ସଂସଦ ନିକଟରେ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ, ଜଳିଗଲା ଶରୀରର ୯୦ ପ୍ରତିଶତ

Published By : Prameya-News7 Bureau | December 25, 2024 IST

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ବୁଧବାର ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି। ନୂଆ ସାଂସଦ ଭବନ ନିକଟରେ ଜଣେ ବ୍ୟକ୍ତି ନିଜ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଛନ୍ତି। ତାଙ୍କ ଶରୀରର ପ୍ରାୟ ୯୦ ଭାଗ ପୋଡ଼ିଯାଇଥିବାବେଳେ ଏବେବି ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଛି। ଦିଲ୍ଲୀ ପୋଲିସର ସୂଚନା ଅନୁଯାୟୀ ବ୍ୟକ୍ତି ଜଣକ ଉତ୍ତରପ୍ରଦେଶର। ଘଟଣା ପରେ ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା। ଘଟଣାସ୍ଥଳରେ ପେଟ୍ରୋଲ ଜବତ ହୋଇଛି। 

ଦିଲ୍ଲୀ ପୋଲିସର ସୂଚନା ଅନୁଯାୟୀ, ଉତ୍ତରପ୍ରଦେଶ ବାଗପତର ଜିତେନ୍ଦ୍ର, ରେଳ ଭବନର ନିକଟରେ ନିଜ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଇଥିଲେ। ତାଙ୍କର ବୟସ ୩୦ରୁ ୩୫ ବର୍ଷ ହେବ। ଜିତେନ୍ଦ୍ରଙ୍କ ଶରୀରର ପ୍ରାୟ ୯୦ ପ୍ରତିଶତ ଜଳି ଯାଇଛି। ସ୍ଥାନୀୟ ପୋଲିସ, ରେଲଓ୍ବେ ପୋଲିସ ଏବଂ କିଛି ନାଗରିକ ନିଆଁକୁ ତୁରନ୍ତ ଲିଭାଇ ତାଙ୍କୁ ରାମ ମନୋହର ଲୋହିୟା ହସ୍ପିଟାଲ ପଠାଇଥିଲେ।

ଘଟଣା ବିଷୟରେ ସୂଚନା ଦେଇ ଡିସିପି ଦେବେଶ କୁମାର ମହଲା କହିଛନ୍ତି- ଉତ୍ତରପ୍ରଦେଶ ବାଗପତର ଜିତେନ୍ଦ୍ର ରେଳ ଭବନ ଛକ ନିକଟରେ ଆତ୍ମହତ୍ୟା କରିବାକୁ ଚେଷ୍ଟା କରି ଗୁରୁତର ଆହତ ହୋଇଛନ୍ତି। ଯାଞ୍ଚରୁ ଜଣାପଡ଼ିଛି ସେ ତାଙ୍କ ଉପରେ ବାଗପତରେ ଥିବା ଏକ ମାମଲାକୁ ନେଇ ଚିନ୍ତିତ ଥିଲେ। ଏପର୍ଯ୍ୟନ୍ତ କୌଣସି ସୁସାଇଡ ନୋଟ ମିଳିନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.