ହିଜବୁଲ୍ଲାର ପାଲଟା ଆକ୍ରମଣ; ଇସ୍ରାଏଲ ଉପରେ ୨୦୦ରୁ ଅଧିକ ରକେଟ୍ ମାଡ଼

Published By : Prameya-News7 Bureau | November 25, 2024 IST

ନୂଆଦିଲ୍ଲୀ: ଇସ୍ରାଏଲ ଆକ୍ରମଣର ପାଲଟା ଜବାବ ଦେଇଛି ହିଜବୁଲ୍ଲା ଆତଙ୍କୀ ସଂଗଠନ । ଶନିବାର ଇସ୍ରାଏଲ୍ ଡିଫେନ୍ସ ଫୋର୍ସ ଲେବାନନ ରାଜଧାନୀ ବେରୁଟ୍ ଉପରେ ବୋମା ମାଡ଼ କରିଥିଲା । ଏହା ପ୍ରତିବଦଳରେ ଇସ୍ରାଏଲ ଉପରେ ଆତଙ୍କୀ ସଂଗଠନ ୨୦୦ର  ଅଧିକ ରକେଟ୍ ମାଡ଼ କରିଛି ।  ତେଲ୍ ଅବୀବ ନିକଟରେ ଏହି ରକେଟ୍ ମାଡ଼ ହୋଇଥିବା ସ୍ବୀକାର କରିଛି ଆଇଡିଏଫ । ଏହି ଆକ୍ରମଣରେ ବହୁ ସଂଖ୍ୟାରେ ଘର ପୋଡ଼ି ନଷ୍ଟ ହୋଇଛି । ସେପଟେ ହିଜବୁଲ୍ଲା ଆକ୍ରମଣର ଗୋଟିଏ ଦିନ ପୂର୍ବରୁ ଇସ୍ରାଏଲ ବେରୁଟରେ ବଡ଼ ଧରଣର ହମଲା କରିଥିଲେ । ଏଥିରେ ପ୍ରାୟ ୨୯ଜଣ ପ୍ରାଣ ହରାଇଥିଲେ । 

ଇସ୍ରାଏଲ ସେନା ହିଜବୁଲ୍ଲା ନିୟନ୍ତ୍ରଣରେ ଥିବା ଦକ୍ଷିଣ ଉପନଗରୀ ଉପରେ ଆକ୍ରମଣ କରିଥିଲା । ଗତ ଦୁଇ ସପ୍ତାହ ହେଲା ଆଇଡିଏଫ ଆତଙ୍କୀ ସଂଗଠନ ଉପରେ ଜୋରଦାର ବୋମା ବର୍ଷା କରିଛି  । ଲେବାବନ ରାଜଧାନୀ ବେରୁଟ ଉପରେ ଆକ୍ରମଣ ପରେ ରକ୍ତମୁଖା ହୋଇଛି ହିଜବୁଲ୍ଲା ସଂଗଠନ । ତେଲଅବୀବକୁ ଟାର୍ଗେଟ କରି ଏହାର ନିକଟରେ ଥିବା ଦୁଇ ସୈନ୍ୟ ଠିକଣାରେ ମିସାଇଲ୍ ମାଡ଼ କରିଛି ।  

ଇସ୍ରାଏଲ ଉପରେ   ହିଜବୁଲ୍ଲା ସଂଗଠନ ୨୪୦ ରକେଟ୍ ମାଡ଼ କରିଥିଲା । କିଛି ରକେଟକୁ ଇସ୍ରାଏଲ ଆଣ୍ଟିଡିଫେନ୍ସ ସିଷ୍ଟମ ଆକାଶରେ ନଷ୍ଟ କରି ଦେଇଛି । ଏହି ହମଲା ପରେ ଇସ୍ରାଏଲର ଅଧିକାଂଶ ସ୍ଥାନରେ ସାଇରନ ବାଜିଛି । ଏହି ଆକ୍ରମଣରେ ୪ଜଣ ଆହତ ହୋଇଛନ୍ତି ।

ରୟଟର୍ସ ରିପୋର୍ଟ ମୁତାବକ, ଇସ୍ରାଏଲ ସହର  ନାହରିୟାରେ ଏକ କୋଠା ଉପରେ ରକେଟ୍ ମାଡ଼ ହୋଇଥିବା ଭିଡିଓରେ ଦେଖିବାକୁ ମିଳିଛି । ଲେବାନନ ସେନା ସୋସିଆଲ୍ ମିଡିଆରେ ଚେତାବନୀ ଦେଇଥିଲା କି ଇସ୍ରାଏଲ ଦକ୍ଷିଣ ବେରୁଟରେ ହମଲା କରିବାକୁ ଯୋଜନା କରିଛି । ସେପଟେ ଆଇଡିଏଫ କହିଛନ୍ତି, ହିଜବୁଲ୍ଲା ଜାଣିଶୁଣି ଇସ୍ରାଏଲର ଆବାସିକ ଅଞ୍ଚଳରେ ରକେଟ୍ ମାଡ଼ କରୁଛି । ଆଇଡିଏଫ ଆକ୍ରମଣରେ ଅକ୍ଟୋବର ୨୦୨୩ରୁ ଏଯାଏ ୩,୭୫୪ ଲେବାନନୀୟଙ୍କ ମୃତ୍ୟୁ ହୋଇଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.