କର୍ପୋରେଟ୍‌ ପର୍ଫମାନ୍ସ ରିଭ୍ୟୁରେ ହେଲ୍‌ଥ ଗୋଲ୍‌କୁ ସାମିଲ୍; ଫିଟନେସ୍ ଦେଖି ଦରମା ବଢ଼ାଉଛନ୍ତି କମ୍ପାନୀ

Published By : Prameya-News7 Bureau | September 16, 2024 IST

ନୂଆଦିଲ୍ଲୀ: ଭାରତୀୟ କର୍ପୋରେଟ୍ ଜଗତରେ ନୂଆ ଅଭିଯାନ । ଏବେ କର୍ମଚାରୀଙ୍କ ସ୍ୱାସ୍ଥ୍ୟ ଏବଂ ୱେଲ୍‌ନେସ ଉପରେ ଯଥେଷ୍ଟ ପ୍ରାଧାନ୍ୟ ଦିଆଯାଉଛି । ପଦନ୍ନୋତ୍ତି ଏବଂ ଆପ୍ରାଇଜାଲ ବେଳେ କର୍ମଚାରୀଙ୍କ ଫିଟ୍‌ନେସ୍‌କୁ ପରଖା ଯାଉଛି । ଯଦି କର୍ମଚାରୀମାନେ କମ୍ପାନି ଦ୍ୱାରା ଧାର୍ଯ୍ୟ ସ୍ୱାସ୍ଥ୍ୟ ଲକ୍ଷ୍ୟକୁ ପୂରଣ କରୁଛନ୍ତି, ସେହି ହିସାବରେ ସେମାନଙ୍କର ଦରମା ବଢ଼ାଉଛନ୍ତି କର୍ପୋରେଟ୍ କମ୍ପାନି । ଚଳିତ ବର୍ଷର ଆପ୍ରାଇଜାଲ ପ୍ରକ୍ରିୟା ବା ପର୍ଫମାନ୍ସ ରିଭ୍ୟୁରେ ସ୍ୱାସ୍ଥ୍ୟ ଲକ୍ଷ୍ୟକୁ ମିଶାଇଛନ୍ତି ଅନେକ କମ୍ପାନି । ଡସ୍‌ ବ୍ୟାଙ୍କ, ଆଦିତ୍ୟ ବିର୍ଲା ହେଲ୍‌ଥ ଇନ୍‌ସ୍ୟୁରାନ୍ସ ଏବଂ ଫିଲିପ୍ସ ଭଳି କମ୍ପାନିଗୁଡ଼ିକ କର୍ମଚାରୀଙ୍କ ପର୍ଫମାନ୍ସ ରିଭ୍ୟୁରେ ସେମାନଙ୍କ ହେଲ୍‌ଥ ଗୋଲ୍‌କୁ ଅନ୍ତର୍ଭୁକ୍ତ କରିଥିବା ନେଇ ଜଣାପଡ଼ିଛି । 

ଶାରୀରିକ ଏବଂ ମାନସିକ ଭାବେ ଯିଏ ଯେତେ ଫିଟ୍‌ ତାହା ଉପରେ ନିର୍ଭର କରିବ ଦରମା ବୃଦ୍ଧି । ଅନ୍‌ସାଇଟ୍‌ ଡାଏଟ୍‌ କନ୍‌ସଲ୍‌ଟାଣ୍ଟ, ୱେଲ୍‌ନେସ ସେସନ୍‌, ହାର୍ଟ ହେଲ୍‌ଥ ଆସେସ୍‌ମେଣ୍ଟ ଏବଂ ହେଲ୍‌ଥ ମେଟ୍ରିକ୍ସଗୁଡ଼ିକର ଟ୍ରାକିଂ ଆଦି ଅଭିଯାନ ଆରମ୍ଭ କରାଯାଇଛି । କର୍ମଚାରୀ ଯେତିକି ଫିଟ୍‌ ରହିବେ ଦରମା ଉକ୍ତ ଅନୁସାରେ ବଢ଼ିବ । ଭଲ ଦରମା ବୃଦ୍ଧି ପାଇଁ କର୍ମଚାରୀଙ୍କୁ ସେମାନଙ୍କ ହେଲ୍‌ଥ ଗୋଲ୍‌କୁ ହାସଲ କରିବାକୁ ପଡ଼ିବ । ହେଲ୍‌ଥ ଏବଂ ୱେଲ୍‌ନେସ ଅଭିଯାନ ଆଣିବାର ପ୍ରମୁଖ ଉଦ୍ଦେଶ୍ୟ ହେଉଛି କର୍ମଚାରୀଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆଣିବା ପାଇଁ ସହଯୋଗ କରିବା, ଉତ୍ପାଦକତା ବୃଦ୍ଧି ଏବଂ ଅନୁପସ୍ଥିତି ହାର କମାଇବା । ପେସାରେ ସଫଳତା ପାଇଁ ସ୍ୱାସ୍ଥ୍ୟ ଏବଂ ୱେଲ୍‌ନେସ ଉପରେ କମ୍ପାନିଗୁଡ଼ିକ ଫୋକସ୍ କରୁଛନ୍ତି । 

ଡସ୍‌ ବ୍ୟାଙ୍କ, ଆଦିତ୍ୟ ବିର୍ଲା ହେଲ୍‌ଥ ଇନ୍‌ସ୍ୟୁରାନ୍ସ, ଅପ୍‌ଗ୍ରାଡ, ଫିଲିପ୍ସ, ଥେଲ୍‌ସ ଏବଂ ମିଶୋ ଭଳି କମ୍ପାନି ପର୍ଫମାନ୍ସ ରିଭ୍ୟୁରେ ହେଲ୍‌ଥ ଗୋଲ୍‌କୁ ଅନ୍ତର୍ଭୁକ୍ତ କରିଛନ୍ତି । କମ୍ପାନିଗୁଡ଼ିକ ମଧ୍ୟ କର୍ମଚାରୀଙ୍କୁ ଅନ୍‌ସାଇଟ୍‌ ଡାଏଟ୍‌ ଏବଂ ନ୍ୟୁଟ୍ରିସନ କନ୍‌ସଲ୍‌ଟାଣ୍ଟଙ୍କ ସୁବିଧା ପ୍ରଦାନ କରୁଛନ୍ତି । ପରିବର୍ଦ୍ଧିତ ମାନସିକ ସନ୍ତୁଳନ ପାଇଁ ୱେଲ୍‌ନେସ ସେସନ୍‌ମାନ କରୁଛନ୍ତି । ହାର୍ଟ ହେଲ୍‌ଥକୁ ପରୀକ୍ଷା କରିବା ସହ ଗୋପନୀୟତାର ପାଳନ କରି କର୍ମଚାରୀଙ୍କ ହେଲ୍‌ଥ ମେଟ୍ରିକ୍ସଗୁଡ଼ିକୁ ଟ୍ରାକ୍‌ କରୁଛନ୍ତି । 

ଚଳିତ ଆପ୍ରାଇଜାଲ ସେସନ୍‌ରୁ ହିଁ ଆଦିତ୍ୟ ବିର୍ଲା ହେଲ୍‌ଥ ଇନ୍‌ସ୍ୟୁରାନ୍ସ ଏ ବ୍ୟବସ୍ଥା କାର୍ଯ୍ୟକାରୀ କରାଇଛି । ୨୦୨୪-୨୫ ଆର୍ଥିକବର୍ଷରୁ ସମସ୍ତ କର୍ମଚାରୀଙ୍କୁ ସେମାନଙ୍କ ପ୍ରମୁଖ ରେଜଲ୍ଟ ଏରିଆରେ ଅନ୍ୟୁନ ଗୋଟିଏ ହେଲ୍‌ଥ ଗୋଲ୍‌କୁ ହାସଲ କରିବାକୁ ପଡ଼ିବ । ଆଦିତ୍ୟ ବିର୍ଲା ହେଲ୍‌ଥ ଇନ୍‌ସ୍ୟୁରାନ୍ସର ସିଇଓ ମୟାଙ୍କ ବାଥୱାଲ କହିଛନ୍ତି ଯେ, ବାର୍ଷିକ ପର୍ଫମାନ୍ସ ରିଭ୍ୟୁରେ ହେଲ୍‌ଥ ଗୋଲ୍‌ଗୁଡ଼ିକର ଯୋଗଦାନ ୧୦% ପର୍ଯ୍ୟନ୍ତ ରହିବ । ଏହି ହେଲ୍‌ଥ ଗୋଲ୍‌ଗୁଡ଼ିକ ମଧ୍ୟରେ ରହିଛି ଓଜନ ହ୍ରାସ, ନିୟମିତ ବ୍ୟାୟାମ, ଯୋଗ, ଉନ୍ନତ ପୋଷଣ, ଉତ୍ତମ ନିଦ୍ରା ପରିଚାଳନା ଏବଂ ଧୁମ୍ରପାନ ଭଳି ଅସ୍ୱାସ୍ଥ୍ୟକର ଅଭ୍ୟାସର ପରିତ୍ୟାଗ । ବ୍ୟାପକ ପରୀକ୍ଷା ଏବଂ ଡିଜିଟାଲ ମୂଲ୍ୟାଙ୍କନ ଜରିଆରେ କର୍ମଚାରୀଙ୍କ ହେଲ୍‌ଥ ମେଟ୍ରିକ୍ସଗୁଡ଼ିକୁ ଟ୍ରାକ୍‌ କରାଯିବ । ଏହି ଅଭିଯାନ ଅଧୀନରେ କର୍ମଚାରୀଙ୍କ ସ୍ୱାସ୍ଥ୍ୟର ଅଗ୍ରଗତିକୁ ନେଇ ମ୍ୟାନେଜରମାନେ ନିୟମିତ ଭାବେ ଟିମ୍‌ ସଦସ୍ୟଙ୍କ ସହ ଆଲୋଚନା କରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.