ନୂଆଦିଲ୍ଲୀ: ରାଜସ୍ଥାନରେ ବିଧାନସଭା ଉପ-ନିର୍ବାଚନ ସମୟରେ ଏସଡିଏମଙ୍କୁ ମାଡ଼ ମାରିବା ଘଟଣାରେ ପୋଲିସ ସ୍ବାଧୀନ ପ୍ରାର୍ଥୀ ନରେଶ ମିନାଙ୍କୁ ଗିରଫ କରିଛି । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି । ନରେଶଙ୍କ ଗିରଫକୁ ବିରୋଧ କରି ତାଙ୍କ ସମର୍ଥକମାନେ ରାଜରାସ୍ତାକୁ ଓହ୍ଲାଇ ଆସିଛନ୍ତି । ସ୍ଥାନୀୟ ଅଞ୍ଚଳରେ ଚକଅଖ ଜାମ୍ କରିଦେଇଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଛି ।
ଉତ୍ତେଜନା ବେଳେ ପୋଲିସ ଏବଂ ଉପଦ୍ରବୀ ମୁହାଁମୁହିଁ ହୋଇଛନ୍ତି । ଏହି ସମୟରେ ବିକ୍ଷୋଭକାରୀମାନେ ପୋଲିସ ଉପରକୁ ପଥର ମାଡ଼ କରିଥିବା ଅଭିଯୋଗ ହୋଇଛି । ଉପଦ୍ରବୀଙ୍କୁ ଘଉଡେଇବାକୁ ପୋଲିସ ହାଲୁକା ଲୁହ ବୁହା ଗ୍ୟାସ୍ ପ୍ରୋୟଗ କରିଥିଲା । ପୋଲିସ କିଛି ଉପଦ୍ରବୀଙ୍କୁ ଗିରଫ କରିଥିବା ସୂଚନା ରହିଛି । ବୁଧବାର ରାଜସ୍ଥାନର ୭ଟି ବିଧାନସଭା କ୍ଷେତ୍ରରେ ଉପନିର୍ବାଚନ ହୋଇଛି । ଦେଓ୍ବାଲୀ-ଅନିୟାରା ବିଧାନସଭାରେ ଭୋଟ୍ ବେଳେ ସମରାବତା ଗାଁର ସ୍ବାଧୀନ ପ୍ରାର୍ଥୀ ନରେଶ ମିନା ସ୍ଥାନୀୟ ଉପ-ଜିଲ୍ଲାପାଳଙ୍କୁ ଚାପୁଡ଼ ମାରିଥିଲେ । ଏନେଇ ଉପ-ଜିଲ୍ଲାପାଳ ରୁଜୁ କରିବା ପରେ ଗୁରୁବାର ନରେଶ ମିନାଙ୍କୁ ପୋଲିସ୍ ଗିରଫ କରିଛି । ଯାହାପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଛି।...