ନୂଆଦିଲ୍ଲୀ: ଆସନ୍ତା ବର୍ଷ ହେବାକୁ ଯାଉଛି ଦିଲ୍ଲୀ ବିଧାନସଭା ନିର୍ବାଚନ। ଅବଶ୍ୟ ଏପର୍ଯ୍ୟନ୍ତ ତାରିଖ ଘୋଷଣା ହୋଇନାହିଁ, ହେଲେ କିନ୍ତୁ ନିର୍ବାଚନ ପୂର୍ବରୁ ରାଜନୈତିକ ଆରୋପ-ପ୍ରତ୍ୟାରୋପ ଖୁବ୍ ଦେଖିବାକୁ ମିଳୁଛି। ଶାସକ ଦଳ ଆମ୍ ଆଦମୀ ପାର୍ଟି ଏବଂ ବିଜେପି ପରସ୍ପରକୁ ଟାର୍ଗେଟ କରୁଛନ୍ତି। ଏହାରି ମଧ୍ୟରେ ପୁଣି ବିଜେପିକୁ ଟାର୍ଗେଟ କରିଛି ଆମ୍ ଆଦମୀ ପାର୍ଟୀ। ଆପ୍ ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିଓ୍ବାଲ ସିଧା ସିଧା ବିଜେପି ନେତା ପରବେଶ ବର୍ମାଙ୍କୁ ଟାର୍ଗେଟ କରିଛନ୍ତି।
ବୁଧବାର ଅରବିନ୍ଦ କେଜ୍ରିଓ୍ବାଲ ଏକାଧିକ ଏକ୍ସ ପୋଷ୍ଟ କରି ପରବେଶଙ୍କୁ ଟାର୍ଗେଟ କରି କହିଛନ୍ତି ବିଜେପି ନେତା ପରବେଶ ବର୍ମା ଭୋଟ ପାଇଁ ନିର୍ବାଚନୀ ମଣ୍ଡଳୀରେ ଟଙ୍କା ବାଣ୍ଟୁଛନ୍ତି। ଭୋଟ ପିଛା ୧୧୦୦ ଟଙ୍କା ଦେଉଛନ୍ତି। ଏମାନେ କହୁଛନ୍ତି ତାଙ୍କ ଘରୁ କେହି ମହିଳା ଖାଲି ହାତରେ ଫେରିବେ ନାହିଁ। ସେ କହିଛନ୍ତି ‘‘ମୁଁ ନୂଆଦିଲ୍ଲୀ ବିଧାନସଭା ମଣ୍ଡଳୀରେ ଯେଉଁ ଅଞ୍ଚଳକୁ ଯାଉଛି ସେଠାରେ ଲୋକେ କହୁଛନ୍ତି ଏହି ନେତାମାନେ ଭୋଟ କିଣୁଛନ୍ତି। ଗୋଟିଏ ଭୋଟ ପାଇଁ ୧୧୦୦ ଟଙ୍କା ଦେଉଛନ୍ତି। ହେଲେ ଲୋକ କହିଛନ୍ତି ସେମାନେ ଟଙ୍କା ନେଇଯିବେ। କିନ୍ତୁ ଭୋଟ ୟାଙ୍କୁ ଦେବେନାହିଁ। ଏମାନେ ନିର୍ବାଚନ ଲଢ଼ୁନାହାଁନ୍ତି, କେବଳ ବେଇମାନୀ କରୁଛନ୍ତି। ଏଥର ଦିଲ୍ଲୀ ନିର୍ବାଚନରେ ଏମାନଙ୍କର ଏଭଳି ଗୋଟିଏ ଗୋଟିଏ କାରନାମା ସାମ୍ନାକୁ ଆସିବ। ଦେଶ ଆଗରେ ଏମାନଙ୍କ ମୁଖା ଖୋଲିବ।’’
କେଜ୍ରିିଓ୍ବାଲ ପରବେଶ ବର୍ମାଙ୍କୁ ଟାର୍ଗେଟ କରି କହିଛନ୍ତି ଆପଣ ସାହାଯ୍ୟ କରୁଛନ୍ତି ନା ସିଧାସିଧା ଭୋଟ କିଣୁଛନ୍ତି ? ଆପଣଙ୍କ ବାପା ଏଭଳି ଦେଶଦ୍ରୋହୀ ପୁଅକୁ ନେଇ ନିଶ୍ଚୟ ଖରାପ ଭାବୁଥିବେ।
କେଜ୍ରିିଓ୍ବାଲ ଆହୁରି ମଧ୍ୟ କହିଛନ୍ତି ବିଜେପି ପରବେଶ ବର୍ମାଙ୍କୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଚେହେରା କରିବ। ଆପ ସଂଯୋଜକ ଅରବିନ୍ଦ କେଜ୍ରିଓ୍ବାଲ ଏକ୍ସରେ କହିଛନ୍ତି ‘ସୂତ୍ରରୁ ଜଣାପଡ଼ିଛି ବିଜେପି ପରବେଶ ବର୍ମାକୁ ନିଜର ସିଏମ ଚେହେରା ଘୋଷଣା କରିବାକୁ ଯାଉଛି। ହେଲେ କ’ଣ ଦିଲ୍ଲୀ ଜନତା ଏଭଳି ବ୍ୟକ୍ତିଙ୍କୁ ନିଜ ମୁଖ୍ୟମନ୍ତ୍ରୀ କରିବାକୁ ଚାହିବେ ?
ସେହିଭଳି ଆପ୍ ସାଂସଦ ସଞ୍ଜୟ ସିଂହ ମଧ୍ୟ ବିଜେପି ନେତା ପରବେଶ ବର୍ମାଙ୍କ ଉପରେ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ନିର୍ବାଚନ ଆୟୋଗ କାହିଁକି ଶୋଇଛି ? ବିଜେପି ନେତା ପରବେଶ ବର୍ମାଙ୍କ ଘରେ ଖୁଲମଖୁଲା ଟଙ୍କା ବଣ୍ଟାଯାଉଛି। କିନ୍ତୁ ନିର୍ବାଚନ ଆୟୋଗ କିଛି କରୁନାହିଁ। ପରବେଶ ବର୍ମାଙ୍କ ଘରେ ରେଡ୍ ହେଉ ଆଉ ତାଙ୍କ ଘରକୁ ସିଜ କରି ସବୁ ଟଙ୍କା ଜବତ କରାଯାଉ।