୩୦ ବର୍ଷରେ ଦୁଇଗୁଣା ବଢ଼ିଛି ମଧୁମେହ ରୋଗୀଙ୍କ ସଂଖ୍ୟା: କିଡନୀ ଓ ହୃଦରୋଗ ସହ ହେଉଛି ଅକାଳ ମୃତ୍ୟୁ

Published By : Prameya-News7 Bureau | November 14, 2024 IST

internet

ନୂଆଦିଲ୍ଲୀ: ସାରା ବିଶ୍ୱକୁ ଗ୍ରାସିଲାଣି ମଧୁମେହ ରୋଗ। ଗତ ୩୦ ବର୍ଷରେ ମଧୁମେହ ରୋଗୀଙ୍କ ସଂଖ୍ୟା ଦୁଇଗୁଣିତ ହୋଇଛି। ସ୍ୱାସ୍ଥ୍ୟସମ୍ପର୍କିତ ରିପୋର୍ଟ ପ୍ରକାଶ କରୁଥିବା ପତ୍ରିକା ଲାନସେଟ୍‌ରେ ଏହି ଗବେଷଣା ରିପୋର୍ଟ ପ୍ରକାଶ ପାଇଛି। 

୧୯୯୦ ମସିହାରେ ପାଖାପାଖି ୭ ପ୍ରତିଶତ ଲୋକେ ଏଣ୍ଡୋକ୍ରାଇନ ରୋଗରେ ପୀଡ଼ିତ ଥିଲେ। ଫଳରେ ସେମାନଙ୍କ ଶରୀର ରକ୍ତ ସ୍ତର ସନ୍ତୁଳନ କରିବା ପାଇଁ ଆବଶ୍ୟକୀୟ ଇନ୍‌ସୁଲି ଉତ୍ପାଦନ କରିପାରୁ ନଥିଲା। ହେଲେ ୨୦୨୨ ବେଳକୁ ଏହା ୧୪ ପ୍ରତିଶତକୁ ବୃଦ୍ଧି ପାଇଥିଲା ବୋଲି ଗବେଷଣାରେ ଜଣାପଡ଼ିଛି। 

ଏହାର ଅର୍ଥ ୧୯୯୦ ମସିହାରେ ୨୦୦ ମିଲିଅନ ଲୋକେ ମଧୁମେହ ରୋଗରେ ପୀଡ଼ିତ ଥିଲେ। ହେଲେ ଆଜି ଏହା ୮୦୦ ମିଲିଅନକୁ ବୃଦ୍ଧି ପାଇଛି। ଏଥିରେ ଉଭୟ ପିଲାବେଳୁ ହେଉଥିବା ଟାଇପ୍-୧ ଡାଇବେଟିସ୍ ଓ ମୋଟାପଣ ଓ ଖରାପ ଖାଇବା ଦ୍ୱାରା ହେଉଥିବା ଟାଇପ୍-୨ ମଧୁମେହ ରହିଛି। 

ରିପୋର୍ଟ ଅନୁସାରେ ବିକଶିତ ଓ ବିକାଶଶୀଳ ଦେଶ ମଧ୍ୟରେ ଥିବା ରିକ୍ସ ଓ ଚିକିତ୍ସା ବ୍ୟବଧାନ ବଢ଼ିବା ମଧ୍ୟ ଏକ ସମସ୍ୟା। କିଛି ଦେଶ ଜାପାନ, କାନାଡ଼ା,ଫ୍ରାନ୍ସ ଏବଂ ଡେନମାର୍କ ଭଳି ଦେଶରେ ମଧୁମେହ କମୁଥିବା ବେଳେ କିଛି ବିକାଶଶୀଳ ଦେଶଗୁଡ଼ିକରେ ଏହି ରୋଗ ବଢୁଥିବା ଦେଖିବାକୁ ମିଳିଛି। 
ରିପୋର୍ଟରେ ଗବେଷକ ଲେଖିଛନ୍ତି “କମ୍ ଓ ମଧ୍ୟମ ଆୟକାରୀ ଦେଶଗୁଡ଼ିକରେ ଅଧିକ ମାତ୍ରାରେ ମଧୁମେହ ଓ ଚିକିତ୍ସା ହୋଇପାରୁ ନଥିବା ମେଧୁମେହ ରୋଗରେ ଆକ୍ରାନ୍ତ ହେଉଛି।” ବିଶେଷକରି ପାକିସ୍ତାନକୁ ଉଦାହରଣ ଦେଇ ଗବେଷଣାରେ କୁହାଯାଇଛି ଯେ ୧୯୯୦ ମସିହାରେ ଏକ ଦଶମାଂଶ(୧୦ ଜଣରୁ ଜଣେ) ମହିଳା ମଧୁମେହ ରୋଗରେ ପୀଡ଼ିତ ଥିଲେ। ବର୍ତ୍ତମାନ ଏହା ଏକ ତୃତୀୟାଂଶ( ତିନି ଜଣରୁ ଜଣେ) ହୋଇଗଲାଣି। ଚିକିତ୍ସା ବ୍ୟବଧାନ ମଧ୍ୟ ବଢ଼ିଛି।

ପ୍ରତି ୫ ଜଣରୁ ୩ ଜଣ ଅର୍ଥାତ ୪୪୫ ମିଲିଅନ ଲୋକ ମଧୁମେହ ପାଇଁ ଚିକିତ୍ସା ପାଇପାରୁ ନାହାନ୍ତି। ଏହି ଶ୍ରେଣୀରେ କେବଳ ଭାରତରୁ ଏକ ତୃତୀୟାଂଶ ଲୋକ ରହିଛନ୍ତି। ଉପସାହାର ଅଫ୍ରିକାରେ କେବଳ ୫ ରୁ ୧୦ ପ୍ରତିଶତ ଲୋକଙ୍କୁ ମଧୁମେହ ପାଇଁ ଚିକିତ୍ସା ମିଳିପାରୁଛି। ଚିକିତ୍ସା ହୋଇପାରୁ ନଥିବାରୁ ମଧୁମେହ ସମ୍ପର୍କିତ ଅମ୍ପ୍ୟୁଟେସନ, ହୃଦରୋଗ, କିଡନୀ ରୋଗ, ଦୃଷ୍ଟି ଶକ୍ତି ହରାଇବା ସହିତ କିଛି କିଛି କ୍ଷେତ୍ରରେ ଅକାଳ ମୃତ୍ୟୁ ମଧ୍ୟ ଘଟୁଛି ବୋଲି ଇମ୍ପେରିଆଲ କଲେଜ୍ ଅଫ୍ ଲଣ୍ଡନର ବରିଷ୍ଠ ଗବେଷକ ମଜିଦ ଇଜ୍ଜାତି କହିଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.