ନାରାୟାଣପୁର ୨୫।୧୨: ବସ୍ତର ଜଙ୍ଗଲ ଓ ପାହାଡରେ ଚାଲିଥିବା ‘ଜଳ, ଜଙ୍ଗଲ ଓ ଜମି’ ଲଢେଇରେ ନକ୍ସଲମାନେ ପ୍ରଥମ ଥର ଜଙ୍ଗଲ ଓ ପାହାଡ଼ ପାଖଆଖରେ ରହୁଥିବା ଗ୍ରାମୀଣଙ୍କୁ ସିଧାଶଳଖ ଚେତାବନୀ ଦେଇଛନ୍ତି। ସେମାନେ କହିଛନ୍ତି ଜଙ୍ଗଲ ଓ ପାହାଡରେ ଶହଶହ ବୋମା ଲଗାଯାଇଛି। ଅପରେଶନ ଭଳି ଚଳାଯାଇଥିବା ନକ୍ସଲ ବିରୋଧୀ ଅଭିଯାନରେ ସୁରକ୍ଷା ବଳଙ୍କୁ ଟାର୍ଗେଟ କରି ଏହି ପଦକ୍ଷେପ ନିଆଯାଇଛି। ଏଣୁ ଗ୍ରାମୀଣଙ୍କୁ ଜଙ୍ଗଲ ଓ ପାହାଡରୁ ଦୂରେଇ ରହିବାକୁ କହିଛନ୍ତି।
ନାରାୟଣପୁରରେ ସକ୍ରିୟ ପୂର୍ବବସ୍ତର ଡିଭିଜନ କମିଟି ମୁଖପାତ୍ର ଜାନକୁ ସଲାମ ଏ ନେଇ ଏକ ସର୍କୁଲାର ଜାରି କରିଛନ୍ତି। ଏଥିରେ ସେ ଜଙ୍ଗଲ ଓ ପାହାଡ଼ ଆଖପାଖ ଗାଁର ଲୋକଙ୍କୁ ଏସବୁଠୁ ଦୂରେଇ ରହିବାକୁ ନିବେଦନ କରିଛନ୍ତି। ସେ ବୟାନରେ କହିଛନ୍ତି ଯେ ଯଦି ଗ୍ରାମୀଣ ଜଙ୍ଗଲ ଓ ପାହାଡକୁ ଯାଆନ୍ତି ଓ କୌଣସି ଘଟଣା ଘଟେ ସେଥି ପାଇଁ ନକ୍ସଲ ସଙ୍ଗଠନ ଦାୟି ହେବ ନାହିଁ। ସୂତ୍ର ଅନୁସାରେ ନକ୍ସଲ ପ୍ରଭାବ ଥିବା ଗାଁ ମାନଙ୍କରେ ଏ ନେଇ ଘୋଷଣା କରାଯାଇଛି। ଗାଁ ଲୋକେ ଜଙ୍ଗଲ ଓ ପାହାଡକୁ ନ ଯାଆନ୍ତୁ ବୋଲି କୁହାଯାଇଛି।
ନିକଟରେ ଦାନ୍ତେୱାଡା ଜିଲ୍ଲାରେ ଆଇଡି ବିସ୍ଫୋରଣରେ ଜଣେ ଗ୍ରାମୀଣ ପ୍ରାଣ ହରାଇଥିଲେ। ଏହି ଘଟଣାରେ ନକ୍ସଲମାନେ ମୃତକଙ୍କ ପରିବାର ଓ ଗ୍ରାମବାସୀଙ୍କୁ କ୍ଷମାନିବେଦନ କରିଥିଲେ। ବସ୍ତରର ବିଭିନ୍ନ ଅଞ୍ଚଳରେ ନକ୍ସଲ ବୋମା ସୁରକ୍ଷା ବଳଙ୍କୁ ଟାର୍ଗେଟ୍ କରିବା ପାଇଁ ଆଇଇଡି ଲଗାଇଛନ୍ତି। ହେଲେ କେବେକେବେ ଗ୍ରାମବାସୀ ଓ ଗୃହପାଳିତ ପଶୁ ଏହି ଆଇଇଡି ସଂସ୍ପର୍ଶରେ ଆସିଯାଉଛନ୍ତି । ଗତବର୍ଷ ବସ୍ତରରେ ୪୭ ଓ ଚଳିତବର୍ଷ ଏପର୍ଯ୍ୟନ୍ତ ୪୫ଟି ଆଇଇଡି ବିସ୍ଫୋରଣ ହେଲାଣି। ୫ ବର୍ଷରେ ଏହି ବିସ୍ଫୋରଣ ସଂଖ୍ୟା ୨୫୦କୁ ପହଞ୍ଚିଲାଣି।
ଏହି ସବୁ ଆଇଇଡି ବିସ୍ଫୋରଣରେ ଅନେକ ଗ୍ରାମବାସୀ ପ୍ରାଣ ହରାଇଲେଣି ଓ ଅନେକ ବିକଳାଙ୍ଗ ହେଲେଣି। ଏଥିରେ ନକ୍ସଲ ଏବେ ବିଭିନ୍ନ ଅଞ୍ଚଳରେ ବୁଲି ବୁଲି କରୁଥିବା ଘୋଷଣା ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି। ଗ୍ରାମୀଣ ସେମାନଙ୍କ ଦୈନିକ କାର୍ଯ୍ୟ ଓ ଜୀବନ ଶୈଳୀ ପାଇଁ ଜଙ୍ଗଲ, ପାହାଡ ଉପରେ ନିର୍ଭରଶୀଳ। ଏଣୁ ଲୋକେ ଏବେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଥିରେ ସୁରକ୍ଷା ବଳ ମଧ୍ୟ ଅଞ୍ଚଳରେ ସେମାନଙ୍କ ଅଭିଯାନ ଚଳାଇବା ପାଇଁ ସତର୍କତା ଅବଲମ୍ବନ କରୁଛନ୍ତି।