ନୂଆଦିଲ୍ଲୀ ୧୮/୦୪: ନେପାଳରେ ତରଳିବ, ଭାରତରେ ପ୍ରଭାବ ଦେଖାଦେବ । ଘୋଟି ଆସିବ ବଡ ବିପର୍ଯ୍ୟୟ । ଦ୍ରୁତ ଗତିରେ ତରଳିବାରେ ଲାଗିଛି ଏଭେରେଷ୍ଟର ସବୁଠୁ ଉଚ୍ଚତମ ଗ୍ଲାସିୟର । ୧୯୯୦ ପରଠାରୁ ୫୪ ମିଟରରୁ ଅଧିକ ସଙ୍କୁଚିତ ହୋଇଛି । ICIMOD କ୍ରାୟୋସ୍ଫିଅର୍ ବିଶେଷଜ୍ଞ ଶରଦ ଜୋଶୀଙ୍କ ବୟାନ ପରେ ଆଶଙ୍କା ।
ହିମାଳୟ ଗ୍ଲାସିୟର ତରଳିବା ଦ୍ଵାରା ଭୟଙ୍କର ବନ୍ୟା ଆଶଙ୍କା ବୃଦ୍ଧି ପାଇଛି । ପାଖାପାଖି ୨ ବିଲିୟନ ଲୋକଙ୍କ ପାଇଁ ମଧୁର ଜଳ ସମ୍ପଦ ହ୍ରାସ ସମ୍ଭାବନା ଅଧିକ । ଭାରତ ଓ ନେପାଳ ଭଳି ଦେଶରେ ଜଳବାୟୁ ଅନୁକୂଳର ଚ୍ୟାଲେଞ୍ଜଗୁଡ଼ିକ ଅଧିକ ରହିବ । ହିମମଣ୍ଡଳ ତରଳିବା ଫଳରେ ନଦୀଗୁଡ଼ିକରେ ଦେଖାଦେବ ପାଣିର ଅଭାବ ।
୮ ଦେଶ ଉପରେ ବ୍ୟାପ୍ତ ହିନ୍ଦୁକୁଶ ହିମାଳୟ ଅଞ୍ଚଳ । ବର୍ଦ୍ଧିତ ବିଶ୍ୱ ତାପମାତ୍ରା ଓ ସ୍ଥାନୀୟ ପାଗ ପରିସ୍ଥିତି ହେତୁ ତରଳିବାରେ ଲାଗିଛି ହିମମଣ୍ଡଳ । ବର୍ଷାର ଶୈଳୀରେ ବି ପରିବର୍ତ୍ତନ ହେଉଛି। ଖାସ୍ କରି ଉଚ୍ଚତମ ଅଞ୍ଚଳରେ ମଧ୍ୟ ବର୍ଷା ଅଧିକ ଓ ତୁଷାରପାତ କମ୍ ହୁଏ। ICIMOD ଅଧ୍ୟୟନ ଅନୁଯାୟୀ, ୨୦୧୧ ରୁ ୨୦୨୦ରେ, ହିନ୍ଦୁକୁଶ ହିମାଳୟର ପ୍ରାୟ ୫୬,୦୦୦ ଗ୍ଲାସିୟର ପୂର୍ବ ଦଶନ୍ଧି ତୁଳନାରେ ୬୫% ଦ୍ରୁତ ଗତିରେ ତରଳିଛି ।
ଏହି ଶତାବ୍ଦୀ ଶେଷ ସୁଦ୍ଧା ସେମାନେ ସେମାନଙ୍କର ଆୟତନର ୮୦% ପର୍ଯ୍ୟନ୍ତ ହରାଇପାରନ୍ତି । ନେପାଳର ଲାଙ୍ଗଟାଙ୍ଗ ଉପତ୍ୟକାରେ ଅବସ୍ଥିତ, ୟାଲା ହିମମଣ୍ଡଳ ଦେଶର ସବୁଠାରୁ ଅଧିକ ଅଧ୍ୟୟନ ହୋଇଥିବା ହିମମଣ୍ଡଳ ମଧ୍ୟରୁ ଗୋଟିଏ ।
ICIMOD ଦ୍ୱାରା ନିରୀକ୍ଷଣ କରାଯାଇଥିବା ଗ୍ଲାସିୟର ମଧ୍ୟରୁ ଗୋଟିଏ। ଏକମାତ୍ର ହିମାଳୟ ଯାହାକୁ ଗ୍ଲୋବାଲ୍ ଗ୍ଲାସିୟର୍ କାଜୁଆଲ୍ଟି ଲିଷ୍ଟରେ ଅନ୍ତର୍ଭୁକ୍ତ କରାଯାଇଛି । ୧୯୭୪ ରୁ ୨୦୨୧ ମଧ୍ୟରେ, ୟାଲା ଗ୍ଲାସିୟରର କ୍ଷେତ୍ରଫଳ ଏକ ତୃତୀୟାଂଶରୁ ଅଧିକ ହୋଇଥିଲା ସଙ୍କୁଚିତ । ଏହି ହିମମଣ୍ଡଳ ଆଗାମୀ ୨୦ରୁ ୨୫ବର୍ଷ ମଧ୍ୟରେ ହୋଇଯାଇପାରେ ଅଦୃଶ୍ୟ । ଶରଦ ଜୋଶୀଙ୍କ କହିବା କଥା ମୁଁ ପ୍ରତ୍ୟେକ ଥର ଗ୍ଲାସିୟର ପରିଦର୍ଶନ କରେ । ଏହାର ବିଶାଳ କ୍ଷତି ଦେଖି ମୁଁ ଗଭୀର ଭାବେ ଦୁଃଖୀ । ତେବେ ଆଶ୍ଚର୍ଯ୍ୟର କଥା ନେପାଳରେ ହିମବାହ ତରଳିବା ବିଶ୍ୱ ସ୍ତରରେ ପକାଇପାରେ ପ୍ରଭାବ ।
କହିବାକୁ ଗଲେ ଗ୍ଲାସିୟର ପଛକୁ ଖସିବା ଦ୍ୱାରା ପ୍ରୋଗ୍ଲେସିଆଲ୍ ହ୍ରଦ ସୃଷ୍ଟି ହୁଏ । ଆଉ ହ୍ରଦଗୁଡ଼ିକୁ ଘେରି ରହିଛନ୍ତି ବରଫ ଦ୍ୱାରା ନିର୍ମିତ ପ୍ରାକୃତିକ ବନ୍ଧ ମୋରେନ୍ । ଭୂସ୍ଖଳନ, ଭୂମିକମ୍ପରେ ବନ୍ଧଗୁଡ଼ିକ ହଠାତ୍ ଭାଙ୍ଗିଗଲେ ସୃଷ୍ଟି ହୋଇଥାଏ ବନ୍ୟା । ଆଉ ଏହି ବନ୍ୟା ହେତୁ ନିମିଷକେ ଛାର୍ ଖାର୍ ହୋଇଯିବ ରାସ୍ତା ଘାଟ ସହ ଜଳବିଦ୍ୟୁତ ପ୍ଲାଣ୍ଟ । ଏମିତିକି ଅନ୍ୟାନ୍ୟ ଭିତ୍ତିଭୂମି ଉପରେ ଭୟଙ୍କର ପ୍ରଭାବ ପକାଇବ। ଯାହାର ସିଧାସଳଖ ଇଫେକ୍ଟ ପଡିବ ଭାରତ ଉପରେ । ଅକ୍ଟୋବର ୨୦୨୩ରେ ସିକିମ ଘଟଣା ଏହାର ଜ୍ୱଳନ୍ତ ଉଦାହରଣ । ଭୂସ୍ଖଳନ ପରେ ବନ୍ୟାରେ ହୋଇଥିଲା ବ୍ୟାପକ କ୍ଷୟକ୍ଷତି ।