ଉତ୍ତରପ୍ରଦେଶ ୦୩/୦୪: ଥରେ ବାହାଘର ହୋଇଗଲେ ଝିଅଟି ବୋହୂ ହୋଇଯାଏ । ବୈବାହିକ ଜୀବନ ପରର ଦାୟିତ୍ବ ଅନେକ ବଢିଯାଏ। ପ୍ରାୟ ସମସ୍ତେ ଭାବିନିଅନ୍ତି କି ଏବେ ଗୃହସ୍ଥି ଜୀବନରେ ଜଞ୍ଜାଳ ଭିତରେ ଚାପି ହୋଇ ରହିଯିବ ଆମ ସ୍ବପ୍ନ । ହେଲେ ଏହା ସତ ନୁହେଁ । ମନରେ କିଛି କରି ଦେଖାଇବାର ଜିଦ୍,କଠୋର ପରିଶ୍ରମ ସହ ଜୀବନ ସାଥୀଙ୍କ ସାଥ୍ ମିଳିଲେ ଅସମ୍ଭବ ଲାଗୁଥିବା କାମ ସମ୍ଭବ ହୋଇଥାଏ । ଏମିତି ହିଁ କିଛି କରି ଦେଖାଇଛନ୍ତି ଉତ୍ତରପ୍ରଦେଶର ଝିଅ କାଜଲ ଜାୱଲା । ଆସନ୍ତୁ ଜାଣିବା କାଜଲଙ୍କ ସଂଘର୍ଷ ଓ ସଫଳତାର କାହାଣୀ । କେମିତି ସେ ବୈବାହିକ ଜୀବନ-ଚାକିରି ଭିତରେ ବାଲାନ୍ସ କରି ୟୁପିଏସ୍ସି ପାଇଁ ପ୍ରସ୍ତୁତି କଲେ ଆଉ ବନିଗଲେ ଆଇଏଏସ୍ ଅଧିକାରୀ । ଆସନ୍ତୁ ଜାଣିବା ଆଇଏଏସ୍ କାଜଲଙ୍କ ସଂଘର୍ଷ ଓ ସଫଳତାର କାହାଣୀ ।
ଫିଲ୍ମ ସୂର୍ଯ୍ୟବଂଶମ ସହ ମିଶୁଥିବା ଏ କାହାଣୀ ଉତ୍ତରପ୍ରଦେଶ ସାମଲିରେ ରହୁଥିବା ଆଇଏଏସ୍ କାଜଲ ଜାୱଲାଙ୍କର । ମଥୁରାରୁ ଇଲେକ୍ଟ୍ରୋନିକ କମୁନିକେଶନରେ ବିଟେକ ପୁରା କରିବା ପରେ ସେ ୱିପ୍ରୋରେ ଚାକିରି ମିଳିଯାଇଥିଲା । ୨୩ ଲକ୍ଷ ଟଙ୍କା ପ୍ୟାକେଜରେ ଥିଲେ କାଜଲ ।
ପ୍ରଥମରୁ କାଜଲ ଚିକିତ୍ସକ ହେବାକୁ ଚାହୁଁଥିଲେ । ହେଲେ ଏହା ସମ୍ଭବ ହୋଇନଥିଲା । ପରେ ସିଭିଲ ସର୍ଭିସ ପରୀକ୍ଷା ଦେବାକୁ ସ୍ବପ୍ନ ଦେଖିଥିଲେ କାଜଲ । ୨୦୧୨ରେ ସେ ପ୍ରଥମେ UPSC ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ । ପ୍ରଥମ ପ୍ରୟାସ ତାଙ୍କର ବିଫଳ ହୋଇଥିଲା । ପରେ ୨୦୧୪ ଓ ୨୦୧୬ରେ ବି ତାଙ୍କୁ ସଫଳତା ମିଳିନଥିଲା ।
ଏସବୁ ଭିତରେ ୨୦୧୬ରେ କାଜଲଙ୍କ ବିବାହ ରୋହତକର ଆଶିଷ ମଲ୍ଲିକଙ୍କ ସହ ହୋଇଥିଲା । ଆଶିଷ ଦିଲ୍ଲୀରେ ଆମେରିକା ଦୂତାବାସରେ କାର୍ୟ୍ୟ କରନ୍ତି । ବାହାଘର ପରେ କାଜଲଙ୍କ ଜୀବନ ଆହୁରି ସହଜ ହୋଇଯାଇଥିଲା ।
ଆଶିଷ ତାଙ୍କୁ ଲକ୍ଷ୍ୟ ପଥରେ ଆଗକୁ ଯିବାକୁ ସହଯୋଗର ହାତ ବଢାଇଥିଲେ । ଏହା ପରେ କାଜଲ ଚାକିରି ଓ ବୈବାହିକ ଜୀବନ ମଧ୍ୟରେ ବାଲାନ୍ସ ରଖି ୟୁପିଏସ୍ସି ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଥିଲେ । କାଜଲଙ୍କ ସବୁ ପରିସ୍ଥିତିରେ ସାଥ ଦେଇ ଆଶିଷ କହିଥିଲେ ତୁମେ କେବଳ ପାଠ ପଢ । ବାକି କାମ ମୁଁ ସମ୍ଭାଳିବି । ବାସ୍ ସ୍ବାମୀଙ୍କ ସହଯୋଗ ପାଇ ଆଗକୁ ମାଡିଯାଇଥିଲେ କାଜଲ । ନିଜର ଚାକିରି ସହ ପାଠପଢା ଜାରି ରଖିଥିଲେ । ଚତୁର୍ଥ ପ୍ରୟାସରେ ଆଇଏଏସ୍ ପରୀକ୍ଷା ପାସ୍ କରିଥିଲେ ।
ସବୁଠୁ ବଡ କଥା ହେଉଛି କାଜଲ ଏତେ ବଡ ସଫଳତା ପାଇଁ କୌଣସି କୋଚିଂ ନେଇନଥିଲେ । ୯ ଘଣ୍ଟାର ଚାକିରି ସହ ବିନା କୋଚିଂରେ ନିଜେ ପଢି ୨୮ ରାଙ୍କ ହାସଲ କରିପାରିଥିଲେ ।
ସଫଳତା ପାଇଁ ସମସ୍ତଙ୍କୁ ଶ୍ରେୟ ଦେଇଥିଲେ ମଧ୍ୟ ସ୍ବାମୀଙ୍କ ସହଯୋଗ ଅଧିକ ଥିବା କହନ୍ତି କାଜଲ । ମୁଁ ଚାକିରିରୁ ଆସିଲା ପରେ ଘର କାମ କରିଥିଲେ ପଢିବା ପାଇଁ ସମୟ ହିଁ ମିଳିନଥାନ୍ତା । ଯଦି ସ୍ବାମୀ ମୋତେ ସପୋର୍ଟ କରିନଥାନ୍ତେ ଆଜି ମୋର ସ୍ବପ୍ନ ପୁରା ହୋଇନଥାନ୍ତା କହନ୍ତି କାଜଲ ।
କାଜଲ ଦେଶ ପାଇଁ ଏମିତି ଏକ ମିଶାଲ ଯାହାଙ୍କର ୟୁପିଏସ୍ସି ସିଭିଲ ସର୍ଭିସ ପରୀକ୍ଷା ପାସ୍ କରିବାର ଦୃଢ ସଂକଳ୍ପ ଲକ୍ଷ ଲକ୍ଷ ପରୀକ୍ଷାର୍ଥୀଙ୍କ ମଧ୍ୟରେ ଜୋସ୍ ଭରି ଦେଇଛି ।