ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବିରୋଧୀଙ୍କୁ ଶାଣିତ ସ୍ୱରରେ ଟାର୍ଗେଟ୍ କରିଛନ୍ତି । ସେ କହିଛନ୍ତି ଯେ କଂଗ୍ରେସ ଏବଂ ସହଯୋଗୀ ଦଳ ଅନୁଚ୍ଛେଦ ୩୭୦କୁ ପୁଣି ଥରେ ଲାଗୁ କରିବାକୁ ଚାହୁଁଛନ୍ତି ଏବଂ କାଶ୍ମୀର ପାଇଁ ଅଲଗା ସମ୍ୱିଧାନ ଯୋଜନା କରୁଛନ୍ତି । ପିଏମ୍ ମୋଦୀ କହିଛନ୍ତି ଯେ ଆମେ ଔରଙ୍ଗଜେବ ନାଁ ବଦଳାଇ ଛତ୍ରପତି ସମ୍ଭାଜି ନଗର କରିଲୁ ଏବଂ ବାଲାସାହେବ ଠାକରେଙ୍କ ଇଚ୍ଛା ପୂରଣ କରିଲୁ । ଆମେ ହିନ୍ଦୁତ୍ୱର ରାଜନୀତି ସହ କେବେ ବି ସାଲିସ୍ କରିନୁ, ଅନ୍ୟପଟେ କିଛି ଲୋକ ନିଜ ପୁରୁଣା ରାସ୍ତା ବଦଳାଇଛନ୍ତି । ସେ କହିଛନ୍ତି ଯେ ବିଜେପି ନେତୃତ୍ୱରେ ମହାୟୁତି ସରକାର ଗଠନ ପରେ ମହାରାଷ୍ଟ୍ରକୁ ସବୁଠୁ ଅଧିକ ପ୍ରତ୍ୟକ୍ଷ ପୁଞ୍ଜି ନିବେଶ ମିଳିଛି ।
ପିଏମ୍ ମୋଦୀ ଆହୁରି ଅଧିକ ଶାଣିତ ସ୍ୱରରେ ବିରୋଧୀଙ୍କୁ ଟାର୍ଗେଟ୍ କରି କହିଛନ୍ତି, କିଛି ଲୋକ ସମ୍ଭାଜି ମହାରାଜଙ୍କ ହତ୍ୟାକାରୀଙ୍କ ଭିତରେ ନିଜ ଆଦର୍ଶ ଦେଖୁଛନ୍ତି । ପିଏମ୍ ମୋଦୀ କହିଛନ୍ତି ଯେ ଔରଙ୍ଗାବାଦକୁ ଛତ୍ରପତି ସମ୍ଭାଜି ନଗର କରିବା ଦ୍ୱାରା କଂଗ୍ରେସ ଏବଂ ମହାବିକାଶ ଅଘାଡ଼ି ସବୁଠୁ ଅଧିକ କଷ୍ଟ ହୋଇଛି । ଏପରିକି ଏମାନଙ୍କ ପାଳିତ ଲୋକ ନିଷ୍ପତ୍ତିକୁ ବଦଳାଇବା ପାଇଁ କୋର୍ଟ ବି ଯାଇଥିଲେ ।
ଉଲ୍ଲେଖଯୋଗ୍ୟ ଯେ ଛତ୍ରପତି ଶିବାଜୀ ମହାରାଜଙ୍କ ପୁଅ ସମ୍ଭାଜି ମହାରାଜଙ୍କ ହତ୍ୟା ପାଇଁ ଔରଙ୍ଗଜେବ ଆଦେଶ ଦେଇଥିଲା । ମହାରାଷ୍ଟ୍ରରେ ଶିବାଜୀ ମହାରାଜ ଏବଂ ଔରଙ୍ଗଜେବଙ୍କ ରାଜନୀତି ପଛରେ ଏହା ମଧ୍ୟ ଏକ କାରଣ । ମହାରାଷ୍ଟ୍ରରେ ଏହା ଏକ ସମ୍ୱେଦନଶୀଳ ପ୍ରସଙ୍ଗ ରହି ଆସିଛି । ଏହା ବ୍ୟତୀତ ଔରଙ୍ଗାବାଦ ଅଞ୍ଚଳ ଏକଦା ହାଇଦ୍ରାବାଜ ଷ୍ଟେଟ୍ ଅଧିନରେ ଆସୁଥିଲା, ଯେଉଁଠାରେ ଦିନେ ନିଜାମ ଶାସନ ଥିଲା । ତେଣୁ ଏଠାକାର ରାଜନୀତିରେ ଦ୍ରୁବୀକରଣର ସମ୍ଭାବନା ମଧ୍ୟ ରହିଥାଏ । ଏହି କ୍ଷେତ୍ରରେ ମୁସଲିମ ସଂଖ୍ୟା ଅଧିକ ।
ପିଏମ୍ ମୋଦୀ କହିଛନ୍ତି, 'ମହାରାଷ୍ଟ୍ରର ବିକାଶର ଏହି ମହାଯଜ୍ଞ ସହ ଆମ ସରକାର, ଐତିହ୍ୟର ଉଦ୍ଧାର ମଧ୍ୟ କରୁଛି । ଭଗବାନ ଭିଠଲ୍ଙ୍କ ସୁବିଧା ପାଇଁ ଆମେ ପାଲକୀ ମହାମାର୍ଗ ନିର୍ମାଣ କରିଛୁ । ଅଘାଡ଼ି ସରକାର ମହାରାଷ୍ଟ୍ରରେ କେବଳ ସମସ୍ୟା ବଢାଇବା ଛଡ଼ା କିଛି କରି ନାହିଁ । ମରାଠାୱାଡ଼ାରେ ଦୀର୍ଘ ବର୍ଷରୁ ପାଣି ସଂକଟ ରହିଛି, କିନ୍ତୁ କଂଗ୍ରେସ ଏବଂ ଅଘାଡ଼ି ହାତରେ ହାତ ଧରି ବସିଥିଲେ । ମହାୟୁତି ସରକାର ମରୁଡ଼ି ମୁକାବିଲା ପାଇଁ ଠୋସ୍ ପଦକ୍ଷେପ ନେଉଛନ୍ତି ।'