ନୂଆଦିଲ୍ଲୀ: କିମ୍ବଦନ୍ତୀ ତବଲା ବାଦକ ଜାକିର ହୁସେନ୍ ଅସୁସ୍ଥ ହୋଇପଡ଼ିଛନ୍ତି। ତାଙ୍କୁ ଆମେରିକାର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପରିବାର ଲୋକଙ୍କ ସୂଚନା ଅନୁସାରେ, ହୃଦରୋଗ ଜନିତ ସମସ୍ୟା ଯୋଗୁ ତାଙ୍କୁ ସାନ୍ ଫ୍ରାନ୍ସିସ୍କୋ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କର ଚିକିତ୍ସା ଚାଲିଛି। ତାଙ୍କ ଆରୋଗ୍ଯ କାମନା କରିବା ପାଇଁ ଫ୍ୟାନ୍ ଓ ଶୁଭଚିନ୍ତକ ଅନୁରୋଧ କରିଛନ୍ତି ପରିବାର ଲୋକେ।
ପ୍ରଖ୍ଯାତ ବଂଶୀବାଦକ ରାକେଶ ଚୌରାସିଆ ଘନିଷ୍ଠ ବନ୍ଧୁ ଜାକିର ହୁସେନଙ୍କ ସ୍ୱାସ୍ଥ୍ଯାବସ୍ଥା ନେଇ ପିଟିଆଇକୁ ସୂଚନା ଦେଇଛନ୍ତି। ଜାକିର ହୁସେନ ବର୍ତ୍ତମାନ ଅସୁସ୍ଥ ଅଛନ୍ତି। ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି। ପରିସ୍ଥିତି ନେଇ ଆମେ ସମସ୍ତେ ଚିନ୍ତାରେ ଅଛୁ ବୋଲି ଶ୍ରୀ ଚୌରାସିଆ କହିଛନ୍ତି।
ନିକଟ ସମ୍ପର୍କୀୟଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ, ୭୩ ବର୍ଷୀୟ ଜାକିର ହୁସେନ୍ଙ୍କର ବ୍ଲଡ ପ୍ରେସର ସମସ୍ୟା ରହିଥିଲା। ଗତ ସପ୍ତାହ ଧରି ହୃଦରୋଗ ସମ୍ବନ୍ଧୀୟ ସମସ୍ୟା ପାଇଁ ତାଙ୍କୁ ସାନ ଫ୍ରାନ୍ସିସ୍କୋର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଭାରତୀୟ ଶାସ୍ତ୍ରୀୟ ସଂଗୀତ କ୍ଷେତ୍ରରେ ଜାକିର ହୁସେନ୍ଙ୍କ ଅନେକ ଅବଦାନ ରହିଛି। ତାଙ୍କ ତବଲାର ତାଳ ସାରା ବିଶ୍ୱରେ ଗୁଞ୍ଜରିତ। କେବଳ ଭାରତ ନୁହେଁ ବିଦେଶରେ ବି ତାଙ୍କର ବହୁ ଅନୁଗାମୀ ରହିଛନ୍ତି। ଯଦିଓ ପରିବାର ଲୋକେ ଜାକିର ହୁସେନଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ବିଶେଷ କିଛି ତଥ୍ୟ ଦେଉ ନାହାନ୍ତି ତେବେ ଫ୍ୟାନ୍ମାନେ ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।