ପିଏମ୍ ମୋଦୀଙ୍କୁ ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ କରିବେ ଡୋମିନିକା ସରକାର, ପ୍ରଧାନମନ୍ତ୍ରୀଙ୍କୁ କହିଲେ ପ୍ରକୃତ ବନ୍ଧୁ

Published By : Prameya-News7 Bureau | November 14, 2024 IST

ନୂଆଦିଲ୍ଲୀ: ଡୋମିନିକା ସରକାର ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିଜର ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନିତ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଡୋମିନିକା ସରକାର ଏନେଇ ପ୍ରେସ୍ ବିଜ୍ଞପ୍ତି ଜାରି କରିଛନ୍ତି । ଏହା ଅନୁସାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଗୁୟାନାରେ ଆୟୋଜିତ ହେବାକୁ ଥିବା ଆଗାମୀ ଭାରତ-କ୍ୟାରିକୋମ୍ ସମ୍ମିଳନୀରେ ଏହି ସମ୍ମାନରେ ସମ୍ମାନିତ କରାଯିବ ।

ଡୋମିନିକା ସରକାର ବୟାନରେ କହିଛନ୍ତି ଯେ ରାଷ୍ଟ୍ରପତି ସେଲବେନି ବର୍ଟନ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଏହି ସମ୍ମାନରେ ସମ୍ମାନିତ କରିବେ । ୨୦୨୧ ଫେବ୍ରୁଆରିରେ ପିଏମ୍ ମୋଦୀ ଡୋମିନିକାର ଏକ ବହୁମୂଲ୍ୟ ଉପହାର ଦେଇ କରୋନା ଭ୍ୟାକ୍ସିନ ଆଷ୍ଟ୍ରାଜେନିକାର ୭୦ ହଜାର ଡୋଜ ପଠାଇଥିଲେ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହି ଉଦାରତା ଯୋଗୁଁ ଡୋମିନିକା ସରକାର ତାଙ୍କୁ ନିଜ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନିତ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏହାସହ ପିଏମ୍ ମୋଦୀଙ୍କ ନେତୃତ୍ୱରେ ଭାରତ, ଡୋମିନିକାର ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ଆଇଟି କ୍ଷେତ୍ରରେ ମଧ୍ୟ ସହଯୋଗ କରୁଛି । ଡୋମିନିକାରେ ଜଳବାୟୁ ପରିବର୍ତ୍ତନର ମୁକାବିଲା କ୍ଷେତ୍ରରେ ବି ଭାରତ ସହଯୋଗ କରୁଛି ।  

ଡୋମିନିକା ପ୍ରଧାନମନ୍ତ୍ରୀ ରୁଜୱେଲ୍ଟ ସ୍କର୍ମିଟ୍ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନିଜର ପ୍ରକୃତ ବନ୍ଧୁ ରୂପେ ଅଭିହିତ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ ଇଣ୍ଡିଆ କେରିକୋମ ସମ୍ମିଳନୀ ନଭେମ୍ୱର ୧୯ରୁ ୨୧ ଯାଏ ଗୁୟାନାର ଜର୍ଜଟାଉନରେ ଆୟୋଜିତ ହେବ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅନେକ ଦେଶ ନିଜର ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନିତ କରିସାରିଛନ୍ତି । ଗତ ଜୁଲାଇରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ନିଜ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ଅର୍ଡର୍ ଅଫର୍ ସେଣ୍ଟ ଆଣ୍ଡ୍ରୁ ଦ' ଏପୋଷ୍ଟଲରେ ସମ୍ମାନିତ କରିଥିଲେ । ଏହା ପୂର୍ବରୁ ପିଏମ୍ ମୋଦୀଙ୍କୁ ଭୂଟାନର ସର୍ବୋଚ୍ଚ ନାଗରିକ ସମ୍ମାନ ଅର୍ଡର ଅଫ୍ ଦ ଡ୍ରୁକ ଗ୍ୟାଲପୋରେ ସମ୍ମାନିତ କରାଯାଇଥିଲା । ଭୂଟାନ ପ୍ରଥମ ଥର ପାଇଁ କୌଣସି ଅଣଭୂଟାନୀ ନାଗରିକଙ୍କୁ ଏହି ସମ୍ମାନ ଦେଇଥିଲା । ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ୟୁଏଇ, ଆଫଗାନିସ୍ତାନ, ବାହାରିନ ଏବଂ ସାଉଦି ଆରବ, ଫ୍ରାନ୍ସ, ମିଶର, ଫିଜି, ପାପୁଆ ନ୍ୟୁ ଗିନି, ପଲାଓ, ଆମେରିକା, ମାଲଦ୍ୱୀପ, ଫାଲିସ୍ତିନର ସର୍ବୋଚ୍ଚ ନାଗରିକ ସମ୍ମାନ ମିଳିସାରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.