କର୍ଣ୍ଣାଟକରେ ଚାଲିବାର ଥିଲା BJPର ଅପରେସନ ଲୋଟସ! ଶିବକୁମାର କହିଲେ- କଂଗ୍ରେସ MLAଙ୍କୁ ମିଳିଥିଲା କେଉଁ ଅଫର?

Published By : Prameya-News7 Bureau | November 14, 2024 IST

ବେଙ୍ଗାଲୁରୁ ୧୪।୧୧: କର୍ଣ୍ଣାଟକରେ ସିଦ୍ଦାରମୈୟା ସରକାରଙ୍କ ଉପରେ ସଂକଟର ବାଦଲ ଘନେଇଥିଲା। ମୁଖ୍ୟମନ୍ତ୍ରୀ ସିଦ୍ଦାରମୈୟା   ନିଜେ ଦାବି କରିଛନ୍ତି ଯେ କର୍ଣ୍ଣାଟକରେ ‘ଅପରେସନ ଲୋଟସ୍’ ଚାଲିବାର ଥିଲା। ଏଥିରେ ବିଜେପି ତାଙ୍କ ସରକାର ଭାଙ୍ଗିବାକୁ ଯାଉଥିଲା। ସିଦ୍ଦାରମୈୟା ଦାବି କରିଛନ୍ତି ରାଜ୍ୟରେ ସରକାର ଭାଙ୍ଗିବା ପାଇଁ ୫୦ ଜଣ କଂଗ୍ରେସ ବିଧାୟକଙ୍କୁ ଜଣକ ପିଛା ୫୦ କୋଟି ଟଙ୍କା ପ୍ରସ୍ତାବ ଦିଆଯାଇଥିଲା। ସିଦ୍ଦାରମୈୟାଙ୍କ ଏହି ଦାବିକୁ ଏବେ ଡେପୁଟି ସିଏମ ଡି.କେ.ଶିବକୁମାର ସମର୍ଥନ କରିଛନ୍ତି। 

ଶିବକୁମାର କହିଛନ୍ତି ଯେ କଂଗ୍ରେସ ବିଧାୟକଙ୍କୁ ବିଜେପିର କଥିତ ଅପରେସନ ଲୋଟସ୍ ସମ୍ପର୍କରେ ଆଗୁଆ ସୂଚନା ଦିଆଯାଇଥିଲା। ଆମର କେତେକ ବିଧାୟକ ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ କହିଥିଲେ ଓ ସେ ଏହାକୁ ଗଣମାଧ୍ୟମ ଆଗରେ ଉପସ୍ଥାପନ କରିଥିଲେ। ମୌସୁରର ଏକ କାର୍ଯ୍ୟକ୍ରମରେ ସିଦ୍ଦାରମୈୟା ଏହି ଦାବିକୁ ଦୋହରାଇବା ସହିତ କଂଗ୍ରେସର କୌଣସି ବିଧାୟକ ପ୍ରସ୍ତାବକୁ ସ୍ୱୀକାର କରିନଥିବା କହିଛନ୍ତି। 

ଉଲ୍ଲେଖଯୋଗ୍ୟ ଯେ ଅପରେସନ ଲୋଟସ ଶବ୍ଦର ବ୍ୟବହାର ବିଜେପି ଦ୍ୱାରା କିଣାବିକା ମାଧ୍ୟମରେ କ୍ଷମତାସୀନ ସରକାରଙ୍କୁ ଅସ୍ଥିର କରିବା ପାଇଁ କରାଯାଏ। ଶିବକୁମାର କହିଛନ୍ତି ଯେ ବିଜେପି ତାଙ୍କର ସ୍ଥିର ସରକାରକୁ ହଟେଇବା ପାଇଁ ଭ୍ରମାତ୍ମକ ଓ ମିଥ୍ୟାମାମଲା ରୁଜୁ କରୁଛନ୍ତି। ସେ କହିଛନ୍ତି ଯେ ଏହି ସବୁ ସଡ଼ଯନ୍ତ୍ର କେବଳ ସରକାର ଭାଙ୍ଗିବା ପାଇଁ, ଯାହା କେବେବି ସଫଳ ହେବ ନାହିଁ। ତେବେ ବିଜେପି ଏ ପର୍ଯ୍ୟନ୍ତ ଏହି ଅଭିଯୋଗର କୌଣସି ଜବାବ ଦେଇ ନାହିଁ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.