ନୂଆଦିଲ୍ଲୀ: ଜସପ୍ରୀତ ବୁମ୍ରାଙ୍କୁ ପଛରେ ପକାଇଲେ ହାର୍ଦ୍ଦିକ ପାଣ୍ଡ୍ୟା। ଟି-୨୦ ଅନ୍ତର୍ଜାତୀୟ ଫର୍ମାଟ୍ରେ ଭାରତ ପାଇଁ ସର୍ବାଧିକ ୱିକେଟ୍ ନେଇଥିବା ବୋଲର ହୋଇଛନ୍ତି ହାର୍ଦ୍ଦିକ। କୋଲକାତାର ଇଡେନ ଗାର୍ଡେନ୍ରେ ଖେଳାଯାଉଥିବା ଇଂଲଣ୍ଡ ବିପକ୍ଷ ମ୍ୟାଚ୍ରେ ହାର୍ଦ୍ଦିକ ଏହି ମାଇଲଖୁଣ୍ଟ ଅତିକ୍ରମ କରିଛନ୍ତି।
ହାର୍ଦ୍ଦିକ ପାଣ୍ଡ୍ୟା ଆଜି ଇଂଲଣ୍ଡ ବିପକ୍ଷରେ ବୋଲିଂ କରି ଦୁଇଟି ୱିକେଟ୍ ନେଇଥିଲେ। ଯୁବ ବ୍ୟାଟର ଜ୍ୟାକୋବ ବେଥେଲ ଓ ଜୋଫ୍ରା ଆର୍ଚରଙ୍କ ୱିକେଟ୍ ନେଇଥିଲେ ପାଣ୍ଡ୍ୟା। ସେ ୪ ଓଭର ବୋଲିଂ କରି ୪୨ ରନ୍ ଦେଇଥିବା ବେଳେ ୨ ୱିକେଟ୍ ନେଇଥିଲେ। ଫଳରେ ଭାରତ ପାଇଁ ସେ ଟି-୨୦ ଅନ୍ତର୍ଜାତୀୟରେ ସର୍ବାଧିକ ୯୧ ୱିକେଟ୍ ନେଇଛନ୍ତି।
ଏହା ପୂର୍ବରୁ ଜସପ୍ରୀତ ବୁମ୍ରା ୮୯ ୱିକେଟ୍ ଓ ଭୁବନେଶ୍ୱର କୁମାର ୯୦ ୱିକେଟ୍ ନେଇ ଶୀର୍ଷରେ ଥିଲେ। ହେଲେ ଇଡେନ ଗାର୍ଡେନ ମ୍ୟାଚ୍ରେ ପାଣ୍ଡ୍ୟା ଦୁଇ ୱିକେଟ୍ ନେଇ ସମସ୍ତଙ୍କୁ ପଛରେ ପକାଇ ଦେଇଛନ୍ତି। ଏଥିସହିତ ହାର୍ଦ୍ଦିକ ପାଣ୍ଡ୍ୟା ଏବେ ଭାରତ ପାଇଁ ଟି-୨୦ ଫର୍ମାଟରେ ଅର୍ଶଦୀପ ସିଂହ ଏବଂ ୟୁଜଭେନ୍ଦ୍ର ଚହଲଙ୍କ ପରେ ତୃତୀୟ ସର୍ବାଧିକ ୱିକେଟ୍ ନେଇଥିବା ବୋଲର ହୋଇଛନ୍ତି।
ଆଜିର ମ୍ୟାଚ୍ରେ ଅର୍ଶଦୀପ ନିଜର ପ୍ରଥମ ଦୁଇ ଓଭରରେ ଇଂଲଣ୍ଡ ଓପନର ଫିଲପ୍ ସଲ୍ଟ ଓ ବେନ ଡୁକେଟଙ୍କ ୱିକେଟ୍ ନେଇଥିଲେ। ଏହି ୱିକେଟ୍ ନେବା ପରେ ଟି-୨୦ ଅନ୍ତର୍ଜାତୀୟ ଫାର୍ମାଟ୍ରେ ଭାରତ ପାଇଁ ୬୧ ମ୍ୟାଚ୍ ଖେଳି ସର୍ବାଧିକ ୯୭ ୱିକେଟ୍ ନେଇଛନ୍ତି। ଏପରି କରି ସେ ୟୁଜବେନ୍ଦ୍ର ଚହଲଙ୍କ ରେକର୍ଡ ଭାଙ୍ଗି ଦେଇଛନ୍ତି। ଚହଲ ବର୍ତ୍ତମାନ ଟିମ୍ ଇଣ୍ଡିଆରେ ସ୍ଥାନ ପାଇବାକୁ ଚେଷ୍ଟା ଜାରି ରଖିଥିବା ବେଳେ ଅର୍ଶଦୀପ ତାଙ୍କୁ ଟପି ନମ୍ବର ୱାନ ହୋଇ ଯାଇଛନ୍ତି।