ଇଏ ହେଉଛନ୍ତି ମୋଦୀ ସରକାରରେ ସବୁଠାରୁ ଧନୀ ମନ୍ତ୍ରୀ, ସମ୍ପତ୍ତି କେତେ ଜାଣିଲେ ଆଶ୍ଚର୍ଯ୍ୟ ହେବେ

Published By : Prameya-News7 Bureau | June 12, 2024 IST

internet


ନୂଆଦିଲ୍ଲୀ: ମୋଦୀ ସରକାରଙ୍କ ତୃତୀୟ ପାଳି ଆରମ୍ଭ ହୋଇଯାଇଛି। ୭୧ ଜଣ ମନ୍ତ୍ରୀ ଶପଥ ନେଇସାରିଛନ୍ତି। ଏହି ମନ୍ତ୍ରୀମାନଙ୍କ ନାଁରେ କେତେ ଅପରାଧ ମାମଲା ରହିଛି ଓ କିଏ କେତେ ଧନୀ ଏହାର ସମସ୍ତ ରିପୋର୍ଟ ସାମ୍ନାକୁ ଆସିଛି। ମୋଦୀ ସରକାରରେ ୯୮ପ୍ରତିଶତ ଧନୀ ମନ୍ତ୍ରୀ ଅଛନ୍ତି। ତେବେ ସବୁଠାରୁ ଧନୀ ମନ୍ତ୍ରୀ କିଏ ଜାଣିଛନ୍ତି ?

ଆମେ ଆଜି ଆପଣଙ୍କୁ ବିଜେପିର ସବୁଠାରୁ ଧନୀ ମନ୍ତ୍ରୀଙ୍କ ସହ ପରିଚିତ କରାଇବୁ। ତାଙ୍କ ମୋଟ ସମ୍ପତ୍ତି ବିଷୟରେ ବି ଜଣାଇବୁ। ଖବର ପଢ଼ିବା ଜାରି ରଖନ୍ତୁ। ଗୁଣ୍ଟୁର ଏମ୍‌ପି ତଥା ଗ୍ରାମିଣ ବିକାଶ ଓ ସଂଚାର ରାଷ୍ଟ୍ରମନ୍ତ୍ରୀ ଡ. ଚନ୍ଦ୍ରେଶକର ପେମ୍ମାସାନୀ ହେଉଛନ୍ତି ମୋଦୀ ସରକାରରେ ନୂଆ କରି ଶପଥ ନେଇଥିବା ସବୁଠାରୁ ଧନୀ ମନ୍ତ୍ରୀ। 

ପେମ୍ମାସାନୀ ତାଙ୍କ ସମ୍ପତ୍ତି ୫,୭୦୫ କୋଟି ବୋଲି ଘୋଷଣା କରିଛନ୍ତି। ଯାହା ୧୮ତମ ଲୋକସଭାରେ ନିର୍ବାଚିତ ହୋଇଥିବା ସମସ୍ତ ସାଂସଦଙ୍କ ଠାରୁ ଅଧିକ। ସବୁଠାରୁ ମଜା କଥା ହେଲା ପେମ୍ମାସାନୀଙ୍କର ସର୍ବାଧିକ ସମ୍ପତ୍ତି ସହ ସବୁଠାରୁ ଅଧିକ ଋଣ ମଧ୍ୟ ରହିଛି। ତାଙ୍କର ଋଣର ପରିମାଣ ୧,୦୩୮ କୋଟି ରହିଛି ବୋଲି ଜଣାପଡ଼ିଛି। 

ଆସୋସିଏସନ ଫର୍ ଡେମେକ୍ରାଟିକ୍ ରିଫର୍ମ(ଏଡିଆର୍) ଏବଂ ନ୍ୟାସ୍‌ନାଲ ଇଲେକ୍ସନ ୱାଚ୍‌ ନବ ନିର୍ବାଚିତ ୭୨ ମନ୍ତ୍ରୀଙ୍କ ମଧ୍ୟରୁ ୭୧ ମନ୍ତ୍ରୀଙ୍କର ଶପଥ ପତ୍ରର ବିଶ୍ଳେଷଣ କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ସମ୍ପତ୍ତିର ମଧ୍ୟ ହିସାବ କରାଯାଇଥିଲା। ମନ୍ତ୍ରୀମାନଙ୍କ ମଧ୍ୟରୁ ଜର୍ଜ କୋରିଏନ୍‌ଙ୍କର ସମ୍ପତ୍ତିର ହିସାବ କରାଯାଇ ନଥିଲା। କାରଣ ସେ ବର୍ତ୍ତମାନ ସଂସଦର କୌଣସି ସଦନ ନା ରାଜ୍ୟସଭା ଓ ଲୋକସଭା କେଉଁଥିରେ ସଦସ୍ୟ ନାହାନ୍ତି। ଏଡିଆର୍ ତଥ୍ୟ ଅନୁସାରେ ଜ୍ୟୋତିରାଦିତ୍ୟ ସିନ୍ଧିଆ ଦ୍ୱିତୀୟ ସବୁଠାରୁ ଧନୀ ମନ୍ତ୍ରୀ। ତାଙ୍କର ୪୨୪ କୋଟିର ସମ୍ପତ୍ତି ରହିଛି। ତାଙ୍କ ପଛକୁ ଏଚ୍‌ଡି କୁମାରସ୍ୱାମୀ (୨୧୭ କୋଟି), ଅଶ୍ୱିନୀ ବୈଷ୍ଣବ (୧୪୪ କୋଟି), ରାଓ ଇନ୍ଦରଜିତ ସିଂ (୧୨୧ କୋଟି) ଏବଂ ପୀୟୁଷ ଗୋୟଲ (୧୧୦ କୋଟି) ସମ୍ପତ୍ତି ରହିଛି। ମୋଟାମୋଟି ଭାବେ ୬ ଜଣ ମନ୍ତ୍ରୀ ୧୦୦ କୋଟିରୁ ଅଧିକ ମୂଲ୍ୟର ସମ୍ପତ୍ତି ଥିବା ଘୋଷଣା କରିଛନ୍ତି।

ଶ୍ରୀକାକୁଲମ୍ ସାଂସଦ ତଥା କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ ରାମମୋହନ ନାଇଡୁ ୧୯ ତମ ଧନୀ ମନ୍ତ୍ରୀ। ତାଙ୍କ ସମ୍ପତ୍ତି ମୂଲ୍ୟ ୨୩.୩ କୋଟି। ଏଥିସହିତ ସେ ସମସ୍ତ ମନ୍ତ୍ରୀଙ୍କ ଠାରୁ ସେ ସବୁଠାରୁ କନିଷ୍ଠ ମନ୍ତ୍ରୀ। ଏହି ତାଲିକାରେ ୪୨ ତମ ସ୍ଥାନରେ ନରସପୁରମ୍ ସାଂସଦ ତଥା ଶିଳ୍ପ ଏବଂ ଇସ୍ପାତ ମନ୍ତ୍ରୀ ଭୁପଥିରାଜୁ ଶ୍ରୀନିବାସ ବର୍ମା। 

ସେହିପରି ପେମ୍ମାସାନୀଙ୍କ ଅପରାଧିକ ପୃଷ୍ଠଭୂମିକୁ ଦେଖିଲେ ତାଙ୍କ ବିରୋଧରେ ଗୋଟିଏ ମାମଲା ବିଚାରାଧୀନ ରହିଛି। ଇଲେକ୍ସନରେ ବେଆଇନ ଟଙ୍କା ବାଣ୍ଟିବା ଅଭିଯୋଗ(ଆଇପିସି ସେକ୍‌ସନ ୧୭୧ଏଚ୍) ଓ ଲାଞ୍ଚ ପାଇଁ ଦଣ୍ଡ ସମ୍ପର୍କିତ(ଆଇପିସି ସେକ୍‌ସେନ ୧୭୧ଇ) ଅଭିଯୋଗ ରହିଛି। 

ସେହିପରି ରାମମୋହନ ନାଇଡୁଙ୍କ ବିରୋଧରେ ୪ଟି ମାମଲା ରହିଛି। ଭୁଲ ଭାବରେ ଅଟକ ରଖିବା(ଆଇପିସି ସେକ୍‌ସନ ୩୪୧),କୌଣସି ଲୋକସେବକଙ୍କ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶର ଅବଜ୍ଞା(ଆଇପିସି ସେକ୍‌ସନ ୧୮୮) ଏବଂ ସାଦାରଣ ଉଦ୍ଦେଶ୍ୟ ରଖି ଏକାଧିକ ଲୋକଙ୍କ ସହ ମିଶି କୌଣସି କାର୍ଯ୍ୟ କରିବା(ଆଇପିସି ସେକ୍‌ସନ ୩୪)ରେ ମାମଲା ରହିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.