‘ରିଲ୍ ତିଆରିରେ ବ୍ୟସ୍ତ’, ଫଡନଭିସଙ୍କ ପତ୍ନୀଙ୍କ ପ୍ରତି କହ୍ନେୟା କୁମାରଙ୍କ ଅଶାଳୀନ ଟିପ୍ପଣୀ

Published By : Prameya-News7 Bureau | November 14, 2024 IST

ମୁମ୍ବାଇ: ମହାରାଷ୍ଟ୍ର ବିଧାସନଭା ନିର୍ବାଚନ ପାଇଁ ଜୋରସୋରରେ ଚାଲିଛି ପ୍ରଚାର। ଏହା ମଧ୍ୟରେ ନେତାମାନେ ପରସ୍ପର ପ୍ରତି ବୟାନବାଜି କରିବା ସହ ଶାଳୀନତା ବି ଉଲ୍ଲଂଘନ କରୁଛନ୍ତି। ଏହି କ୍ରମରେ  କଂଗ୍ରେସ ନେତା କହ୍ନେୟା କୁମାର ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସଙ୍କ ପତ୍ନୀଙ୍କ ପ୍ରତି ବିବାଦୀୟ ଟିପ୍ପଣୀ କରିଛନ୍ତି। ସେ ପ୍ରଶ୍ନ କରିଛନ୍ତି ଯେ, ଯେବେ ଉପମୁଖ୍ୟମନ୍ତ୍ରୀଙ୍କ ପତ୍ନୀ ଇନଷ୍ଟାଗ୍ରାମ ରିଲ୍ ତିଆରି କରିବାରେ ବ୍ୟସ୍ତ ତେବେ ଜନତାଙ୍କୁ ଧର୍ମ ବଞ୍ଚାଇବାର ଦାୟିତ୍ଵ କାହିଁକି ନେବା ଉଚିତ୍। 

ମହାରାଷ୍ଟ୍ର ନିର୍ବାଚନ ପୂର୍ବରୁ  ନାଗପୁରରେ ଏକ ରାଲିକୁ ସମ୍ବୋଧିତ କରି କହ୍ନେୟା କହିଛନ୍ତି, ଲୋକଙ୍କୁ ନିଜର ନେତାମାନଙ୍କୁ ସେତେବେଳେ ସେହି ସ୍ଥାନ ଦେଖାଇ ଦେବା ଉଚିତ୍ ଯେତେବେଳେ ସେମାନେ ନିଜର କର୍ତ୍ତବ୍ୟ ଭୁଲି ଅହଙ୍କାରୀ ହୋଇ ଯାଆନ୍ତି। କହ୍ନେୟା କୁମାର ସିଧାସଳଖ ନାମ ନ ନେଇ ବିଜେପିର ବରିଷ୍ଠ ନେତାଙ୍କ ପତ୍ନୀ ଅମୃତା ଫଡନଭିସଙ୍କୁ ଆକ୍ଷେପ କରିଛନ୍ତି। ଅମୃତା ଫଡନଭିସ ଜଣେ ପ୍ରଶିକ୍ଷିତ ଶାସ୍ତ୍ରୀୟ ସଙ୍ଗୀତ ଗାୟିକା ଓ ପେଶାରେ ଜଣେ ବ୍ୟାଙ୍କର। ସେ ସାମାଜିକ ଗଣମାଧ୍ୟମରେ ବେଶ ସକ୍ରିୟ ରହିଥାନ୍ତି।

କହ୍ନେୟା କୁମାର କହିଛନ୍ତି, ଯଦି ଏହା ଧର୍ମର ଯୁଦ୍ଧ ଏବଂ ନେତା ଧର୍ମ ବଞ୍ଚାଇବା ପାଇଁ ଭାଷଣ ଦେଉଛନ୍ତି, ସେମାନଙ୍କୁ ପ୍ରଶ୍ନ କରାଯାଉ କଣ ନେତାଙ୍କ ପୁଅ-ଝିଅ ବି ଧର୍ମର ଲଢେଇରେ ସାମିଲ ହେବେ। ସେମାନଙ୍କ ପରିବାର ଏଥିରେ ଭାଗ ନେବେ। ଏହା କେମିତି ସମ୍ଭବ ଯେ ଜନତା ଧର୍ମ ବଞ୍ଚାଇବେ ଏବଂ ନେତାଙ୍କ ପୁଅ  ବିଦେଶରେ ପାଠ ପଢିବେ ? ଜନତା ଧର୍ମ ବଞ୍ଚାଇବାର ଦାୟିତ୍ଵ କେମିତି ନେବେ ଯେଉଁଠି ଉପମୁଖ୍ୟମନ୍ତ୍ରୀଙ୍କ ପତ୍ନୀ ଇନଷ୍ଟାଗ୍ରାମରେ ରିଲ୍ କରୁଛନ୍ତି।

ଜେଏନୟୁର ପୂର୍ବତନ ଅଧ୍ୟକ୍ଷ କହିଛନ୍ତି, କଣ ଅମିତ ଶାହଙ୍କ ପୁଅ ଧର୍ମ ବଞ୍ଚାଇବା ପାଇଁ ସାମିଲ ହେବେ । ସେ ବିସିସିଆଇରେ ଆଇପିଏଲ୍ ଟିମରେ ଦଳ ତିଆରି କରୁଛନ୍ତି। ଯେବେ ଅନ୍ୟ କେହି ଡ୍ରିମ ୧୧ରେ ଦଳ ତିଆରି କରୁଛି ତାକୁ କ୍ରିକେଟର ହେବାର ସ୍ଵପ୍ନ ଦେଖାଉଛନ୍ତି। କିନ୍ତୁ ନିଜେ ସେ ଠିକରେ କ୍ରିକେଟ୍ ଖେଳି ନାହାନ୍ତି। 

ଏହା ଉପରେ ପ୍ରତିକ୍ରିୟା ବିଜେପି ମୁଖପାତ୍ର ଶେହଜାଦ ପୁନାଓ୍ଵାଲା ଫଡନଭିସଙ୍କ ପତ୍ନୀଙ୍କ ବିରୋଧରେ ହୋଇଥିବା ଟିପ୍ପଣୀକୁ ସମଗ୍ର ମରାଠୀ ମହିଳାଙ୍କ ପ୍ରତି ଅପମାନ ବୋଲି କହିଛନ୍ତି। ଏହି କହ୍ନେୟା ଆତଙ୍କବାଦୀ ଓ ସଂସଦ ଆକ୍ରମଣର ଦୋଷୀ  ଅଫଜଲ ଗୁରୁଙ୍କୁ ମହିମା ମଣ୍ଡନ କରିଛି। ଆତଙ୍କବାଦୀଙ୍କ ଭାଷା କହୁଥିବା ଏହି ନେତାଙ୍କଠୁ ଆଉ କଣ ଆଶା କରାଯାଏ ବୋଲି ପୁନାଓ୍ଵାଲା କହିଛନ୍ତି। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.