ହରିଶ ସାଲଭେଙ୍କ ବଡ଼ ଦାବି, କ୍ରୀଡ଼ା କୋର୍ଟଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିବାକୁ ଚାହିଁ ନ ଥିଲେ ଭିନେଶ ଫୋଗାଟ୍

Published By : Prameya-News7 Bureau | September 14, 2024 IST

india today

ନୂଆଦିଲ୍ଲୀ: ନିର୍ଦ୍ଧାରିତ ନିୟମଠୁ ଅଧିକ ଓଜନ କାରଣରୁ ପ୍ୟାରିସ୍ ଅଲିମ୍ପିକ୍ସରେ ପଦକରୁ ବଞ୍ଚିତ ହୋଇଥିଲେ ତାରକା କୁସ୍ତି ଖେଳାଳି ଭିନେଶ ଫୋଗାଟ। ଅଗଷ୍ଟ ୭ ତାରିଖ ଫାଇନାଲ୍ ଦିନ ସକାଳେ ସେ ଅଯୋଗ୍ୟ ଘୋଷିତ ହେବା ପୁରା ଦେଶକୁ ସ୍ତବ୍ଧ କରିଥିଲା। ଏହାକୁ ନେଇ ବିବାଦ ଦେଖା ଦେଇଥିଲା। ଏହି କ୍ରମରେ ଦେଶର ଖ୍ୟାତିସଂପନ୍ନ ଓକିଲ ହରିଶ ସାଲଭେ ପ୍ୟାରିସ ଅଲିମ୍ପିକ୍ସକୁ ନେଇ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି ଫୋଗାଟ୍ ଚାହୁଁ ନ ଥିଲେ କ୍ରୀଡ଼ା କୋର୍ଟ ତାଙ୍କ ବିରୋଧରେ ନେଇଥିବା ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରାଯାଉ।  ଉଲ୍ଲେଖନୀୟ ଅଲିମ୍ପିକ୍ସ ଇତିହାସରେ ପ୍ରଥମ ଥର କୌଣସି ମହିଳା ପହିଲମାନ ଅଲିମ୍ପିକ୍ସ ଫାଇନାଲ୍‌ରେ ପହଞ୍ଚିଥିଲେ।

Also read: ପାକିସ୍ତାନକୁ ଧୂଳି ଚଟାଇଲା ଭାରତୀୟ ହକି ଦଳ, ହିରୋ ସାଜିଲେ ଅଧିନାୟକ ହରମନପ୍ରୀତ ସିଂ

ଭିନେଶ ନିକଟରେ ଦାବି କରିଥିଲେ ଯେ, ଫାଇନାଲ୍‌ରେ ତାଙ୍କୁ ଅଯୋଗ୍ୟ ଘୋଷିତ କରାଯିବା ପରେ ଭାରତୀୟ ଅଲିମ୍ପିକ୍ସ ସଂଘ ପକ୍ଷରୁ ତାଙ୍କୁ କୌଣସି ସମର୍ଥନ ମିଳି ନ ଥିଲା। ଏହା ପରେ ହରିଶ ସାଲଭେଙ୍କ ଉପରୋକ୍ତ ବୟାନ ସାମ୍ନାକୁ ଆସିଛି। ଭିନେଶ କହିଥିଲେ, ଆମର ଯେଉଁ ଓକିଲ ଥିଲେ ସେମାନେ ନିଷ୍ପତ୍ତିକୁ ନେଇ ପ୍ରଥମରୁ ନରମ ମନୋଭାବ ପୋଷଣ କରିଥିଲେ। ଏହି ସମସ୍ତ କାରଣରୁ ଅଲିମ୍ପିକ୍ସରେ ତାଙ୍କୁ ସ୍ଵର୍ଣ୍ଣ କିମ୍ବା ରୌପ୍ୟ ପଦକ ମିଳି ପାରି ନ ଥିଲା। ଭାରତୀୟ ଆଇନଜୀବୀ ଦଳରେ ହରିଶ ସାଲଭେ ରହିଥିଲେ।

ଟାଇମ୍ସ ନାଓକୁ ଦେଇଥିବା ସାକ୍ଷାତକାରରେ ହରିଶ ସାଲଭେ କହିଛନ୍ତି, ଆମର ପ୍ରସ୍ତାବ ପରେ ବି ଭିନେଶ ଫୋଗାଟ୍ କୋର୍ଟ ଅଫ ଅର୍ବିଟ୍ରେଶନ ଫର ସ୍ପୋର୍ଟ୍ସ ଦ୍ଵାରା ଦିଆଇଥିବା ନିଷ୍ପତ୍ତିକୁ ଚ୍ୟାଲେଞ୍ଜ ଦେବାକୁ ଚାହୁଁ ନ ଥିଲେ। ପରେ ଆମକୁ ଅପିଲ୍ କରିବା ପାଇଁ ଉପଯୁକ୍ତ କାଗଜପତ୍ର ଓ ସୂଚନା ମିଳିଥିଲା। ଏହା ପରେ ଆମେ କୋର୍ଟରେ କଡ଼ା ସଂଘର୍ଷ କରିଥିଲୁ। ମାତ୍ର ଆମର ଅପିଲ୍‌କୁ ଖାରଜ କରି ଦିଆଗଲା। ଆମେ କ୍ରୀଡ଼ା କୋର୍ଟ ଦ୍ଵାରା  ଆସିଥିବା ନିଷ୍ପତ୍ତିକୁ ସ୍ଵିସ୍ ଅଦାଲତରେ ଚ୍ୟାଲେଞ୍ଜ କରିପାରିଥାନ୍ତେ। ମାତ୍ର ଭିନେଶ ଏହାକୁ ନେଇ କୌଣସି ପ୍ରତିକ୍ରିୟା ଦେଇ ନ ଥିଲେ। ଏହା ପରେ ତାଙ୍କ ଓକିଲ ମୋତେ ଜଣାଇଥିଲେ ଯେ, ଭିନେଶ ମାମଲାକୁ ଆଉ ଆଗକୁ ବଢାଇବାକୁ ଚାହୁଁ ନାହାନ୍ତି। 

ସାଲଭେ ଅଭିଯୋଗ କରିଛନ୍ତି ଯେ, ଭିନେଶ ଫୋଗାଟ୍‌ଙ୍କ ଓକିଲଙ୍କ ମଧ୍ୟରେ ତାଳମେଳର ଅଭାବ ଥିଲା।ଏହାର କାରଣ ଭାରତୀୟ ଅଲିମ୍ପିକ୍ସ ସଂଘ ଦ୍ଵାରା ନିଯୁକ୍ତ କରାଯାଇଥିବା ଏକ ଲ ଫର୍ମର କିଛି ଓକିଲ ମାମଲାର ସବିଶେଷ ତଥ୍ୟ ଦେବାକୁ ଚାହୁଁ ନ ଥିଲେ। ଫଳରେ ମାମଲାକୁ    ଉପର ଅଦାଲତରେ ଚ୍ୟାଲେଞ୍ଜ କରାଯାଇ ନ ଥିଲା। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.