କିପରି ଓ କିଏ ସ୍ଥିର କରନ୍ତି ସୁନା ଦାମ୍ ? ସ୍ପଟ୍ ମୂଲ୍ୟ କିପରି କରାଯାଏ ନିର୍ଣ୍ଣୟ…

Published By : Prameya-News7 Bureau | September 15, 2024 IST

ନୂଆଦିଲ୍ଲୀ ୧୫।୦୯: ସମସ୍ତେ ନିଶ୍ଚୟ ସୁନା ଜିନିଷ କିଣିବାକୁ ଯାଉଥିବେ । ଦୋକାନକୁ ଯିବା ମାତ୍ରେ ସମସ୍ତେ ପ୍ରଥମେ ଦାମ୍ ପଚାରିଥାନ୍ତି । କେତେବେଳେ ସୁନା ଦର ଖସି ଯାଇଥିବା ବେଳେ କେତେବେଳେ ଚଢ଼ା ଦରରେ ବିକ୍ରି ହୁଏ ସୁନା । କିନ୍ତୁ ଏହି ସୁନାର ଦାମ୍ କିପରି ସ୍ଥିର ହୁଏ ? ଏହାର ନିଷ୍ପତ୍ତି କିଏ ନିଅନ୍ତି ?

ବାସ୍ତବରେ ଯେଉଁ ଦାମ୍ରେ ସୁନା କିଣାଯାଏ ତାକୁ ସ୍ପଟ୍ ରେଟ୍ କୁହାଯାଏ । ଏହାର ମୂଲ୍ୟ ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX) ଆଧାରରେ ନିର୍ଣ୍ଣୟ କରାଯାଏ । ଏବେ ମନକୁ ପ୍ରଶ୍ନ ଆସୁଥିବ MCX ଉପରେ ମୂଲ୍ୟ କିପରି ସ୍ଥିର ହୁଏ ? ଭାରତୀୟ ବଜାରରେ ସୁନାର ଚାହିଦା ଏବଂ ଯୋଗାଣ ତଥ୍ୟ ସଂଗ୍ରହ କରିବା ସହ ବିଶ୍ବ ବଜାରରେ ମୁଦ୍ରାସ୍ଫୀତି ପରିସ୍ଥିତିକୁ ଦୃଷ୍ଟିରେ ରଖି MCX ଫ୍ୟୁଚର ବଜାରରେ ସୁନା ମୂଲ୍ୟ ନିର୍ଣ୍ଣୟ କରିଥାଏ ।

ଏହାବ୍ୟତୀତ ବଜାରରେ ମଧ୍ୟ ସୁନା ମୂଲ୍ୟ ସ୍ଥିର କରିବା ପୂର୍ବରୁ ଲଣ୍ଡନ ସ୍ଥିତ ବୁଲିଅନ୍ ମାର୍କେଟ ଆସୋସିଏସନ୍ ସହିତ ସମନ୍ୱୟ କରିଥାଏ । ଏହାପରେ ହିଁ ସୁନା ମୂଲ୍ୟ ସ୍ଥିର ହୋଇଥାଏ । ଉଭୟ ଘରୋଇ ଏବଂ ବିଶ୍ୱର ଅର୍ଥନୈତିକ ଏବଂ ରାଜନୈତିକ ନିଷ୍ପତ୍ତି ମଧ୍ୟ ସୁନା ମୂଲ୍ୟ ଉପରେ ପ୍ରଭାବ ପକାଇଥାଏ । ଉଦାହରଣ ସ୍ୱରୂପ, ଯଦି ଆମ ଦେଶରେ ସରକାର ସୁନା ଆମଦାନୀ ସମ୍ବନ୍ଧରେ କୌଣସି ନୂଆ ନିୟମ ଲାଗୁ କରନ୍ତି, ତେବେ ଏହା ସୁନା ମୂଲ୍ୟ ଉପରେ ପ୍ରଭାବ ପକାଇଥାଏ । 

ଏଥିସହିତ ଯଦି ଗୋଟିଏ ବର୍ଷରେ ସୁନା ରପ୍ତାନି କରୁଥିବା ଦେଶରେ ଉତ୍ପାଦନ ହ୍ରାସ ହୁଏ, ତେବେ ଏହା ସୁନା ମୂଲ୍ୟ ଉପରେ ମଧ୍ୟ ପ୍ରଭାବ ପକାଇଥାଏ । ଏବେ ପ୍ରଶ୍ନ ଆସୁଛି ସ୍ପଟ୍ ମୂଲ୍ୟ କିପରି ନିର୍ଣ୍ଣୟ କରାଯାଏ ? ସ୍ପଟ୍ ମୂଲ୍ୟ, ଅର୍ଥାତ୍ ଯେଉଁ ମୂଲ୍ୟରେ ଆପଣ ସୁନା କିଣୁଛନ୍ତି, ସେହି ଦାମ୍‌କୁ ଅଧିକାଂଶ ସହରର ବୁଲିଅନ୍ ଆସୋସିଏସନ୍ ସଦସ୍ୟମାନେ ବଜାର ଖୋଲିବା ସମୟରେ ସ୍ଥିର କରନ୍ତି । 

ପ୍ରତ୍ୟେକ ସହରର ବ୍ୟବସାୟୀଙ୍କ ଦ୍ବାରା ମୂଲ୍ୟ ସ୍ଥିର କରାଯାଉଥିବାରୁ ସେମାନଙ୍କ ମୂଲ୍ୟରେ ସାମାନ୍ୟ ପାର୍ଥକ୍ୟ ରହିଥାଏ । କ୍ୟାରେଟ୍ ଆଧାରରେ ସୁନା ମୂଲ୍ୟ ଭିନ୍ନ ଭିନ୍ନ ସ୍ଥିର ହୋଇଥାଏ । ତେବେ ବିଦେଶରେ ସୁନା ଦର ସ୍ଥିର ହୁଏ କିପରି ? ସାରା ବିଶ୍ୱରେ ସୁନା ଦର ସ୍ଥିର ହୋଇଥାଏ ଲଣ୍ଡନର ବୁଲିଅନ ବଜାରରେ । ଏହା ହେଉଛି ବିଶ୍ବର ସବୁଠୁ ବଡ ବୁଲିଅନ ବଜାର । ୨୦୧୫ ପୂର୍ବରୁ ଲଣ୍ଡନ ଗୋଲ୍ଡ ଫିକ୍ସ ସୁନା ପାଇଁ ନିୟାମକ ସଂସ୍ଥା ଥିଲା, ଯାହା ସୁନା ଦର ସ୍ଥିର କରୁଥିଲା । 

କିନ୍ତୁ ୨୦ ମାର୍ଚ୍ଚ ୨୦୧୫ ପରେ ଲଣ୍ଡନ ବୁଲିଅନ୍ ମାର୍କେଟ ଆସୋସିଏସନ୍ ସୃଷ୍ଟି ହେଲା ।  ଏହା ICE ଆଡମିନିଷ୍ଟ୍ରେଟିଭ୍ ବେଞ୍ଚମାର୍କ ଦ୍ୱାରା ପରିଚାଳିତ । ଏହି ସଂଗଠନ ବିଶ୍ବର ସମସ୍ତ ଦେଶର ସରକାରଙ୍କ ସହ ଜଡିତ ଜାତୀୟ ସ୍ତରର ସଂଗଠନଗୁଡିକର ସହଯୋଗରେ ସୁନା ମୂଲ୍ୟ କ’ଣ ହେବା ଉଚିତ୍ ତାହା ସ୍ଥିର କରିଥାଏ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.