କ ପୁସ୍ତକର ଏକ ବିଷୟରେ ଲେଖିଛନ୍ତି ଯେ ୨୦୧୨ରେ ଯେବେ ରାଷ୍ଟ୍ରପତି ନିର୍ବାଚନ ଥିଲା ସେତେବେଳେ ‘ୟୁପିଏ-୨’ର ଡୋରୀ ପ୍ରଣବ ମୁଖାର୍ଜୀଙ୍କ ହାତରେ ନ୍ୟସ୍ତ କରାଯିବାର ଥିଲା ଓ ମନମୋହନ ସିଂହଙ୍କୁ ରାଷ୍ଟ୍ରପତି। ଯଦି ସେତେବେଳେ ଏହି ପଦକ୍ଷେପ ନିଆଯାଇଥାନ୍ତା ତେବେ ୟୁପିଏ ସରକାରରେ ‘ପାରାଲିସିସ୍ ଇନ୍ ଗବର୍ଣ୍ଣାନ୍ସ’ ପରିସ୍ଥିତି ଉପୁଜି ନଥାନ୍ତା।
ପୁସ୍ତକରେ ତାଙ୍କ କହିବା କଥା ହେଲା ମନମୋହନ ସିଂହଙ୍କୁ ପ୍ରଧାନମନ୍ତ୍ରୀ ରୂପେ ଲଗାତାର ରଖାଯିବା ଓ ପ୍ରଣବ ମୁଖାର୍ଜୀଙ୍କୁ ରାଷ୍ଟ୍ରପତି ଭବନ ପଠାଯିବା ଯୋଗୁ କଂଗ୍ରେସ ଲାଗି ତୃତୀୟବାର ସରକାର କରିବାର ସମସ୍ତ ରାସ୍ତାକୁ ବନ୍ଦ କରିଦେଲା। ପୁସ୍ତକରେ ଆୟର ରାଜନୀତିରେ ତାଙ୍କ ପ୍ରାରମ୍ଭିକ ଦିନ, ନରସିଂହ ରାଓଙ୍କ ଶାସନ କାଳ, ୟୁପିଏ-୧ ସରକାରରେ ମନ୍ତ୍ରୀ ରୂପେ ତାଙ୍କ କାର୍ଯ୍ୟକାଳ, ତାଙ୍କର ରାଜ୍ୟସଭା କାର୍ଯ୍ୟକାଳ ଓ ତାଙ୍କ ରାଜନୈତିକ କ୍ୟାରିୟର ଅସ୍ତାଚଳକୁ ଯିବାର ଆଲୋଚନା କରିଛନ୍ତି।
ରାଜନୈତିକ ନେତା ଭାବେ ମଣିଶଙ୍କର ଆୟର ତାଙ୍କ ପୁସ୍ତକରେ ଲେଖିଛନ୍ତି ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କର ୨୦୧୨ରେ ହାର୍ଟ ସର୍ଜରୀ ହୋଇଥିଲା। ଏହା ପରେ ସେ ଆଉ ଥରେ ଶାରୀରିକ ଭାବେ ଫିଟ୍ ହୋଇପାରିନଥିଲେ, ଫଳରେ ତାଙ୍କ କାର୍ଯ୍ୟକ୍ଷମତା ଉପରେ ପ୍ରଭାବ ପଡିଥିଲା ଓ ଏହା ଶାସନରେ ଦେଖାଯାଇଥିଲା। ଯେଉଁ ପର୍ଯ୍ୟନ୍ତ ପାର୍ଟିର କଥା ଉଠୁଛି କଂଗ୍ରେସ ଅଧ୍ୟକ୍ଷ (ସୋନିଆ ଗାନ୍ଧି) ମଧ୍ୟ ଅସୁସ୍ଥ ହୋଇପଡିଥିଲେ। ହେଲେ କଂଗ୍ରେସ ପକ୍ଷରୁ ତାଙ୍କ ସ୍ୱାସ୍ଥ୍ୟକୁ ନେଇ କୌଣସି ଅଧିକାରୀକ ବୟାନ ଜାରି କରାଯାଇ ନଥିଲା। ଏହା ଖୁବ୍ ଶୀଘ୍ର ସ୍ପଷ୍ଟ ହୋଇଯାଇଥିଲା ଯେ କଂଗ୍ରେସ ଅଧ୍ୟକ୍ଷ ଓ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ମଧ୍ୟରେ ସମନ୍ୱୟ ନାହିଁ। ଏଣୁ ଆନ୍ନା ହଜାରେଙ୍କ ‘ଇଣ୍ଡିଆ ଏଗେନଷ୍ଟ କର୍ପସନ’ ଆନ୍ଦୋଳନକୁ ଠିକ୍ ଭାବେ ପରିଚାଳନା କରାଯାଇ ପାରିନଥିଲା।
ଆୟର ଲେଖିଛନ୍ତି ଯେଉଁ ପର୍ଯ୍ୟନ୍ତ ମନମୋହନ ସିଂହ ଓ ପ୍ରଣବ ମୁଖାର୍ଜୀଙ୍କ ମଧ୍ୟରୁ ରାଷ୍ଟ୍ରପତି ପଦ ନିମନ୍ତେ କିଏ ପସନ୍ଦ ଯୋଗ୍ୟ, ବ୍ୟକ୍ତିଗତ ରୂପେ ମୋର ବିଚାରଥିଲା ୨୦୧୨ରେ ପ୍ରଣବ ମୁଖାର୍ଜୀଙ୍କୁ ସରକାରଙ୍କ ଡୋରୀ ସମ୍ଭାଳିବାର ଥିଲା ଓ ଡକ୍ଟର ମନମୋହନ ସିଂହଙ୍କୁ ଭାରତର ରାଷ୍ଟ୍ରପତି ରୂପେ ପ୍ରମୋଟ କରାଯିବାର ଥିଲା। କାରଣ ସରକାରର ନେତୃତ୍ୱ ନେବା ପାଇଁ ଜଣେ ସୁସ୍ଥ ଓ ସାମର୍ଥ୍ୟ ରଖୁଥିବା ସକ୍ରିୟ ପ୍ରଧାନମନ୍ତ୍ରୀ (ପ୍ରଣବ ଦା) ଓ ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦ ନିମନ୍ତେ ଜଣେ ଉଚ୍ଚ ବିଶିଷ୍ଟତା ସମ୍ପନ୍ନ ବ୍ୟକ୍ତି (ମନମୋହନ ସିଂହ)ଙ୍କ ଆବଶ୍ୟକତା ଥିଲା। ପ୍ରଣବ ମୁଖାର୍ଜୀଙ୍କ ଡାୟେରୀରେ ଲିଖିତ ସଂସ୍ମରଣ କୁହେଯେ ବାସ୍ତବରେ ଏହା ଉପରେ ବିଚାର କରାଯାଇଥିଲା।
ଆୟର ତାଙ୍କ ପୁସ୍ତକରେ ପ୍ରଣବ ମୁଖାର୍ଜୀଙ୍କ ସଂସ୍ମରଣର ଏକ ଅଂଶକୁ କୋଟ୍ କରି ସେ ଲେଖିଛନ୍ତି ଯେ ‘ଯେବେ ସୋନିଆ ଗାନ୍ଧି କୌଶମ୍ବୀ ପର୍ବତମାଳାରେ ଛୁଟି କଟାଉଥିଲେ, ସେତେବେଳେ ସେ ସଂକେତ ଦେଇଥିଲେ ଯେ ସେ ମନମୋହନ ସିଂହଙ୍କୁ ରାଷ୍ଟ୍ରପତି କରିବାକୁ ବିଚାର କରୁଛନ୍ତି। ଏଣୁ ପ୍ରଣବ ମୁଖାର୍ଜୀ ଭାବିଥିଲେ ଯଦି ମନମୋହନ ସିଂହଙ୍କୁ ରାଷ୍ଟ୍ରପତି ଚୟନ କରୁଛନ୍ତି ତେବେ ତାଙ୍କୁ ପ୍ରଧାନମନ୍ତ୍ରୀ ରୂପେ ମନୋନୟନ କରାଯାଇ ପାରେ’। ଆୟର ଲେଖିଛନ୍ତି ଶେଷରେ ପ୍ରଣବ ମୁଖାର୍ଜୀଙ୍କୁ ରାଷ୍ଟ୍ରପତି ଭାବେ ଓ ମନମୋହନ ସିଂହଙ୍କୁ ପ୍ରଧାନମନ୍ତ୍ରୀ ରୂପେ ଜାରି ରଖିବା ପାଇଁ ନିଷ୍ପତ୍ତି ହୋଇଥିଲା। ମୋ ବିଚାରରେ ଏହା ଦ୍ୱାରା କଂଗ୍ରେସ ନେତୃତ୍ୱରେ ୟୁପିଏ-୩ ବନିବାର ସମସ୍ତ ସମ୍ଭାବନା ସମାପ୍ତ ହୋଇଯାଇଥିଲା।
ଆୟର ତାଙ୍କ ପୁସ୍ତକରେ ଲେଖିଛନ୍ତି ଯେ ‘ଯେତେବେଳେ ଭାରତୀୟ ମିଡିଆ ୟୁପିଏ ସରକାରର ସମାଲୋଚନା ଆରମ୍ଭ କଲା ଠିକ୍ ସେତିକି ବେଳେ ‘ଟାଇମ’ ମ୍ୟାଗଜିନ ଏକ ଅତ୍ୟନ୍ତ କ୍ଷତିକାରକ କଭର ଷ୍ଟୋରୀ ପ୍ରକାଶିତ କରିଥିଲା, ଯେଉଁଥିରେ ସିଂହଙ୍କୁ କିଛି କରୁନଥିବା ପ୍ରଧାନମନ୍ତ୍ରୀ ରୂପେ ବର୍ଣ୍ଣନା କରାଯାଇଥିଲା।’ ମଣିଶଙ୍କର ଆୟରଙ୍କ ତର୍କ ହେଉଛି ଯଦି ପ୍ରଣବଙ୍କୁ ପ୍ରଧାନମନ୍ତ୍ରୀ କରାଯାଇଥାନ୍ତା ତାଙ୍କ ବାମପନ୍ଥୀ ଛବି ଯୋଗୁ ବିଜନେସ୍ କମ୍ୟୁନିଟି ଓ ଆମେରିକୀୟଙ୍କୁ ସମସ୍ୟା ହୋଇଥାନ୍ତା। ତେବେ ଏହି ପଦବୀ ନିମନ୍ତେ ମନମୋହନ ସିଂହଙ୍କ ଠାରୁ ଅଧିକ ଅଭିଜ୍ଞ କେହି ନଥିଲେ।
ସେ ଲେଖିଛନ୍ତି ଯେ ୨୦୧୩ ମସିହାରେ କଂଗ୍ରେସର ଅନେକ ବଡ଼ ନେତା ଅସୁସ୍ଥ ହୋଇଯାଇଥିଲେ। ଆମ ସରକାରଙ୍କ ଉପରେ ଅନେକ ଅଭିଯୋଗ ଲାଗିସାରିଥିଲା, ଯେଉଁଗୁଡିକ କୌଣସି କୋର୍ଟରେ କେବେ ସାବ୍ୟସ୍ତ ହୋଇ ନାହିଁ। ମଣିଶଙ୍କର ଆୟର ତାଙ୍କ ପୁସ୍ତକରେ ଲେଖିଛନ୍ତି ଯେ ସରକାର ଓ ପାର୍ଟି ସ୍ପଷ୍ଟ ରୂପେ ଗଣମାଧ୍ୟମର ଜବାବ ଦେବାରେ ଓ ନିଜର ବିଶ୍ୱସନୀୟତା କାୟମ ରଖିବାରେ ଅସମର୍ଥ ହୋଇଥିଲା।
ପାର୍ଟି ଭାବିଥିଲା ସମ୍ପର୍କିତ ମନ୍ତ୍ରୀମାନଙ୍କ ଇସ୍ତଫାରେ ସମସ୍ୟାର ସମାଧାନ ହୋଇଯିବ। ହେଲେ ଏଥିରୁ କିଛି ଲାଭ ମିଳିନଥିଲା ବରଂ ଅପ୍ରମାଣିତ ଅଭିଯୋଗ ଯୋଗୁ ସରକାରଙ୍କ ପ୍ରତିଷ୍ଠା ଲାଗି କ୍ଷତିକୁ ବଢାଇ ଦେଇଥିଲା। କମନୱେଲଥ୍ ଗେମରେ ଅନିୟମିତତା ସାଧାରଣ ଜନତାଙ୍କ ନଜରରେ ୟୁପିଏ ସରକାରର ବିଶ୍ୱସନୀୟତାକୁ ବିପଦରେ ପକାଇଥିଲା। ତେବେ ୟୁପିଏ ସରକାରର ନିର୍ବାଚନୀ ସମ୍ଭାବନା ଆନ୍ନା ହଜାରେଙ୍କ ଆନ୍ଦୋଳନ ପାଣି କରିଦେଇଥିଲା।