ମୁମ୍ବାଇ ୧୪।୧୧: ମହାରାଷ୍ଟ୍ର ବିଧାନସଭା ନିର୍ବାଚନକୁ ଆଉ ମାତ୍ର କିଛିଦିନ ବାକି। ଏଥି ମଧ୍ୟରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଦ୍ୱାରା ଦିଆଯାଇଥିବା ‘ବଟେଙ୍ଗେ ତୋ କଟେଙ୍ଗେ’ ସ୍ଲୋଗାନକୁ ନେଇ ରାଜ୍ୟ ରାଜନୀତି ଏବେ ଉଷ୍ମ। ଗୋଟିଏ ପଟେ ବିରୋଧୀ ଏବେ ଏହାକୁ ପ୍ରସଙ୍ଗ କରିସାରିଥିବା ବେଳେ ମହାଯୁତିର ନେତା ବି ଏବେ ସ୍ଲୋଗାନରୁ ନିଜକୁ ଦୂରେଇବାକୁ ଉଦ୍ୟମ କରୁଛନ୍ତି।
ଉଲ୍ଲେଖଯୋଗ୍ୟ ଯେ ରାଜ୍ୟ ଡେପୁଟି ସିଏମ ଅଜିତ ପାୱାର, ବିଜେପି ନେତା ପଙ୍କଜା ମୁଣ୍ଡେ ଓ ଏବେ କିଛି ସମୟ ପୂର୍ବରୁ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚୌହାନ ମଧ୍ୟ ଏହାକୁ ଅପ୍ରାସଙ୍ଗିକ କହିଛନ୍ତି। ବିଜେପି ରାଜ୍ୟସଭା ସାଂସଦ ଅଶୋକ ଚୌହାନ କହିଛନ୍ତି ‘ବଟେଙ୍ଗେ ତୋ କଟେଙ୍ଗେ’ ସ୍ଲୋଗାନ ସମ୍ପୂର୍ଣ୍ଣ ଅପ୍ରାସଙ୍ଗିକ ଓ ମହାରାଷ୍ଟ୍ର ଜନତା ଏହାକୁ ପସନ୍ଦ କରିବେ ନାହିଁ। ଏହି ସ୍ଲୋଗାନର କୌଣସି ପ୍ରାସଙ୍ଗିକତା ନାହିଁ।
ନିର୍ବାଚନ ସମୟରେ ଏପରି ଅନେକ ସ୍ଲୋଗାନ ଦେଇ ହୋଇଯାଏ। ତେବେ ଏପରି ବିଶେଷ ସ୍ଲୋଗାନ ଭଲ ନୁହେଁ ମୋତେ ଲାଗୁନି ଲୋକେ ଏହାକୁ ପସନ୍ଦ କରିବେ। ବ୍ୟକ୍ତିଗତ ଭାବେ ମୁଁ ଏପରି ସ୍ଲୋଗାନର ବିରୋଧୀ, କାରଣ ଏହା ସମାଜ ନିମନ୍ତେ ଆଦୌ ଭଲ ନୁହେଁ। ଆମକୁ ଦେଖିବାର ଅଛି ଏହା ଯୋଗୁ କାହାର ଭାବନା ଯେପରି ଆହତ ନ ହୁଏ ବୋଲି ସେ କହିଛନ୍ତି।
ଏହା ପୂର୍ବରୁ ବିଜେପି ଏମଏଲସି ପଙ୍କଜା ମୁଣ୍ଡେ ଏହି ସ୍ଲୋଗାନକୁ ନେଇ କହିଥିଲେ ଯେ ମହାରାଷ୍ଟ୍ର ଲାଗି ବଟେଙ୍ଗେ ତୋ କଟେଙ୍ଗେ ସ୍ଲୋଗାନର ଆବଶ୍ୟକତା ନାହିଁ। ଆମେ ଏହାକୁ କେବଳ ଏଥି ପାଇଁ ସମର୍ଥନ କରିପାରିବା ନାହିଁ ଆମେ ବି ସେହି ପାର୍ଟିର ସଦସ୍ୟ। ମୁଁ ଭାବୁଛି ବିକାଶ ହିଁ ଅସଲି ପ୍ରସଙ୍ଗ। ନେତାଙ୍କ କାମ ହେଉଛି ଏହି ମାଟିରେ ରହୁଥିବା ପ୍ରତ୍ୟେକଙ୍କୁ ନିଜର ଭାବିବା। ଆମେ ମହାରାଷ୍ଚ୍ରକୁ ଏପରି ବିଷୟ ଆଣିବା ଉଚିତ ହୋଇ ନାହିଁ। ଯୋଗୀ ଆଦିତ୍ୟ ନାଥ ୟୁପି ପ୍ରସଙ୍ଗରେ ଏହା କହିଥିଲେ, ଯେଉଁଠି ରାଜନୌତିକ ପରିସ୍ଥିତି ଅଲଗା ପ୍ରକାରର। ତାଙ୍କ କଥାର ଅର୍ଥ ସେଇଆ ନୁହେଁ ଯାହା ଆମେ ଭାବୁଛେ ବୋଲି ପଙ୍କଜା କହିଛନ୍ତି।
ଉଲ୍ଲେଖଯୋଗ୍ୟ ଯେ ଅଜିତ ପାୱାର ମଧ୍ୟ ଏଠାରେ ସେପରି କଥା ଚଳିବନି ବୋଲି କହିଥିଲେ। ଏହା ୟୁପିରେ ଚଳୁଥାଇ ପାରେ ହେଲେ ମହାରାଷ୍ଟ୍ରରେ ବିଲକୁଲ ଚଳିବନି। ମହାରାଷ୍ଟ୍ର ସାଧୁସନ୍ଥଙ୍କର, ଶିବ ପ୍ରେମୀଙ୍କର, ଶିବାଜୀ ଓ ଆମ୍ବେଦକରଙ୍କ ରାଜ୍ୟ। ସେମାନେ ଶିଖାଇଥିବା କଥା ଆମ ରକ୍ତ ରକ୍ତରେ ରହିଛି ଆମେ ସେହି ରାସ୍ତାରେ ଚାଲିବୁ। ମୁସଲମାନଙ୍କ ଭାବନାକୁ ଠେସ ପହଞ୍ଚିବାକୁ ଆଦୌ ଦେବୁନି ବୋଲି କହିଥିଲେ।