ଦିଲ୍ଲୀରେ ସମସ୍ତ ପ୍ରାଥମିକ ସ୍କୁଲ ବନ୍ଦ, ବଢୁଥିବା ପ୍ରଦୂଷଣକୁ ଦେଖି ସରକାରଙ୍କ ନିଷ୍ପତ୍ତି

Published By : Prameya-News7 Bureau | November 14, 2024 IST

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣ ଅତି ସଙ୍ଗୀନ ସ୍ଥିତିରେ ପହଞ୍ଚିଛି । ବାୟୁରେ ପ୍ରଦୂଷଣ ମାତ୍ରା ଏତେ ଅଧିକ ହୋଇଛି ଯେ, ଶେଷରେ ସରକାର ବିଭିନ୍ନ କଟକଣା ଲଗାଇବାକୁ ବାଧ୍ୟ ହୋଇଛନ୍ତି । ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀର ସମସ୍ତ ପ୍ରାଥମିକ ବିଦ୍ୟାଳୟକୁ ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ବନ୍ଦ କରାଯାଇଛି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ ମାର୍ଲେନା ଗୁରୁବାର ଏକ୍ସରେ ପୋଷ୍ଟ କରି ଏହି ଘୋଷଣା କରିଛନ୍ତି । ଏଥିରେ ସେ କହିଛନ୍ତି, 'ଦିଲ୍ଲୀରେ ବଢୁଥିବା ପ୍ରଦୂଷଣ ଯୋଗୁଁ ସବୁ ସ୍କୁଲରେ ଅନଲାଇନ କ୍ଲାସ୍ ହେବ ।' 

ଦିଲ୍ଲୀରେ ବାୟୁ ପ୍ରଦୂଷଣ ଅତି ସଙ୍ଗୀନ ସ୍ଥିତିରେ ପହଞ୍ଚିଛି । ଦିଲ୍ଲୀର ଏକ୍ୟୁଆଇ ସ୍ତର ଗୁରୁବାର ୪୦୦ ପାର୍ କରିଛି । ପ୍ରଦୂଷଣର ଏହି ସ୍ତରକୁ ଦେଖି ବାୟୁ ଗୁଣବତ୍ତା ପ୍ରବନ୍ଧନ ଆୟୋଗ ନଭେମ୍ୱର ୧୫ରୁ ଗ୍ରାପ୍-୩ ଲାଗୁ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏଥିରେ ନିର୍ମାଣ ସହ ଜଡ଼ିତ କାମକୁ ପ୍ରଦୂଷଣ ନିୟନ୍ତ୍ରଣ ହେବା ଯାଏ ବନ୍ଦ ରଖାଯିବ । ବିଲ୍ଡିଂ ଏବଂ ଘର ଭଙ୍ଗାରୁଜା, ଖନନ ସହ ସମସ୍ତ ପ୍ରକାର ଗତିବିଧି ବନ୍ଦ ରହିବ । ନଭେମ୍ୱର ୧୪ରେ ଦିଲ୍ଲୀର ଏକ୍ୟୁଆଇ ୪୨୮ ଥିଲା, ଯାହା ସହ ଚଳିତ ବର୍ଷରେ ପ୍ରଥମ ଥର ପାଇଁ ସିଭିୟର କ୍ୟାଟେଗୋରୀରେ ସାମିଲ ହୋଇଛି । 

ଦିଲ୍ଲୀ ଏନସିଆର ପାଇଁ ଗ୍ରେଡେଡ୍ ରେସପନ୍ସ ପ୍ଲାନ୍ (ଜିଆରପି)କୁ ଦିଲ୍ଲୀରେ ପ୍ରତିକୂଳ ବାୟୁ ଗୁଣବତ୍ତାକୁ ଚାରି ଭିନ୍ନ ଭିନ୍ନ ଫେଜ୍‌ରେ ବିଭକ୍ତ କରାଯାଇଛି :

ଫେଜ୍ ୧- ଖରାପ (AQI ୨୦୧-୩୦୦)

ଫେଜ୍ ୨- ଅତି ଖରାପ (AQI ୩୦୧-୪୦୦)

ଫେଜ୍ ୩- ଗମ୍ଭୀର (AQI ୪୦୧-୪୫୦)

ଫେଜ୍ ୪- ଅତି ଗମ୍ଭୀର (AQI >୩୦୦)

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.