ଶ୍ରୀନଗର: ଇଲେକ୍ଟ୍ରିକ ଭୋଟିଂ ମେସିନକୁ ନେଇ ଇଣ୍ଡି ମେଣ୍ଟ ଆଣୁଥିବା ଅଭିଯୋଗକୁ ମେଣ୍ଟର ସହଯୋଗୀ ସମାଲୋଚନା କରିଛନ୍ତି। ଜାମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଏନେଇ ଇଣ୍ଡିଆକୁ ସମାଲୋଚନା କରିଛନ୍ତି। ରାଜନୈତିକ ଦଳଗୁଡ଼ିକ ନିର୍ବାଚନ ଜିତିଲେ ଇଭିଏମ୍କୁ ପ୍ରଶଂସା କରିବା, କି ହାରିଲେ ଦୋଷ ଦେବା ଉଚିତ ନୁହେଁ ବୋଲି ଓମାର କହିଛନ୍ତି।
ପିଟିଆଇକୁ ପ୍ରତିକ୍ରିୟା ଦେଇ ଓମାର ଅବଦୁଲ୍ଲା କହିଛନ୍ତି “ଯେତେବେଳେ ଆପଣ ସମାନ ଇଭିଏମ ବ୍ୟବହାର କରି ଶହେରୁ ଅଧିକ ସାଂସଦ ପାଉଛନ୍ତି, ସେତେବେଳେ ଆପଣ ବିଜୟ ପାଳନ କରୁଛନ୍ତି, କିଛି ମାସ ପରେ ବୁଲିପଡ଼ି ଆପଣ ଏହା କେମିତି କହୁଛନ୍ତି ଯେ ଆମେ ଇଭିଏମକୁ ପସନ୍ଦ କରୁ ନାହୁଁ। କଣ ଆପଣଙ୍କ ଇଚ୍ଛା ମୁତାବକ ଫଳ ହେଲା ନାହିଁ ବୋଲି? ”
ତେବେ ବିଜେପି ପ୍ରବକ୍ତାଙ୍କ ପରି ଆପଣଙ୍କ କଥା ଲାଗୁଛି ବୋଲି କହିବାରୁ ଓମାର ଅବଦୁଲ୍ଲା କହିଥିଲେ ଭଗବାନ ନ କରନ୍ତୁ। ତେବେ ଯାହା ସତ ତାହା ସତ। ତେବେ ନ୍ୟାସନାଲ କନଫରେନ୍ସର ଚିନ୍ତାଧାର ସ୍ୱାଧୀନ ଚିନ୍ତାଧାରା। କୌଣସି ଦଳଗତ ନୁହେଁ। ଏହା ପୂର୍ବରୁ ସେ କେନ୍ଦ୍ର ସରକାରଙ୍କ ସେଣ୍ଟ୍ରାଲ ଭିଷ୍ଟା ପ୍ରୋଜେକ୍ଟକୁ ସମର୍ଥନ କରିଥିଲେ ବୋଲି ଅବଦୁଲ୍ଲା ଉଦାହରଣ ଦେଇଥିଲେ। ସଂସଦର ନିର୍ମାଣକୁ ସେ ତାରିଫ କରିଥିଲେ।
ଇଭିଏମ୍ ଉପରେ କଂଗ୍ରେସ ଉଠାଉଥିବା ପ୍ରଶ୍ନକୁ ନେଇ ଓମାର କହିଥିଲେ ଯେ ଯଦି ଆପଣ ଇଭିଏମ୍ ଉପରେ ବିଶ୍ୱାସ କରୁ ନାହାନ୍ତି, ତେବେ ନିର୍ବାଚନ ଲଢ଼ନ୍ତୁ ନାହିଁ। କାରଣ ସିଷ୍ଟମ ଉପରେ କେବେ ଭରସା କରାଯିବ କେବେ କରାଯିବ ନାହିଁ ଆପଣ ଏହା ବାଛିପାରିବେ ନାହିଁ। କେବେ ଲୋକେ ଆପଣଙ୍କୁ ପସନ୍ଦ କରିବେ କେବେ ନାଁ। ନିଜର ଉଦାହରଣ ଦେଇ ସେ କହିଥିଲେ ଯେ ମୁଁ ଗତ ଲୋକସଭା ନିର୍ବାଚନରେ ହାରିଥିଲି ହେଲେ ବିଧାନସଭାରେ ମୋତେ ବହୁମତ ମିଳିଲା। ମୁଁ କେବେ ଇଭିଏମ୍ର ଦୋଷ ଦେଇ ନାହିଁ ବୋଲି ଉମାର କହିଛନ୍ତି।
ହରିଆଣା ଏବଂ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ପରାଜୟ ପରେ କଂଗ୍ରେସ ଇଭିଏମ 'ଅବିଶ୍ୱସନୀୟ' ବୋଲି ଦାବି କରି ବାଲଟକୁ ପେପର ବ୍ୟବସ୍ଥା ଫେରାଇ ଆଣିବାକୁ ଆହ୍ୱାନ ଦେଇଥିଲା। ହେଲେ ଅବଦୁଲ୍ଲା ଏହି ଦାବିଗୁଡ଼ିକୁ ଖାରଜ କରିଛନ୍ତି। ସେ କହିଛନ୍ତି ଯେ ଫଳାଫଳ ଯାହା ହେଉନା କାହିଁକି ଭୋଟିଂ ମେସିନ ସମାନ ରହିବ ଏବଂ ପରାଜୟ ପାଇଁ ଏହାକୁ ବଳିର ଛେଳି ଭାବରେ ବ୍ୟବହାର କରାଯିବା ଉଚିତ୍ ନୁହେଁ।
ସୂଚନା ଥାଉକି ସେପ୍ଟେମ୍ବର ମାସରେ ହୋଇଥିବା ଜାମ୍ମୁ-କାଶ୍ମୀର ବିଧାନସଭା ନିର୍ବାଚନରେ ଉମାର ଅବଦୁଲ୍ଲାଙ୍କ ଦଳ ନ୍ୟାସନାଲ କନଫରେନ୍ସକୁ ୯୦ ଆସନରୁ ୪୨ ଆସନ ମିଳିଥିଲା। କଂଗ୍ରେସ ମାତ୍ର ୬ଟି ଆସନ ହାତେଇବାରେ ସଫଳ ହୋଇଥିଲା।