ଭୁବନେଶ୍ବର: କାଳବୈଶାଖୀ ଯୋଗୁ କିଛି ଦିନର ବ୍ୟବଧାନ ପରେ ପୁଣି ବଢ଼ିଛି ତାତି। ପୁଣି ତାତି କଲବଲ କରିଛି ରାଜ୍ୟବାସୀଙ୍କୁ । ବିଶେଷ କରି ପଶ୍ଚିମ ଓଡ଼ିଶାରେ ଖରାର ପ୍ରକୋପ ଅସହ୍ୟ ହେଉଛି। ଝାରସୁଗୁଡ଼ା ତ’ ତତଲା କଡ଼େଇ ପାଲଟିଛି। ରବିବାର ଏଠାରେ ସର୍ବୋଚ୍ଚ ତାପମାତ୍ର ୪୩.୫ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଥିବାବେଳେ, ସୋମବାର ଏଠାରେ ଏବର୍ଷର ରେକର୍ଡ ଭାଙ୍ଗିଛି ତାପମାତ୍ରା। ସୋମବାର ଝାରସୁଗୁଡ଼ାରେ ତାତି ଛୁଇଁଛି ୪୫.୪ ଡିଗ୍ରୀ। ଯାହା ନ ଅସ୍ତବ୍ୟସ୍ତ କରିଦେଇଛି ଝାରସୁଗୁଡ଼ାବାସୀଙ୍କୁ।
ସେହିଭଳି ସୋମବାର ବୌଦ୍ଧରେ ୪୩.୨, ସମ୍ବଲପୁର ୪୩, ସୁନ୍ଦରଗଡ଼ ୪୩, ଟିଟିଲାଗଡ଼ ୪୩, ଭବାନୀପାଟଣା ୪୨.୫, ହୀରାକୁଦ ୪୨.୪, ବଲାଙ୍ଗୀର ୪୨.୩, ସୋନପୁର ୪୨.୧, ବରଗଡ଼ ୪୨, ରାଉରକେଲା ୪୨, ଅନୁଗୁଳ ୪୧.୭, ନୂଆପଡ଼ା ୪୧.୫, ପାରଳାଖେମୁଣ୍ଡି ୪୦, ଭୁବନେଶ୍ବର ୩୬, କଟକରେ ୩୭ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ ହୋଇଛି।
ସେପଟେ ପାଣିପାଗ ବିଭାଗର ପୂର୍ବାନୁମାନ କହୁଛି, ଏବେ ଆହୁରି ବଢ଼ିବ ତାତିର ପ୍ରକୋପ । କିଛି ସ୍ଥାନରେ ପାରଦ ୪୪ ଡିଗ୍ରୀ ସେଲସିୟସ୍ ଡେଇଁପାରେ । ଗୁଳୁଗୁଳି ଜାରି ରହିବ। ବଡ଼ କଥା ହେଲା, ଆଶ୍ୱସ୍ତି ଦେଲା ଭଳି କାଳବୈଶାଖୀ ସମ୍ଭାବନା ଏବେ ନାହିଁ। ଆସନ୍ତା ୨୫ ତାରିଖ ଭିତରେ ତାପମାତ୍ରା ଖସିବା ସମ୍ଭାବନା କମ୍ ।