ନୂଆଦିଲ୍ଲୀ ୨୨।୦୧: ପ୍ରୟାଗରାଜରେ ହେଉଛି ମହାକୁମ୍ଭ । ପବିତ୍ର ସ୍ନାନ ପାଇଁ ମହାକୁମ୍ଭରେ ପହଞ୍ଚୁଛନ୍ତି କୋଟି କୋଟି ଭକ୍ତ । ଦେଶର ସମସ୍ତ ଆଖଡ଼ାରୁ ମହାକୁମ୍ଭରେ ପହଞ୍ଚିଛନ୍ତି ଲକ୍ଷ ଲକ୍ଷ ସାଧୁ ବା ବାବା। କିନ୍ତୁ କେଉଁ ବାବା କେଉଁ ଆଖଡାର ହୋଇଥାନ୍ତି ବୋଲି କେମିତି ଜାଣିବେ ତାକୁ ନେଇ ସମସ୍ତଙ୍କ ମନରେ ପ୍ରଶ୍ନ । ଏମାନଙ୍କ ପାଖରେ ସତରେ କଣ ରହିଥାଏ ପ୍ରମାଣପତ୍ର ।
ଆଜ୍ଞା ହଁ, ଆଖଡାର ପକ୍ଷରୁ ବାବାମାନଙ୍କୁ ଦିଆଯାଇଛି ପରିଚୟପତ୍ର। ଯେଉଁଥିରୁ ପ୍ରମାଣିତ ହୁଏ କି ସେ ସେହି ଆଖଡାର ସାଧୁ ବା ବାବା । ବାସ୍ତବରେ ଆଖଡାର ସାଧୁ, ସନ୍ଥ ଏବଂ ବାବାମାନଙ୍କୁ ଚିହ୍ନଟ କରିବା ପାଇଁ ଏକ ସ୍ୱତନ୍ତ୍ର ପ୍ରକ୍ରିୟା ରହିଥାଏ । ଏଥିପାଇଁ ସେମାନଙ୍କୁ ଏକ ପ୍ରକାରର ଆଇକାର୍ଡ କିମ୍ବା ପ୍ରମାଣପତ୍ର ଦିଆଯାଏ। ଯାହା ଆଖଡ଼ା ସହିତ ଯୋଡି ହେବାର ପ୍ରମାଣ ହୋଇଥାଏ । ଭାରତରେ ମୋଟ ୧୩ଟି ପ୍ରମୁଖ ଆଖଡ଼ା ରହିଛି ।
ଶୈବ ଆଖଡ଼ା, ବୈଷ୍ଣବ ଆଖଡ଼ା ଏବଂ ନିର୍ଗୁଣ କିମ୍ବା ଉଦସୀନ ଆଖଡ଼ା ଅଛି। ଶୈବ ଆଖଡ଼ାରେ ଭଗବାନ ଶିବଙ୍କୁ ପୂଜା କରୁଥିବା ସନ୍ଥ ରହିଥାଏ । ସେହିପରି ବୈଷ୍ଣବ ଆଖଡ଼ାର ସନ୍ଥ ଭଗବାନ ବିଷ୍ଣୁଙ୍କ ଉପାସକ ଏବଂ ନିର୍ଗୁଣ କିମ୍ବା ଉଦାସୀନ ଆଖଡ଼ାର ସାଧୁମାନେ କୌଣସି ଗୋଟିଏ ଦେବତାଙ୍କୁ ପୂଜା କରନ୍ତିନି । ସେମାନେ ସବୁ ଦେବାଦେବୀଙ୍କୁ ପୂଜା କରିଥାନ୍ତି ।
ଏହି ସବୁ ଆଖଡାଗୁଡ଼ିକର ସମସ୍ତ ସାଧୁସନ୍ଥଙ୍କର ତାଲିକା ଏବଂ ସେମାନଙ୍କର ରେକର୍ଡ ରହିଛି । ଜଣେ ସାଧୁ ହେବାକୁ ପ୍ରଥମେ ଦୀକ୍ଷା ପ୍ରକ୍ରିୟା ଦେଇ ଯିବାକୁ ପଡିଥାଏ । ଆଉ ଏହି ଆଧାରରେ ଆଖଡାରେ ସାମିଲ କରାଯାଏ । ଏହାପରେ ସାଧୁଙ୍କୁ ଆଖଡାର ପରିଚୟପତ୍ର ଏବଂ ପ୍ରମାଣପତ୍ର ଦିଆଯାଏ। ଏଥିରେ ସାଧୁଙ୍କ ଧାର୍ମିକ ନାଁ, ଗୁରୁଙ୍କ ନାଁ ଏବଂ ଆଖଡ଼ାର ନାଁ ଲେଖାଯାଇଥାଏ ।
କହିରଖୁ କି ଏହି ସବୁ ଆଖଡ଼ାଗୁଡ଼ିକର ନିଜସ୍ୱ ନୀତି ନିୟମ ରହିଛି, ଯାହାକୁ ସାଧୁମାନଙ୍କୁ ପାଳନ କରିବାକୁ ପଡ଼ିଥାଏ ।
ଏମାନଙ୍କର ତଦାରଖ ମହାମଣ୍ଡଳେଶ୍ୱର କରନ୍ତି । ଯିଏକି ଆଖଡ଼ାର ମୁଖ୍ୟ ସାଧୁ ହୋଇଥାନ୍ତି । କେହି ନକଲି ବାବା ହୋଇ ମହାକୁମ୍ଭ କିମ୍ବା କୌଣସି ବଡ଼ ଧାର୍ମିକ କାର୍ଯ୍ୟକ୍ରମରେ ଯୋଗ ନଦେଉ ସେଥିପାଇଁ ମହାମଣ୍ଡଳେଶ୍ବର ଏହାର ତଦାରଖ କରିଥାନ୍ତି । ସେଥିପାଇଁ ଆଖଡାରେ ଆଇଟି କାର୍ଡ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ହୋଇଥାଏ । ତେବେ ପରିଚୟପତ୍ର ମାଧ୍ୟମରେ ମଧ୍ୟ ମିଳିଥାଏ ଅନେକ ସୁବିଧା ।