ଝାଡ଼ଖଣ୍ଡରେ ୪୩ ସିଟ୍‌ରେ ଚାଲିଛି ଭୋଟିଂ, ୬୮୩ ପ୍ରାର୍ଥୀଙ୍କର ଭାଗ୍ୟ ପରୀକ୍ଷା

Published By : Prameya-News7 Bureau | November 13, 2024 IST

ନୂଆଦିଲ୍ଲୀ ୧୩/୧୧: ଝାଡ଼ଖଣ୍ଡରେ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେଉଛି । ୧୫ ଜିଲ୍ଲାର ୪୩ ଆସନରେ ୬୮୩ ପ୍ରାର୍ଥୀଙ୍କର ହେବ ଭାଗ୍ୟ ପରୀକ୍ଷା । ୪୩ ଆସନରୁ ୨୦ଟି ଏସ୍‌ଟି ଓ ୬ଟି ଏସ୍‌ସି ପ୍ରାର୍ଥୀଙ୍କ ନିମନ୍ତେ ସଂରକ୍ଷିତ ରହିଛି । ପ୍ରଥମ ପର୍ଯ୍ୟାୟରେ ଲଢ଼ୁଥିବା ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ, ସ୍ୱାସ୍ଥ୍ୟ ମନ୍ତ୍ରୀ ବାନ୍ନା ଗୁପ୍ତା, ରାଜ୍ୟ ସଭା ସାଂସଦ ମହୁଆ ମାଜି, ଗୀତା କୋଡା (ପୂର୍ବତନ ମୁଖ୍ୟମନ୍ତ୍ରୀ ମଧୁ କୋଡାଙ୍କ ପତ୍ନୀ) ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଓଡ଼ିଶାର ରାଜ୍ୟପାଳ ରଘୁବାର ଦାସଙ୍କ ବୋହୂ ପୂର୍ଣ୍ଣିମା ଦାସ ରହିଛନ୍ତି । 

ବୁଧବାର ୧୦ ରାଜ୍ୟର ୩୧ ବିଧାନସଭା ଏବଂ ଗୋଟିଏ ଲୋକସଭା (ୱାୟନାଡ) ଆସନରେ ବି ମତଦାନ । ଝାଡ଼ଖଣ୍ଡରେ ମତଦାନ ସକାଳ ୭ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୫ଟାରେ ଶେଷ ହେବ । ୯୫୦ ବୁଥ୍‌ରେ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମତଦାନ ହୋଇପାରିବ । ରାଜ୍ୟବ୍ୟାପୀ ଏଥିପାଇଁ ୧୫ ହଜାର ୩୪୪ ପୋଲିଂ ବୁଥ୍‌ ଖୋଲାଯାଇଛି । ତନ୍ମଧ୍ୟରୁ ୧୨ ହଜାର ୭୧୬ଟି ବୁଥ୍‌ ଗ୍ରାମାଞ୍ଚଳରେ ଥିବା ବେଳେ ୨ ହଜାର ୬୨୮ଟି ସହରାଞ୍ଚଳରେ ଅଛି । 

ଭାରତୀୟ ନିର୍ବାଚନ କମିଶନଙ୍କ ମୁତାବକ, ରାଜ୍ୟରେ ମୋଟ ୧ ହଜାର ୧୫୨ଟି ବୁଥ୍‌ କେବଳ ମହିଳାଙ୍କ ଦ୍ୱାରା ପରିଚାଳିତ ହେବ । ୨୪ଟି ବୁଥ୍‌ ଦିବ୍ୟାଙ୍ଗ ପରିଚାଳନା କରିବେ । ନିର୍ବାଚନ ଆଚାର ସଂହିତା ଲାଗୁ ହେବା ପରଠାରୁ ରାଜ୍ୟରେ ୧୭୯.୧୪ କୋଟି ଟଙ୍କାର ନଗଦ ଓ ବେଆଇନ ସାମଗ୍ରୀ ଜବତ ହୋଇଥିବା ମୁଖ୍ୟ ନିର୍ବାଚନ ଅଧିକାରୀ କେ ରବି କୁମାର କହିଛନ୍ତି । ପ୍ରଥମ ପର୍ଯ୍ୟାୟରେ ବିଜେପି ସର୍ବାଧିକ ୩୬ ଆସନରେ ଲଢ଼ୁଥିବା ବେଳେ ଏହାର ସହଯୋଗୀ ଏଜେଏସ୍‌ୟୁ ୪, ଜେଡିୟୁ ୨ ଏବଂ ଏଲ୍‌ଜେପି (ଆର) ୧ଟି ଆସନରେ ଲଢ଼ୁଛି । ଅନ୍ୟପକ୍ଷରେ ଜେଏମ୍‌ଏମ୍‌ ୨୩, କଂଗ୍ରେସ ୧୭, ଆରଜେଡି ୫ ଆସନରେ ଲଢ଼ୁଛି । 

ରାଜ୍ୟରେ ମୋଟ ୨.୬ କୋଟି ଭୋଟର ଅଛନ୍ତି । ଏମାନଙ୍କ ମଧ୍ୟରେ ୧.୩୧ କୋଟି ପୁରୁଷ ଏବଂ ୧.୨୯ କୋଟି ମହିଳା । ରାଜ୍ୟର ବଳକା ୩୮ ଆସନରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ନଭେମ୍ବର ୨୦ରେ ହେବ । ୨୩ ତାରିଖରେ ନିର୍ବାଚନ ଫଳ ପ୍ରକାଶ ପାଇବ । ୨୦୧୯ରେ ଅନୁଷ୍ଠିତ ନିର୍ବାଚନରେ ଝାଡ଼ଖଣ୍ଡର ମୋଟ ୮୧ ଆସନରୁ ଜେଏମ୍‌ଏମ୍‌ ୩୦ଟି ଜିତିଥିଲା । ଏହାପରେ ଦଳ କଂଗ୍ରେସ ଓ ଆରଜେଡି ସହ ମେଣ୍ଟ କରି ସରକାର ଗଢ଼ିଥିଲା । 

ବିଜେପି ୨୫ଟି ଆସନରେ ଜିତିଥିଲା, ଯେବେ କି ୨୦୧୪ରେ ଏହା ୩୭ଟି ପାଇଥିଲା । ଏଥର ‘ଇଣ୍ଡିଆ’ ମେଣ୍ଟ ଏବଂ ଏନ୍‌ଡିଏ ମଧ୍ୟରେ ସିଧାସଳଖ ଲଢ଼େଇ ହେଉଛି । ଅନ୍ୟପକ୍ଷରେ କେରଳର ୱାୟନାଡ ଲୋକସଭା ଆସନରେ ୧୪ ଲକ୍ଷ ଭୋଟର ବିଜେପି ପ୍ରାର୍ଥୀ ନବ୍ୟା ହରିଦାସ ଓ କଂଗ୍ରେସ ପ୍ରାର୍ଥୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସମେତ ମୋଟ ୧୪ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ । ସିକ୍କିମର ଦୁଇଟି ବିଧାନସଭା ଆସନରେ ଅକ୍ଟୋବର ୩୦ରେ ଏସ୍‌କେଏମ୍‌ର ଦୁଇଜଣ ପ୍ରାର୍ଥୀ ନିଦ୍ଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଥିଲେ ।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.