ନୂଆଦିଲ୍ଲୀ: ୧୪ ମାସରେ ରେକର୍ଡ ବାଙ୍ଗିଲା ମହଙ୍ଗା ବଜାର। ଅକ୍ଟୋବର ମାସରେ ଖୁଚୁରା ମୁଦ୍ରାସ୍ଫୀତି ୬.୨୧ ପ୍ରତିଶତକୁ ବୃଦ୍ଧି ପାଇଛି। ଅଗଷ୍ଟ ୨୦୨୩ରେ ମୁଦ୍ରାସ୍ଫୀତି ହାର ୬.୮୩% ଥିଲା। ସେହିପରି ଅକ୍ଟୋବରର ମାସ ପୂର୍ବରୁ ସେପ୍ଟେମ୍ବରରେ ପନିପରିବା ମୂଲ୍ୟ ବୃଦ୍ଧି ଯୋଗୁ ଏହି ହାର ୫.୪୯% ରେ ପହଞ୍ଚିଥିଲା। ମୁଦ୍ରାସ୍ଫୀତି ବାସ୍କେଟ୍ରେ ପ୍ରାୟ 50% ଯୋଗଦାନ ଖାଦ୍ୟ ସାମଗ୍ରୀ ରହିଥାଏ। ଆଉ ଖାଦ୍ୟ ମୁଦ୍ରାସ୍ଫୀତି ମାସକୁ ମାସ ହାରରେ ୯.୨୪% ରୁ ୧୦.୮୭% କୁ ବୃଦ୍ଧି ପାଇଛି। ତେବେ ବଡ଼ କଥା ହେଲା ନିକଟରେ କିଛି ମାସ ହେବ ଓଲଟା ଟ୍ରେଣ୍ଡ ଦେଖାଯାଉଛି। ସହରି କ୍ଷେତ୍ରରେ ମୁଦ୍ରାସ୍ଫୀତ କମ ରହି ଗ୍ରାମାଞ୍ଚଳରେ ମୁଦ୍ରାସ୍ଫୀତି ଅଧିକ ରହିଛି। ଅକ୍ଟୋବର ରିପୋର୍ଟ ଅନୁସାରେ, ଗ୍ରାମୀଣ ମୁଦ୍ରାସ୍ଫୀତି ୫.୮୭% ରୁ ବଢ଼ି ୬.୬୮% ହୋଇଥିବା ବେଳେ ସହରୀ ମୁଦ୍ରାସ୍ଫୀତି ୫.୦୫% ରୁ ୫.୬୨% କୁ ବୃଦ୍ଧି ପାଇଛି।
ମୁଦ୍ରାସ୍ଫୀତି ସିଧାସଳଖ ଭାବେ ପର୍ଚେଜିଂ ପାୱାର ବା କ୍ରୟ ଶକ୍ତି ସହିତ ଜଡ଼ିତ। ଉଦାହରଣ ସ୍ୱରୂପ, ଯଦି ମୁଦ୍ରାସ୍ଫୀତି ହାର ୬% ହୁଏ, ତେବେ ଅର୍ଜିତ ୧୦୦ ଟଙ୍କାର ମୂଲ୍ୟ ୯୪ ଟଙ୍କା ସହ ସମାନ। ତେଣୁ କେବଳ ମୁଦ୍ରାସ୍ଫୀତିକୁ ଦୃଷ୍ଟିରେ ରଖି ନିବେଶ କରିବା ଉଚିତ୍। ନଚେତ୍ ଆପଣଙ୍କ ଟଙ୍କା ମୂଲ୍ୟ ହ୍ରାସ ପାଇବ।
ମୁଦ୍ରାସ୍ଫୀତିର ବୃଦ୍ଧି ଏବଂ ହ୍ରାସ ଉତ୍ପାଦର ଚାହିଦା ଏବଂ ଯୋଗାଣ ଉପରେ ନିର୍ଭର କରେ। ଯଦି ଲୋକଙ୍କ ପାଖରେ ଅଧିକ ଟଙ୍କା ଅଛି ତେବେ ସେମାନେ ଅଧିକ ଜିନିଷ କିଣିବେ। ଅଧିକ ଜିନିଷ କିଣିବା ଦ୍ୱାରା ଜିନିଷଗୁଡ଼ିକର ଚାହିଦା ବଢିଯିବ। ଆଉ ଯଦି ଚାହିଦା ଅନୁଯାୟୀ ଯୋଗାଣ ନହୁଏ, ତେବେ ଏହି ଜିନିଷଗୁଡ଼ିକର ମୂଲ୍ୟ ବୃଦ୍ଧି ପାଇଥାଏ। ଠିକ୍ ଏହିପରି ବଜାର ମୁଦ୍ରାସ୍ଫୀତି କବଳରେ ପଡ଼ିଯାଏ। ସରଳ ଭାଷାରେ କହିବାକୁ ଗଲେ, ବଜାରରେ ଅଧିକ ଅର୍ଥ ପ୍ରବାହ କିମ୍ବା ସାମଗ୍ରୀର ଅଭାବ ମୁଦ୍ରାସ୍ଫୀତି କାରଣ ହୋଇଥାଏ। ସେହିପରି ଯଦି ଚାହିଦା କମ୍ ରହିଲା ଏବଂ ଯୋଗାଣ ଅଧିକ ହେଲା ତେବେ ମୁଦ୍ରାସ୍ଫୀତି କମ୍ ହୋଇଥାଏ।