ଅଶାନ୍ତ ସମ୍ଭଲରେ ଶାନ୍ତି ଫେରିବ କେବେ? ହିଂସା ପାଇଁ ଇଣ୍ଟନନେଟ୍ ସେବା ଠପ୍

Published By : Prameya-News7 Bureau | November 25, 2024 IST

ଉତ୍ତରପ୍ରଦେଶ ୨୫/୧୧: ଉତ୍ତରପ୍ରଦେଶର ସମ୍ଭଲ ଏବେ ଅଶାନ୍ତ । ଏଠାରେ ଥିବା ଜାମା ମସଜିଦର ସର୍ଭେକୁ ନେଇ ଲୋକଙ୍କ ମଧ୍ୟରେ ବଢିବାରେ ଲାଗିଛି ଜନ ଆକ୍ରୋଶ । ସର୍ଭେ ବିରୋଧରେ ରବିବାର ସକାଳେ ଆରମ୍ଭ ହୋଇଥିବା ହିଂସା ସୋମବାର ବି ଜାରି ରହିଛି । ହିଂସାରେ ବର୍ତ୍ତମାନ ସୁଦ୍ଧା ୫ ଜଣଙ୍କ ଜୀବନ ଯାଇଛି । ସେହିପରି ୨୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । 

ସେପଟେ ହିଂସା ପରେ ସମ୍ଭଲ ଏବଂ ଏହାର ଆଖପାଖ ଅଞ୍ଚଳରେ ଇଣ୍ଟରନେଟ୍ ସେବା ବନ୍ଦ ରଖାଯାଇଛି । ସ୍ଥିତିକୁ ଦେଖି ସ୍କୁଲଗୁଡ଼ିକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଡିସେମ୍ବର ୧ ପର୍ଯ୍ୟନ୍ତ ସମ୍ଭଲରେ ବାହାର ଲୋକଙ୍କ ପ୍ରବେଶ ଉପରେ ଲାଗିଛି ପ୍ରତିବନ୍ଧକ । ନିର୍ଦ୍ଦେଶ ଅନୁଯାୟୀ ଜିଲ୍ଲାରେ ବାହାର ଲୋକ, ସାମାଜିକ ସଙ୍ଗଠନ ଏବଂ ଜନ ପ୍ରତିନିଧୀଙ୍କ ପ୍ରବେଶ ବ୍ୟାନ୍‌ କରାଯାଇଛି । 

ସୂଚନା ଥାଉକି, ରବିବାର ହିଂସା ଓ ପଥର ମାଡ଼ ପରେ ଗିରଫ ହୋଇଥିବା ଲୋକଙ୍କ ଘରୁ ମିଳିଛି ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର । ଦୁଇ ମହିଳାଙ୍କ ସମେତ ମୋଟ ୨୧ ଜଣଙ୍କୁ ଅଟକ ରଖାଯାଇଛି। ଅଭିଯୁକ୍ତମାନଙ୍କୁ ସିସିଟିଭି ମାଧ୍ୟମରେ ଚିହ୍ନଟ କରାଯାଉଛି। ଭାରତରେ ମୋଗଲ ସାମ୍ରାଜ୍ୟ ସମୟରେ ମସଜିଦ ନିର୍ମାଣ ପାଇଁ ଏଠାରେ ଥିବା ହିନ୍ଦୁ ମନ୍ଦିରକୁ ଭାଙ୍ଗି ଦିଆଯାଇଥିବା ନେଇ ହିନ୍ଦୁ ଗୋଷ୍ଠୀଙ୍କ ପକ୍ଷରୁ ଅଭିଯୋଗ କରାଯାଇଥିଲା । ତେଣୁ ଏହି ସ୍ଥାନରୁ ମସଜିଦ ଉଚ୍ଛେଦ ପାଇଁ ଦାବି କରିଥିଲେ ହିନ୍ଦୁ ପକ୍ଷ। ଏହି ଆବେଦନର ଶୁଣାଣି କରି କୋର୍ଟ ମସଜିଦରେ ସର୍ଭେ କରିବାକୁ ନିର୍ଦ୍ଦେଶ ଦେଇଥିଲେ। 

କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଗତ ସପ୍ତାହରେ ମସଜିଦର ସର୍ଭେ କରାଯାଇଥିଲା। ରବିବାର ଦ୍ୱିତୀୟ ଥର ପାଇଁ ମସଜିଦର ସର୍ଭେ କରିବାକୁ ଟିମ୍‌ ପହଞ୍ଚିଥିଲା । ହେଲେ ଏହାକୁ ତୀବ୍ର ବିରୋଧ କରିଥିଲେ ସେଠାକାର ଲୋକେ । ପୋଲିସ ଉପରକୁ ଲୋକେ ପଥର ଫିଙ୍ଗିଥିଲେ । ଯାହାର ଜବାବ ଦେବାକୁ ଯାଇ ଲୁହବୁହା ଗ୍ୟାସ ପ୍ରୟୋଗ କରିଥିଲା ପୋଲିସ । ଆଉ ଅଶାନ୍ତ ହୋଇଥିଲା ସ୍ଥିତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.