ମଣ୍ଡିକୁ ଆସିବା ମାତ୍ରେ ଆରମ୍ଭ ହୋଇଗଲା ପିଆଜର ଅଭାବୀ ବିକ୍ରି, ଚାଷୀ ଅସନ୍ତୁଷ୍ଟ

Published By : Prameya-News7 Bureau | November 10, 2024 IST

ଅଲବର ୧୦।୧୧: ରାଜସ୍ଥାନ ଅଲବର ପରିବା ମଣ୍ଡିକୁ ପିଆଜ ନୂଆ ଫସଲ ଆସିବା ଆରମ୍ଭ ହୋଇଯାଇଛି। ତେବେ ଚାଷୀମାନେ ମଣ୍ଡିରେ ଦଲାଲଙ୍କ ମନମୁଖିକୁ ନେଇ ଅସନ୍ତୋଷ ପ୍ରକାଶ କରୁଛନ୍ତି। ମଣ୍ଡିକୁ ପିଆଜ ଗାଡ଼ି ଧାଡି ବାନ୍ଧିବା ଦେଖି ଦଲାଲ ମନଇଛା ମୂଲ୍ୟ ଲଗାଉଛନ୍ତି। ଏଣୁ ଚାଷୀ କ୍ଷତିକୁ ନେଇ ଆଶଙ୍କାରେ ପଡିଥିବା ବେଳେ ଏଥି ପ୍ରତି ପ୍ରଶାସନର ଦୃଷ୍ଟି ପଡି ନାହିଁ। ଯଦି ମଣ୍ଡିରେ ଦଲାଲଙ୍କ ରାଜ ଜାରି ରହିଲା ତେବେ ଅସନ୍ତୁଷ ଚାଷୀ ମଣ୍ଡି ଫାଟକରେ ଧାରଣା ଦେବେ ବୋଲି କହିଲେଣି। 

ମଣ୍ଡିକୁ ଯଦି ବାହାରର ବ୍ୟବସାୟୀ ଆସନ୍ତେ ଚାଷୀଙ୍କୁ ସେମାନଙ୍କ ଫସଲର ଉପଯୁକ୍ତ ମୂଲ୍ୟ ମିଳିପାରନ୍ତା ବୋଲି କୁହାଯାଉଛି। ହେଲେ ଦଲାଲ ବାହାରର ବ୍ୟବସାୟୀଙ୍କୁ ମଣ୍ଡିକୁ ପୁରାଇ ଦେଉ ନାହାନ୍ତି। ଚାଷୀ ଅନେକ ପରିଶ୍ରମ କରି ସେମାନଙ୍କ ଫସଲ ଫଳାଇ ଏ ପର୍ଯ୍ୟନ୍ତ ଆଣୁଛନ୍ତି। ହେଲେ ଦଲାଲ ଚାଷୀଙ୍କ ଆଶା ପାଣି କରିଦେଉଛନ୍ତି। ଏବେ ବଜାରରେ ପିଆଜ କ୍ୱିଣ୍ଟଲ ପିଛା ୨୦୦୦ ଟଙ୍କାରେ କାରବାର ହେଉଛି, ତେବେ ଦଲାଲ ୧୫୦୦ରୁ ୧୭୦୦ ଟଙ୍କା ଦରରେ ପିଆଜ କିଣୁଛନ୍ତି। ଯଦି ଏପରି ଜାରି ରହିଲା ତେବେ ଚାଷୀଙ୍କୁ ଗୁରୁତର କ୍ଷତିର ସମ୍ମୁଖୀନ ହେବାକୁ ପଡିବ ବୋଲି ସେମାନେ କହୁଛନ୍ତି। 

ଗତ ୨-୩ ଦିନ ହେଲା ମଣ୍ଡିକୁ ପିଆଜ ଗାଡ଼ି ପହଞ୍ଚିବାରେ ଲାଗିଛି। ଏବେ ଚାଷୀଙ୍କୁ ବେପାରୀ ପିଆଜର ଉପୟୁକ୍ତ ମୂଲ୍ୟ ମଧ୍ୟ ଦେଉଥିବା କହିଛନ୍ତି, କାରଣ ଗତ ଥର ତୁଳନାରେ ଏଥର ଚାଷୀଙ୍କୁ ଅଧିକ ମୂଲ୍ୟ ଦିଆଯାଉଛି। ପାଇକାରୀ ଦରରେ ଚାଷୀଙ୍କୁ ଦୁଇଗୁଣା ମୂଲ୍ୟ ମିଳୁଥିବାରୁ ସେମାନେ ମଧ୍ୟ ବେଶ୍ ଖୁସ ଅଛନ୍ତି ବୋଲି ବ୍ୟବସାୟୀ କହୁଛନ୍ତି। ମଣ୍ଡି ବେପାରୀ ଏଥର ପିଆଜର ବମ୍ପର ଉତ୍ପାଦନ ହୋଇଥିବା କହିଛନ୍ତି। ଏଣୁ ଚାଷୀ ମଧ୍ୟ ବେଶ ଖୁସ ଥିବା ସେ କହିଛନ୍ତି। 

ଗତବର୍ଷ ତୁଳନାରେ ଅଲବରରେ ଏଥର ପିଆଜ ଭଲ ଅମଳ ହୋଇଛି। ପାଇକାରୀ ଦରରେ ପିଆଜ କେଜି ପିଛା ଦର ୩୫ଟଙ୍କାରୁ ଆରମ୍ଭ କରି ୫୫ ଟଙ୍କାରେ ବିକ୍ରି ହେଉଛି। ଏଣୁ ଚାଷୀ ଖୁସି ହେଉଥିବା ବ୍ୟବସାୟୀ କହିଛନ୍ତି। ଗତଥର ଅଲବର ଜିଲ୍ଲାରେ ୪ଲକ୍ଷ ମେଟ୍ରିକ ଟନ ପିଆଜ ଉତ୍ପାଦନ ହୋଇଥିଲା, ଏଥର ଏହି ଉତ୍ପାଦନ ହାର ୬ଲକ୍ଷ ମେଟ୍ରିକ ଟନ ପର୍ଯ୍ୟନ୍ତ ପହଞ୍ଚିବ ବୋଲି ଆକଳନ କରାଯାଉଛି। ଆଗାମୀ ୧୦-୧୫ ଦିନରେ ମଣ୍ଡିକୁ ପିଆଜ ଆସିବା ଆହୁରି ବଢିଯିବ। ଏଣୁ ଦର ହ୍ରାସର ଆଶଙ୍କା କରାଯାଉଛି। ସାଧାରଣତଃ ମଣ୍ଡିକୁ ଫେବୃଆରୀ ପର୍ଯ୍ୟନ୍ତ ପିଆଜ ଆସିବା ଜାରି ଥାଏ। 

ଅଲବରରେ ପିଆଜ ଏପରି ସମୟରେ ଅମଳ ହୋଇଥାଏ ଯେତେବେଳେ ଦେଶର ଅନ୍ୟ କୌଣସି ରାଜ୍ୟରେ ଅମଳ ହୋଇ ନଥାଏ। ଏଣୁ ଏଠାରେ ଚାଷୀଙ୍କୁ ସେମାନଙ୍କ ଫସଲର ଉପଯୁକ୍ତ ଦର ମିଳିଥାଏ। ଅଲବର ପିଆଜ ବିଦେଶକୁ ମଧ୍ୟ ରପ୍ତାନୀ ହୁଏ। ଏଠାକାର ପିଆଜକୁ ଲାଲ ପିଆଜ ବୋଲି ମଧ୍ୟ କୁହାଯାଏ। ଅଲବରରେ ବିପୁଳ ପିଆଜ ଉତ୍ପାଦନ ହୋଇଥାଏ। ଏଥରର ଫସଲକୁ ଦେଖି ଖୈରଥଲରେ ମଧ୍ୟ ଅଲଗା ଏକ ମଣ୍ଡି ସ୍ଥାପିତ ହୋଇଛି ଏହା ଛଡା ମାଲାଖେଡା ଓ ଲକ୍ଷ୍ମଣ ଗଡ଼ରୁ ମଧ୍ୟ ପିଆଜ ଆସୁଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.