ନୂଆଦିଲ୍ଲୀ: ସାରା ଦେଶରେ ମନ ଇଚ୍ଛା ବୁଲଡୋଜର ଆକ୍ସନ ଉପରେ ରୋକ୍ ଲଗାଇବା ପାଇଁ ସୁପ୍ରିମକୋର୍ଟ ଅନୁଚ୍ଛେଦ ୧୪୨କୁ ପ୍ରୟୋଗ କରିଛନ୍ତି । ଜଷ୍ଟିସ୍ ଭିଆର ଗଭଇଙ୍କ ଖଣ୍ଡପୀଠ କହିଛନ୍ତି ଯେ ଆମେ ଏହି ବୁଲଡୋଜର ଆକ୍ସନ ଉପରେ ସୁପ୍ରିମକୋର୍ଟଙ୍କ ଗାଇଡଲାଇନ୍ ଲାଗୁ କରିବା ପାଇଁ ଧାରା ୧୪୨ ଅଧିନରେ ରାୟ ଦେଉଛୁ । ତେବେ ଏହା ପ୍ରଥମ ଥର ନୁହେଁ, ଯେତେବେଳେ ସର୍ବୋଚ୍ଚ ନ୍ୟାୟାଳୟ କୌଣସି ବଡ଼ ମାମଲାରେ ରାୟ ଦେବା ପାଇଁ ଧାରା ୧୪୨ର ପ୍ରୟୋଗ କରିଛନ୍ତି ।
ଗତ ୫ ବର୍ଷରେ ୫ ଏପରି ମାମଲା ଆସିଛି, ଯାହା ଉପରେ ରାୟ ଦେବା ପାଇଁ ସୁପ୍ରିମକୋର୍ଟ ଅନୁଚ୍ଛେଦ ୧୪୨ର ପ୍ରୟୋଗ କରିଛନ୍ତି ।
ସମ୍ୱିଧାନର ଅନୁଚ୍ଛେଦ ୧୪୨ ଅନୁସାରେ ସୁପ୍ରିମକୋର୍ଟଙ୍କୁ ସମ୍ପୂର୍ଣ୍ଣ ନ୍ୟାୟର ଅଧିକାର ରହିଛି । କୋର୍ଟ ଏହି ଅନୁଚ୍ଛେଦକୁ ମୌଳିକ ଅଧିକାର ସ୍ଥିର କରିବା, କ୍ଷେତ୍ରର ଅଧିକାରୀ ସ୍ଥିର କରିବା ଏବଂ ପ୍ରାକୃତିକ ନ୍ୟାୟ ପ୍ରଦାନରେ ପ୍ରୟୋଗ କରିପାରିବେ । ଅନୁଚ୍ଛେଦ ୧୪୨ ଅଧିନରେ ଦିଆଯାଇଥିବା ରାୟର ସମୀକ୍ଷା କରାଯାଇପାରିବ ନାହିଁ । ସୁପ୍ରିମକୋର୍ଟ ଏହାକୁ ସମ୍ପୂର୍ଣ୍ଣ ନ୍ୟାୟ ରୂପେ ହିଁ ପ୍ରୟୋଗ କରନ୍ତି । ସାଧାରଣତଃ ସର୍ବୋଚ୍ଚ ନ୍ୟାୟାଳୟ ଚୂଡ଼ାନ୍ତ ଆଦେଶ ପାଇଁ ଏହି ଅନୁଚ୍ଛେଦକୁ ପ୍ରୟୋଗ କରନ୍ତି ।
ରାମ ମନ୍ଦିର ଉପରେ ରାୟ
୨୦୧୯ରେ ସୁପ୍ରିମକୋର୍ଟ ଅଯୋଧ୍ୟାର ବିବାଦୀୟ ବାବରି ଢାଞ୍ଚା ଏବଂ ରାମ ଜନ୍ମ ଭୂମି ଉପରେ ରାୟ ଦେବା ପାଇଁ ଅନୁଚ୍ଛେଦ ୧୪୨କୁ ପ୍ରୟୋଗ କରିଥିଲେ । କୋର୍ଟ କହିଥିଲେ ଯେ ଆମେ ଏହି ମାମଲାରେ ସମ୍ପୂର୍ଣ୍ଣ ନ୍ୟାୟ କରିବାକୁ ଚାହୁଁଛୁ । ସୁପ୍ରିମକୋର୍ଟ ନିଜ ରାୟରେ କହିଥିଲେ ଯେ ବିବାଦୀୟ ଜମି ହିନ୍ଦୁ ପକ୍ଷରୁ ଦିଆଯିବ ଏବଂ ଅଯୋଧ୍ୟାରେ ହିଁ ମୁସଲିମ ପକ୍ଷକୁ ମସଜିଦ୍ ନିର୍ମାଣ ପାଇଁ ଭୂମି ଦିଆଯିବ ।
ଆଜମ୍ ଖାନଙ୍କୁ ଜାମିନ ପ୍ରଦାନ
ସୁପ୍ରିମକୋର୍ଟ ୨୦୨୨ରେ ସମାଜବାଦୀ ପାର୍ଟିର ବରିଷ୍ଠ ନେତା ଆଜମ ଖାନଙ୍କୁ ବି ଅନୁଚ୍ଛେଦ ୧୪୨କୁ ପ୍ରୟୋଗ କରି ଜାମିନ ପ୍ରଦାନ କରାଯାଇଥିଲା । ସର୍ବୋଚ୍ଚ ଅଦାଲତ କହିଥିଲେ ଯେ ଆଜମ୍ଙ୍କ ବିରୋଧରେ ପ୍ରତିଦିନ ମୋକଦ୍ଦମା କରାଯାଉଛି, ଯାହାର ଶୁଣାଣି କେବେ ଶେଷ ହୋଇପାରିବ ନାହିଁ । ଏପରି ସ୍ଥିତିରେ ଜାମିନ ପ୍ରଦାନ କରିବା ଆମ କର୍ତ୍ତବ୍ୟ । ସୁପ୍ରିମକୋର୍ଟ ଆଜାମ ଖାନଙ୍କୁ ସମ୍ପୂର୍ଣ୍ଣ ନ୍ୟାୟ ଅଧିନରେ ଜାମିନ ଦେଇଥିଲେ । ଆଜାମ୍ ଖାନ ସେହି ସମୟରେ ପ୍ରାୟ ୮୮ ମାମଲାରେ ଅଭିଯୁକ୍ତ ଥିଲେ, ତାଙ୍କୁ ଗୋଟିଏ ମାମଲାରେ ଦୋଷୀ ଘୋଷଣା ମଧ୍ୟ କରାଯାଇଛି ।
ଛାଡ଼ପତ୍ର ଉପରେ ବି ଦେଇଛନ୍ତି ରାୟ
୨୦୨୩ ଏପ୍ରିଲ୍ରେ ସୁପ୍ରିମକୋର୍ଟ ଏକ ରାୟକୁ ବଦଳାଇ କହିଥିଲେ ଯେ ଯଦି ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କ ରକ୍ଷାର ସମସ୍ତ ଦ୍ୱାରା ବନ୍ଦ ହୋଇସାରିଛି, ତେବେ ଛାଡ଼ପତ୍ର ପାଇଁ ୬ ମାସ ଅପେକ୍ଷା କରିବାକୁ ପଡ଼ିବ ନାହିଁ । ସୁପ୍ରିମକୋର୍ଟ ଅନୁଚ୍ଛେଦ ୧୪୨କୁ ପ୍ରୟୋଗ କରି ଏହି ରାୟ ଦେଇଥିଲେ । ପୂର୍ବରୁ ଛଅ ମାସର ଅବଧି ବାଧ୍ୟତାମୂଳକ ଥିଲା, ଯାହାକୁ କୋର୍ଟ ସମାପ୍ତ କରିଥିଲେ ।
ରାଜୀବ ଗାନ୍ଧୀଙ୍କ ହତ୍ୟାକାରୀଙ୍କୁ ମୁକ୍ତି
୨୦୨୨ ନଭେମ୍ୱରରେ ସୁପ୍ରିମକୋର୍ଟ ଅନୁଚ୍ଛେଦ ୧୪୨କୁ ପ୍ରୟୋଗ କରି ରାଜୀବ ଗାନ୍ଧୀଙ୍କ ୬ ହତ୍ୟାକାରୀଙ୍କୁ ମୁକ୍ତ କରିବା ପାଇଁ ରାୟ ଶୁଣାଇଥିଲେ । ରାଜୀବ ଗାନ୍ଧୀଙ୍କ ହତ୍ୟା ମାମଲାରେ ଦଣ୍ଡ ଭୋଗୁଥିବା ଅପରାଧୀ ଆଇନ ଅନୁସାରେ ନିଜ ମୁକ୍ତି ପାଇଁ ଦାବି କରିଥିଲେ । କୋର୍ଟ ଏହି ମାମଲାରେ କେନ୍ଦ୍ର ଏବଂ ରାଜ୍ୟ ସହ ମଧ୍ୟ ଆଲୋଚନା କରିଥିଲେ । ଏହି ମାମଲାରେ କେନ୍ଦ୍ର ଏବଂ ରାଜ୍ୟ ମଧ୍ୟ ବିବାଦ ଯୋଗୁଁ ମାମଲାର ସମାଧାନ ହୋଇପାରୁ ନଥିଲା । ଶେଷରେ ସୁପ୍ରିମକୋର୍ଟ ଅନୁଚ୍ଛେଦ ୧୪୨କୁ ପ୍ରୟୋଗ କରି ରାୟ ଶୁଣାଇଥିଲେ । ସୁପ୍ରିମକୋର୍ଟଙ୍କ ରାୟ ପରେ ସମସ୍ତ ୬ ଦୋଷୀଙ୍କୁ ମୁକ୍ତ କରାଯାଇଥିଲା । ଏଥିରୁ ୩ ଦୋଷୀ ଶ୍ରୀଲଙ୍କାର ଥିଲେ ।
ଚଣ୍ଡିଗଡ଼ ମେୟର ନିର୍ବାଚନ ଉପରେ ନିଷ୍ପତ୍ତି
ଚଣ୍ଡିଗଡ଼ ମେୟର ନିର୍ବାଚନ ମାମଲା ୨୦୨୪ ଫେବ୍ରୁଆରୀରେ ସୁପ୍ରିମକୋର୍ଟରେ ପହଞ୍ଚିଥିଲା । ଆମ୍ ଆଦମୀ ପାର୍ଟି ଦ୍ୱାରା ଦାଖଲ ଯାଚିକାରେ କୁହାଯାଇଥିଲା ଯେ ନିର୍ବାଚନ ଅଧିକାରୀ ଭୋଟ୍ ଗଣତିରେ ଜାଲିଆତି କରି ହରାଇ ଦେଇଛନ୍ତି । କୋର୍ଟ ପୂରା ମାମଲାର ଦୀର୍ଘ ଶୁଣାଣି କରିଥିଲେ । ଶୁଣାଣି ବେଳେ ସୁପ୍ରିମକୋର୍ଟ ନିର୍ବାଚନ ଅଧିକାରୀଙ୍କୁ ତଲବ କରିଥିଲେ । କୋର୍ଟରେ ଭିଡିଓ ସାକ୍ଷ୍ୟ ମଧ୍ୟ ରଖାଯାଇଥିଲା, ଯେଉଁଥିରେ ଅଧିକାରୀ ଜାଲିଆତି କରୁଥିବା ନଜର ଆସିଥିଲା । କୋର୍ଟଙ୍କ କଠୋର ଆଭିମୁଖ୍ୟ ପରେ ଅନିଲ ମସୀହ ନିଜ ଦୋଷ ସ୍ୱୀକାର କରିଥିଲେ ।
ସୁପ୍ରିମକୋର୍ଟ ଏହାପରେ ପୂରା ମାମଲାରେ କଠୋର ଟିପ୍ପଣୀ କରି ନିଜ ରାୟକୁ ବଦଳାଇ ଥିଲେ । ସୁପ୍ରିମକୋର୍ଟ ଅନୁଚ୍ଛେଦ ୧୪୨କୁ ପ୍ରୟୋଗ କରି ନିଜ ରାୟ ଦେଇଥିଲେ । କୋର୍ଟଙ୍କ ରାୟରେ ଆମ୍ ଆଦମୀ ପାର୍ଟି ପ୍ରାର୍ଥୀ ମେୟର ନିୟୁକ୍ତ ହୋଇଥିଲେ ।