ବିଧାନସଭାରେ ହାଇଡ୍ରାମା : ପୋଲିସ-ବିଧାୟକ ମୁହାଁମୁହିଁ, ଗେଟ୍‌ ଭାଙ୍ଗି ପଶିଲେ ନେତା

Published By : Prameya-News7 Bureau | March 26, 2025 IST

ଭୁବନେଶ୍ୱର ୨୬।୦୩ : ଗୋଟିଏ ପଟେ ତାତି ବଢୁଛି, ଆଉ ଗୋଟିଏ ପଟେ ରାଜ୍ୟ ରାଜନୀତି ବେଶ୍ ଉଷ୍ମ ରହିଛି । ବିଧାନସଭା ବଜେଟ୍‌ର ୨ୟ ପର୍ଯ୍ୟାୟ କାର୍ଯ୍ୟଦିବସ ଆରମ୍ଭ ହେଲା ଦିନଠାରୁ ଚାଲିଛି ହାଇଡ୍ରାମା । କେତେବେଳେ ବିରୋଧୀଙ୍କ ହୋହାଲ୍ଲାରେ ଗୃହ ମୁଲତବୀ ହେଉଛ ତ ଆଉ କେତେବେଳେ ବିଧାୟକଙ୍କୁ ସସ୍‌ପେଣ୍ଡ ନେଇ ଚାଲିଛି ଧାରଣା । ଏହିକ୍ରମରେ ବୁଧବାର ଦିନ ବିଧାନସଭା ପ୍ରବେଶ ଦ୍ୱାର ସମ୍ମୁଖରେ ଦେଖିବାକୁ ମିଳିଛି ହାଇଡ୍ରାମା । ପୋଲିସ ସହ ବିଜେଡି ଏବଂ କଂଗ୍ରେସ ବିଧାୟକ ଧସ୍ତାଧସ୍ତି ହୋଇଛନ୍ତି । ଏପିରିକି ବିଧାନସଭାର ଗେଟ୍‌ ଭାଙ୍ଗି ବିଧାନସଭା ମଧ୍ୟକୁ ପ୍ରବେଶ କରିଛନ୍ତି ସସ୍‌ପେଣ୍ଡ ବିଧାୟକ । ଆଉ ଆମ୍ବେଦରକରଙ୍କ ପ୍ରତିମୂର୍ତ୍ତି ତଳେ ଧାରଣା ଦେଇଛନ୍ତି। 

ମଙ୍ଗଳବାର ବିଧାନସଭାରୁ କଂଗ୍ରେସର ୧୨ ବିଧାୟକଙ୍କୁ ସସ୍‌ପେଣ୍ଡ କରାଯାଇଥିଲା । ଯାହାକୁ ବିରୋଧ କରି ମାଷ୍ଟରକ୍ୟାଣ୍ଟିନ୍‌ ଛକରେ ରାତିସାରି ଧାରଣାରେ ବସିଥିଲେ କଂଗ୍ରେସ ନେତା ଓ କର୍ମୀ । ତେବେ ବୁଧବାର ବିଧାନସଭା କାର୍ଯ୍ୟ ଦିବସ ଆରମ୍ଭ ହେବା ମାତ୍ରେ ନିଲମ୍ବିତ ବିଧାୟକମାନେ ବିଧାନସଭା ମଧ୍ୟକୁ ପ୍ରବେଶ କରିବାକୁ ଉଦ୍ୟମ କରିଥିଲେ । ଯାହାକୁ ଅଟକାଇଥିଲେ ପୋଲିସ । ହେଲେ କଂଗ୍ରେସ ନେତାମାନେ କୌଣସି କଥାକୁ ମାନିନଥିଲେ । ଶେଷରେ ପୋଲିସ ସହ ଧସ୍ତାଧସ୍ତି ହୋଇଥିଲେ । ଠିକ୍‌ ଏହି ସମୟରେ ବିଜେଡ଼ି ବିଧାୟକମାନେ ଗେଟ୍‌ ଭାଙ୍ଗି ବାହାରକୁ ଆସିଥିଲେ, ଆଉ କଂଗ୍ରେସ ବିଧାୟକମାନଙ୍କୁ ବିଧାନସଭା ପରିସରକୁ ନେଇଥିଲେ । ସେଠାରେ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ତଳେ ଧାରଣା ଦେଇଥିଲେ । 

ଅନ୍ୟପଟେ ନିଜ ଦଳର ବିଧାୟକମାନଙ୍କ ପ୍ରତି ହେଉଥିବା ଅନ୍ୟାୟକୁ ବିରୋଧ କରି ବିଧାନସଭା ସମ୍ମୁଖରେ କଂଗ୍ରେସ ନେତା ଓ କର୍ମୀମାନେ ଧାରଣାରେ ବସିଥିଲେ । ହେଲେ ପୋଲିସ ପହଞ୍ଚି ସମସ୍ତଙ୍କୁ ଗିରଫ କରି ହେପାଜତକୁ ନେଇଛି । ବୁଧବାର ବିଧାନସଭା ପରିସରରେ ଏକପ୍ରକାର ଅଭାବନୀୟ ପରିସ୍ଥିତି ଦେଖାଦେଇଥିଲା । ଯାହାକୁ ନେଇ ଅନେକ କଂଗ୍ରେସ ନେତା କହିଛନ୍ତି ଯେ, ନିର୍ବାଚିତ ବିଧାୟକମାନଙ୍କର ସ୍ୱରକୁ ରାଜ୍ୟ ସରକାର ଚାପିବାକୁ ଉଦ୍ୟମ କରୁଛନ୍ତି । ଯାହାର ଜବାବ ଆଗାମୀ ଦିନରେ ଜନତା ଦେବେ ।  

  • prameyanews7
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.