ମୁମ୍ବାଇ: ନ୍ୟୁଜିଲାଣ୍ଡ ବିରୋଧ ଭାରତ ଘରୋଇ ଟେଷ୍ଟ ସିରିଜ୍ ହାରିବା ପରେ ଟିମ୍ ଇଣ୍ଡିଆର ନେତୃତ୍ବ ଉପରେ ପ୍ରଶ୍ନବାଚୀ ଛିଡ଼ା ହୋଇଛି । ରୋହିତଙ୍କ ପରେ କିଏ ହେବ ଭାରତୀୟ ଦଳର ଅଧିନାୟକ । ଏହାକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା ହେଉଥିବା ବେଳେ ନିଆଁରେ ଘିଅ ଢାଳିବା କାର୍ଯ୍ୟ କରିଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ତଥା ପୂର୍ବତନ ବିସିସିଆଇ ଚିଫ୍ ସିଲେକ୍ଟର କ୍ରୀଷ୍ଣମାଚାରି ଶ୍ରୀକାନ୍ତ । ସେ ଏକ ବୟାନରେ କହିଛନ୍ତି, ଯଦି ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆରେ ସନ୍ତୋଷଜନକ ପ୍ରଦର୍ଶନ କରୁନାହିଁ, ତେବେ ବିସିସିଆଇ ବିକଳ୍ପ ନେତୃତ୍ବ ଖୋଜିବା ଦରକାର ।
ନଭେମ୍ବର ୨୨ ତାରିଖରୁ ଅଷ୍ଟ୍ରେଲିଆରେ ଆରମ୍ଭ ହେଉଛି ବର୍ଡର-ଗାଭାସ୍କର ଟ୍ରଫି । ୫ଟି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଭାରତ ଏବଂ ଘରୋଇ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ । ନ୍ୟୁଜିଲାଣ୍ଡ ବିରୋଧରେ ଟିମ୍ ଇଣ୍ଡିଆ ଘରୋଇ ସିରିଜ୍ ହାରିଥିବା ବେଳେ ବର୍ଡର-ଗାଭାସ୍କର ସିରିଜ୍ ଉପରେ ସମସ୍ତ ନଜର ରହିଛି । ଏହି ଟେଷ୍ଟ ସିରିଜରେ ଭାରତୀୟ ଦଳର ପ୍ରଦର୍ଶନ ଖରାପ ରହିଲେ, ରୋହିତ୍ ଶର୍ମା ଟେଷ୍ଟ ଫର୍ମାଟରୁ ଅବସର ଘୋଷଣା କରିପାରନ୍ତି ବୋଲି କ୍ରୀଷ୍ଣମାଚାରି ଶ୍ରୀକାନ୍ତ କହିଛନ୍ତି । ତେଣୁ ବିସିସିଆଇ ଏବେଠୁ ତାଙ୍କ ଉତ୍ତାଧିକାରୀ ଖୋଜିବା ଆବଶ୍ୟକ ବୋଲି ସେ ପରାମର୍ଶ ଦେଇଛନ୍ତି ।
ଟି-୨୦ କ୍ରିକେଟ୍ ବିଶ୍ବ ଟିମ୍ ଇଣ୍ଡିଆ ଜିତିବା ପରେ ସର୍ଟ ଫର୍ମାଟ୍ କ୍ରିକେଟରୁ ରୋହିତ୍ ଶର୍ମା ଅବସର ଘୋଷଣା କରିଥିଲେ । ସେ ଏବେ ୩୭ ବର୍ଷ ବୟସରେ ପହଞ୍ଚିଛନ୍ତି । ବୟସାଧିକ କାରଣରୁ ଦୃଢ଼ ନେତୃତ୍ବର ଅଭାବ ଏବଂ ପ୍ରଦର୍ଶନ ମଧ୍ୟ ହ୍ରାସ ପାଇବାରେ ଲାଗିଛି । ଯାହାଫଳରେ ଟିମ୍ ଇଣ୍ଡିଆ ଘରୋଇ ସିରିଜ୍ ନ୍ୟୁଜିଲାଣ୍ଡଠୁ ହାରିଛି । କେବଳ ହାରି ନାହିଁ ୦-୩ରେ ସିରଜ୍ ହ୍ବାଇଟ୍ ଓ୍ବାସ୍ ହୋଇଛି । ତେଣୁ ଟିମ୍ ଇଣ୍ଡିଆ ବିକଳ୍ପ ବାଛିବା ଦରକାର ବୋଲି କ୍ରୀଷ୍ଣମାଚାରି ଶ୍ରୀକାନ୍ତ କହିଛନ୍ତି ।
ନଭେମ୍ବର ୨୨ରୁ ଆରମ୍ଭ ହେଉଛି ବର୍ଡର-ଗାଭାସ୍କର ଟ୍ରଫି । ତେବେ ପ୍ରଥମ ଟେଷ୍ଟରେ ରୋହିତ ବିନା ଟିମ୍ ଇଣ୍ଡିଆ ପର୍ଥ ମାଇଦାନକୁ ଓହ୍ଲାଇବ ଭାରତୀୟ ଦଳ । ବ୍ୟକ୍ତିଗତ କାରଣକୁ ସେ ଏହି ମ୍ୟାଚ୍ ଖେଳିବେ ନାହିଁ ବୋଲି ଜଣାପଡ଼ିଛି । ଅନ୍ୟପଟେ ଟିମ୍ ଇଣ୍ଡିଆ ବିଶ୍ବ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲକୁ କ୍ବାଲିଫାଏ କରିବାକୁ ହେଲେ ମୋଟ୍ ୫ ଟେଷ୍ଟରୁ ୪ଟି ମ୍ୟାଚ ଜିତିବାକୁ ପଡ଼ିବ ।