ହିମାଚଳରେ ଭୀଷଣ ବରଫପାତ, ବିଭିନ୍ନ ସ୍ଥାନରେ ୪ ମୃତ, ୩ NH ସମେତ ୨୩୩ ରୋଡ ଠପ

Published By : Prameya-News7 Bureau | December 25, 2024 IST

ଶିମଲା ୨୫।୧୧: ହିମାଚଳରେ ଗତ ୨ ଦିନ ହେଲା ବରଫ ପାତ ଜାରି ରହିଛି। ଶିମଲାର ନାରକଣ୍ଡା ଓ ଅଟଳ ଟନେଲ ସମେତ ପାହାଡିଆ ଅଞ୍ଚଳରେ ସୋମବାର ପରେ ମଙ୍ଗଳବାର ମଧ୍ୟ ହୀତମପାତ ଜାରିଥିଲା। ଅଟଳ ଟନେଲ ନିକଟରେ ମଙ୍ଗଳବାର ରାତିରେ ମଧ୍ୟ ବରଫ ପଡିଛି। ଏଣୁ ବୁଧବାର ଅଟଳ ଟନେଲକୁ ପର୍ଯ୍ୟଟକଙ୍କ ନିମନ୍ତେ ବନ୍ଦ କରିଦିଆଯାଇଛି। ଏବେ ମନାଲୀର ସୋଲାଙ୍ଗ ପର୍ଯ୍ୟନ୍ତ ପର୍ଯ୍ୟଟକ ଯାଇ ଆସି ପାରୁଛନ୍ତି। ଆଗକୁ ଭୀଷଣ ହୀମପାତ ହେଉଛି। 

ହୀମପାତ ଯୋଗୁ ୩ ନ୍ୟାସନାଲ ହାଇୱେ(ଏନଏଚ) ସହିତ ୨୩୩ ସଡ଼କ ବନ୍ଦ କରିଦିଆଯାଇଛି। ଅଧିକାରୀମାନେ ବୁଧବାର ଏହି ସୂଚନା ଦେଇଛନ୍ତି। ଅଧିକାରୀଙ୍କ ଅନୁସାରେ ପ୍ରଦେଶର କିନ୍ନୋର, ଲାହୋଲ ଏବଂ ସ୍ପିତି, ଶିମଲା, କୁଲ୍ଲୁ, ମଣ୍ଡି, ଚମ୍ବା ଓ ସିରମୋର ଜିଲ୍ଲାର ପାହାଡିଆ ଅଞ୍ଚଳରେ ଭୀଷଣ ବରଫ ପଡିଛି। ଶିମଲା ହୋଟେଲ ଏବଂ ପର୍ଯ୍ୟଟନ ସଂଘର ଅଧ୍ୟକ୍ଷ ଏମ.କେ. ସେଠ୍ କହିଛନ୍ତି ଯେ ଶିମଲାରେ ଥିବା ହୋଟେଲମାନଙ୍କର ୭୦ ପ୍ରତିଶତ ରୁମ ଭରିଯାଇଛି। 

ସେ କହିଛନ୍ତି ଯେ ହୀମପାତ ଯୋଗୁ ରୁମ୍ ବୁକିଂରେ ୩୦ ପ୍ରତିଶତ ବୃଦ୍ଧି ହୋଇଛି। ସେପଟେ ଜାତୀୟ ରାଜମାର୍ଗରେ ଯାତାୟାତ ଅଟାରୀ-ଲେହ, କୁଲ୍ଲୁ ଜିଲ୍ଲାରେ ସେଞ୍ଜ-ଔଟ, କିନ୍ନୌର ଜିଲ୍ଲାରେ ଖାବ-ସଙ୍ଗମ, ଲାହୋଲ ଓ ସ୍ପିତିରେ  ଗ୍ରାମଫୁଠାରେ ସଡ଼କ ଅବରୋଧ ହୋଇଛି। ପୁରା ରାଜ୍ୟରେ ୨୩୩ ସଡ଼କରେ ଯାତାୟାତ ଏବେ  ବାଧିତ ହୋଇଛି। ଖବର ଅନୁସାରେ ବରଫପାତ ଯୋଗୁ ଗତ ୨୪ ଘଣ୍ଟାରେ ହୋଇଥିବା ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି କେତେକ ସ୍ଥାନରେ ବାହନ ବରଫ ଉପରେ ପହଁରିବା ଯୋଗୁ କେତେକ ଲୋକ ଆହତ ହୋଇଛନ୍ତି। ତେବେ ମୃତକଙ୍କ ସମ୍ପର୍କରେ ପ୍ରଶାସନ ଏପର୍ଯ୍ୟନ୍ତ କୌଣସି ସୂଚନା ଏକତ୍ର କରିପାରି ନାହିଁ। 

ରାଜ୍ୟ ଜରୁରୀକାଳୀନ ପରିଚାଳନା କେନ୍ଦ୍ର ସୂଚନା ଅନୁସାରେ ଶିମଲାରେ ସବୁଠୁ ଅଧିକ ୧୪୫ଟି ସଡ଼କ ବନ୍ଦ ରହିଛି। ଏହା ଛଡା କୁଲ୍ଲୁରେ ୨୫ ଓ ମଣ୍ଡିରେ ୨୦ଟି ସଡ଼କକୁ ଯାତାୟାତ ନିମନ୍ତେ ବନ୍ଦ କରାଯାଇଛି। ଭୀଷଣ ହୀମପାତ ହେଉଥିବାରୁ ବିଭିନ୍ନ ସ୍ଥାନରେ ୩୫୬ଟି ଟ୍ରାନ୍ସଫର୍ମର କାମ କରିବା ବନ୍ଦ କରିଦେଇଛି। ଫଳରେ ଅନେକ ଅଞ୍ଚଳକୁ ବିଦ୍ୟୁତ ସରବରାହ ବାଧିତ ହୋଇଛି। ପାଣିପାଗ ବିଭାଗ ଅନୁସାରେ ଖଦରାଲାରେ ସର୍ବାଧିକ ୨୪ସେଣ୍ଟିମିଟର ବରଫପାତ ହୋଇଛି। ଏହା ପଛକୁ ସାଙ୍ଗଲାରେ ୧୬.୫ ସେଣ୍ଟିମିଟର, ଚୌପାଲ ଓ ଜୁବ୍ବଲରେ ୧୫ ସଣ୍ଟିମିଟର ଲେଖାଏଁ ବରଫପାତ ହୋଇଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.