କିଏ ଏହି ରହସ୍ୟମୟୀ,ଟେଲିଗ୍ରାମ ମାଲିକଙ୍କୁ ଫସାଇଲେ

Published By : Prameya-News7 Bureau | August 27, 2024 IST

ନୂଆଦିଲ୍ଲୀ ୨୭/୮: ଟେଲିଗ୍ରାମ ସିଇଓ ପାଭେଲ ଡୁରୋଭଙ୍କ ଗିରଫକୁ ନେଇ ବଢୁଛି ଚର୍ଚ୍ଚା । ତାଙ୍କ ଗିରଫ ପଛରେ ଜଣେ ରହସ୍ୟମୟୀଙ୍କୁ ଦାୟୀ କରାଯାଉଛି । ସୋସିଆଲ ମିଡିଆରେ ତାଙ୍କୁ  ଜଣେ ମୋସାଦ ଏଜେଣ୍ଟ ବା ପାଭେଲଙ୍କ ପ୍ରେମିକା ବୋଲି କୁହାଯାଉଛି । ତେବେ କିଏ ଏହି ରହସ୍ୟମୟୀ ମହିଳା ? ଯିଏକି ନିଜକୁ ଜଣେ ଦୁବାଇର ଏକ କ୍ରିପ୍ଟୋ କୋଚ୍‌ ଆଉ ଷ୍ଟ୍ରିମର ବୋଲି କହୁଛନ୍ତି । ପାଭେଲଙ୍କ ସହ ଦୁବାଇ ସୁନ୍ଦରୀକୁ ବାନ୍ଧିବା ପରେ ସତ ଜାଣିବାକୁ ତନାଘନା କରୁଛି ଫ୍ରାନ୍ସ ପୋଲିସ । 

ପାଭେଲଙ୍କ ଗିରଫ ପଛରେ ସୁନ୍ଦରୀ ଜୁଲି 

ଫେମସ ମେସେଜିଂ ଆପ୍‌ ଟେଲିଗ୍ରାମର ସିଇଓ ପାଭେଲଙ୍କୁ ଶନିବାର ଗିରଫ କରିଥିଲା ପୋଲିସ । ଫ୍ରାନ୍ସ ରାଜଧାନୀ ପ୍ୟାରିସର ବୋର୍ଜେଟ ବିମାନବନ୍ଦରରୁ ଉଠାଇ ନେଇଥିଲା ପୋଲିସ । ତେବେ ସବୁଠୁ ବଡ କଥା ହେଉଛି ଗିରଫ ସମୟରେ ପାଭେଲ ଏକା ନଥିଲେ । ରିପୋର୍ଟ ମୁତାବକ ତାଙ୍କ ସହ ଏକ ସୁନ୍ଦରୀ ମହିଳା ଥିଲେ । ଯିଏ ତାଙ୍କ ପ୍ରେମିକା ବୋଲି କୁହାଯାଉଛି । ପାଭେଲଙ୍କ ସହ ସୁନ୍ଦରୀଙ୍କୁ ମଧ୍ୟ ବାନ୍ଧିଛି ପୋଲିସ । ଜୁଲି ବବିଲୋଭା ନାଁରେ ଜଣାଶୁଣା ଏହି ମହିଳା ପାଭେଲଙ୍କ ଗିରଫ ପଛର କାରଣ ହୋଇପାରନ୍ତି । ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି କିଛି ଦିନ ଧରି ସୁନ୍ଦରୀ ଜୁଲିଙ୍କ ଉପରେ କଡା ନଜର ରଖିଥିଲା ପୋଲିସ । ଆଉ ତାଙ୍କରି ଜରିଆରେ ପାଭେଲଙ୍କ ପାଖକୁ ପୋଲିସ ପହଞ୍ଚିଥିବା କୁହାଯାଉଛି । ଏକଥା ବି ଶୁଣାଯାଉଛି କି ପୋଲିସକୁ ଆଣିବା ପଛରେ ଜୁଲିଙ୍କର ପୁରା ପ୍ଲାନ କାମ କରିଛି ।  

କିଏ ଏହି ରହସ୍ୟମୟୀ

୨୪ ବର୍ଷୀୟ ସୁନ୍ଦରୀ ଜୁଲି ବବିଲୋଭା । ଦୁବାଇର ଜଣେ କ୍ରିପ୍ଟୋ କୋଚ୍‌ ତଥା ଷ୍ଟ୍ରିମର । ଇନଷ୍ଟାଗ୍ରାମରେ ଏହି ଦୁବାଇ ସୁନ୍ଦରୀଙ୍କ ୨୦ ହଜାରରୁ ଅଧିକ ଫଲୋଅର୍ସ ଅଛନ୍ତି । ଇଂରାଜୀ,ରୁଷ, ସ୍ପାନିଶ ଆଉ ଆରବି ଏମିତି ୪ଟି ଭାଷାରେ ବେଶ ପାରଙ୍ଗମ ଜୁଲି । ସବୁଠାରୁ ମଜାଦାର କଥା ହେଉଛି ପାଭେଲଙ୍କ ସହ ତାଙ୍କୁ କାଜାକିସ୍ତାନ,କିର୍ଗିସ୍ତାନ ପରି ଜାଗାରେ ଏକାଠି ଦେଖିବାକୁ ମିଳିଛି । ଯାହାର ଫଟୋ ଇନଷ୍ଟାଗ୍ରାମ ଷ୍ଟୋରିଜ ଓ ହାଇଲାଇଟରେ ଛାଇ ହୋଇଯାଇଛି । 

ଜୁଲି କଣ ମୋସାଦ ଏଜେଣ୍ଟ ? 

ଫ୍ରାନ୍ସରୁ ଗିରଫ ହେବାର ଠିକ  ପୂର୍ବରୁ ପାଭେଲ ଓ ଜୁଲି ପ୍ରାଇଭେଟ୍‌ ଜେଟ୍‌ରେ ପ୍ୟାରିସ ପହଞ୍ଚିଥିଲେ ।  ଉଭୟ ବେଶ ଘନିଷ୍ଠ ଥିବାବେଳେ ସଂପର୍କର ପ୍ରକୃତ ସତ ଅସ୍ପଷ୍ଟ ରହିଛି ।   ତେବେ ଏକାଠି ଉଭୟ ବିଭିନ୍ନ ସ୍ଥାନରେ ନଜର ଆସିବା ସଂପର୍କର ଗଭୀରତାକୁ ସ୍ପଷ୍ଟ କରୁଛି । ପ୍ୟାରିସରେ ପାଭେଲଙ୍କ ସହ ଫଟୋ ପୋଷ୍ଟ କରିବାର କାରଣ କଣ ହୋଇପାରେ । ହୁଏତ ସେ ଅଜାଣତରେ ପୋଷ୍ଟ କରିଛନ୍ତି ନଚେତ ଜାଣିଶୁଣି ପୋଲିସକୁ ତାଙ୍କ ପାଖରେ ପହଞ୍ଚିବାକୁ ଏପରି ପ୍ଲାନ କରିଥାଇପାରନ୍ତି ବୋଲି ସନ୍ଦେହ ହେଉଛି । ପାଭେଲଙ୍କ ଗିରଫ ପଛରେ ହନିଟ୍ରାଫ ଠାରୁ ଆରମ୍ଭ କରି ମୋସାଦ ଏଜେଣ୍ଟ ପର୍ଯ୍ୟନ୍ତ ଅନେକ କଥା ସାମ୍ନାକୁ ଆସୁଛି । 

କାହିଁକି ଗିରଫ ହେଲେ ପାଭେଲ ?

ପାଭେଲଙ୍କ ନାଁରେ ପୂର୍ବରୁ ଫ୍ରାନ୍ସ ଗିରଫ ୱାରେଣ୍ଟ ଜାରି କରିଥିଲା । ଟେଲିଗ୍ରାମ ଦ୍ବାରା ସେ ଅପରାଧିକ ଗତିବିଧି ଚଳାଉଥିବା ଅଭିଯୋଗ ହୋଇଥିଲା । ଫ୍ରାନ୍ସ ପୋଲିସ କହିଛି ପାଭେଲଙ୍କ ମେସେଜିଂ ଆପ୍‌ ଟେଲିଗ୍ରାମରେ ମୋଡରେଟର ଅଭାବ ରହିଛି । ଏହି କାରଣରୁ ଆପ୍‌ ଅପରାଧିକ କାର୍ଯ୍ୟକଳାପକୁ ପ୍ରୋତ୍ସାହିତ କରୁଛି । ଫ୍ରାନ୍ସ ଏଜେନ୍ସିଂ OFMIN ଦେଶରେ ନାବାଳିକାଙ୍କ ପ୍ରତି ହେଉଥିବା ହିଂସାକୁ ରୋକିବା ପାଇଁ କାମ କାରିଥାଏ । ଠକେଇ,ଡ୍ରଗ୍ସ ଚୋରା ଚାଲାଣ,ସାଇବର ଅପରାଧ ଓ ଆତଙ୍କବାଦକୁ ପ୍ରୋତ୍ସାହିତ କରିବା ପାଇଁ ଏହି ଏଜେନ୍ସିଂ ପାଭେଲଙ୍କ ବିରୋଧରେ ଗିରଫ ପରୱାନା ଜାରି କରିଥିଲା । ପାଭେଲ ତାଙ୍କ ସୋସିଆଲ ନେଟୱାର୍କିଂ ପ୍ଲାଟଫର୍ମ ଟେଲିଗ୍ରାମର ଅପରାଧିକ ବ୍ୟବହାର ରୋକିବାରେ ବିଫଳ ହୋଇଥିବାରୁ ତାଙ୍କୁ ପ୍ୟାରିସ ପୋଲିସ ଗିରଫ କରିଛି । 

ଟେଲିଗ୍ରାମ୍‌ କଣ ?

ଟେଲିଗ୍ରାମ ଏକ ମାଗଣା ସୋସିଆଲ ନେଟୱାର୍କିଂ ଆପ୍‌ । ଯାହାକୁ ବିଶ୍ବର କୋଟି କୋଟି ଲୋକ ବ୍ୟବହାର କରନ୍ତି । ଫେସ୍‌ବୁକ୍‌,ୟୁଟ୍ୟୁବ,ହ୍ବାଟସ୍‌ ଆପ୍‌,ଇନଷ୍ଟାଗ୍ରାମ ଭଳି ଟେଲିଗ୍ରାମର ଡିମାଣ୍ଡ ଢେର । ଏହି ଆପ୍‌ରେ ବର୍ତ୍ତମାନ ୯ଶହ ମିଲିୟନ ଆକ୍ଟିଭ ୟୁଜର୍ସ ଅଛନ୍ତି । ଦୁବାଇରେ ଟେଲିଗ୍ରାମର ହେଡ ଅଫିସ ରହିଛି । 

ଭାରତରେ ବ୍ୟାନ୍‌ ହୋଇଯିବ କି ? 

 ଭାରତରେ ବ୍ୟାନ୍‌ ହୋଇଯିବ କି ଟେଲିଗ୍ରାମ ଦେଶରେ ଚାଲିଛି ଏଭଳି ଜୋରଦାର ଚର୍ଚ୍ଚା । ପ୍ୟାରିସ ବୋର୍ଜେଟ ଏୟାରପୋର୍ଟରୁ ସିଇଓ ପାଭେଲ ଗିରଫ ପରେ ଏମିତି କିଛି ଆଶଙ୍କା କରାଯାଉଛି । ଡାଟା ଚୋରି  କିମ୍ବା ଜୁଆ କାରବାରରେ ଏହି ମେସେଜିଂ ଆପ୍‌ ସଂପୃକ୍ତ ଥିବା ନେଇ ସଂଗୀନ ଅଭିଯୋଗ ଆସିଛି ।  ଏହି ଆପ୍‌ରେ ଅପରାଧିକ କଣ୍ଟେଣ୍ଟ ଅଧିକ ମାତ୍ରାରେ ପ୍ରସାର ହେଉଥିବାର ମଧ୍ୟ କୁହାଯାଉଛି । ସଂଗୀନ ଅଭିଯୋଗର ଯାଞ୍ଚ କରୁଛନ୍ତି ଭାରତ ସରକାର । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.