୩ ଦେଶ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ମୋଦୀ, ୫୬ ବର୍ଷ ପରେ କୌଣସି ପ୍ରଧାନମନ୍ତ୍ରୀଙ୍କ ଗୁଏନା ଯାତ୍ରା

Published By : Prameya-News7 Bureau | November 12, 2024 IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚଳିତ ସପ୍ତାହରେ ତିନି ଦେଶ ଯାତ୍ରାରେ ବିଦେଶ ଗସ୍ତ କରିବେ। ଏହି ସମୟରେ ପ୍ରଧାନମନ୍ତ୍ରୀ ବ୍ରାଜିଲରେ ଆୟୋଜିତ ହେବାକୁ ଥିବା ଜି-୨୦ ଶିଖର ସମ୍ମିଳନୀରେ ଯୋଗ ଦେବେ। ଏଥିପାଇଁ ପ୍ରଧାନମନ୍ତ୍ରୀ ନଭେମ୍ବର ୧୮-୧୯ରେ ବ୍ରାଜିଲ ଗସ୍ତରେ ରହିବେ  ଓ ସମ୍ମିଳନୀରେ ବୈଶ୍ଵିକ ପ୍ରସଙ୍ଗରେ ଭାରତର ପକ୍ଷ ଉପସ୍ଥାପନ କରିବେ। ଏହା ପରେ ଆଫ୍ରିକୀୟ ଦେଶ ନାଇଜେରିଆ ଓ ଦକ୍ଷିଣ ଆମେରିକୀୟ ଦେଶ ଗୁଏନା ଯାତ୍ରା କରିବେ। ବୈଦେଶିକ ମନ୍ତ୍ରଣାଳୟ ମଙ୍ଗଳବାର ଏକ ବିଜ୍ଞପ୍ତିରେ ଏହାର ସୂଚନା ଦେଇଛି।

ତିନି ଦେଶର ଯାତ୍ରା ସମୟରେ ପିଏମ ମୋଦୀଙ୍କ ମୁଖ୍ୟ କାର୍ଯ୍ୟକ୍ରମ ନଭେମ୍ବର ୧୮-୧୯ରେ ବ୍ରାଜିଲର ରାଜଧାନୀ ରିଓ ଡି ଜେନେରିଆରେ ହେବାକୁ ଥିବା ଜି-୨୦ ଶିଖର ସମ୍ମିଳନୀରେ ଯୋଗ ଦେବେ। ବ୍ରାଜିଲ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ନଭେମ୍ବର ୧୬-୧୭ରେ ନାଇଜେରିଆ ଯାତ୍ରା କରିବେ। ଗତ ୧୭ ବର୍ଷରେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ଏହା ପ୍ରଥମ ନାଇଜେରିଆ ଗସ୍ତ ହେବ। ନାଇଜେରିଆର ରାଷ୍ଟ୍ରପତି ବୋଲା ଅହମ୍ମଦ ଟିନୁବୁଙ୍କ ନିମନ୍ତ୍ରଣ କ୍ରମେ ପ୍ରଧାନମନ୍ତ୍ରୀ ମୋଦୀ ଏହି ଦେଶ ଯାତ୍ରା କରିବେ।ଏହି ଗସ୍ତରେ ନାଇଜେରିଆ ମଧ୍ୟରେ ରଣନୈତିକ ଭାଗିଦାରୀର ସମୀକ୍ଷା କରିବା ବ୍ୟତୀତ ଦ୍ଵିପାକ୍ଷିକ ସଂପର୍କକୁ ଆଗେଇ ନେବା ଉପରେ ଆଲୋଚନା କରିବେ।

ଏହି ଦୁଇ ଦିନିଆ ଗସ୍ତରେ ପ୍ରଧାନମନ୍ତ୍ରୀ ସେଠାକାର ଭାରତୀୟ ସମୁଦାୟକୁ ସମ୍ବୋଧିତ କରିବେ। ଭାରତ ଓ ନାଇଜେରିଆ ୨୦୦୭ରୁ ରଣନୈତିକ ଭାଗିଦାରୀ ରହି ଆସିଛନ୍ତି। ଦୁଇ ଦେଶ ଆର୍ଥିକ, ଉର୍ଜା ଓ ପ୍ରତିରକ୍ଷା ସହଯୋଗରେ କାମ କରି ଆସିଛନ୍ତି। ପ୍ରାୟ ୨୦୦ ଭାରତୀୟ କମ୍ପାନି ନାଇଜେରିଆରେ ୨୭ ବିଲିୟନ ଡଲାରରୁ ଅଧିକ ନିବେଶ କରିଛନ୍ତି।

ଏହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନଭେମ୍ବର ୧୯ରୁ ୨୧ ପର୍ଯ୍ୟନ୍ତ ଗୁଏନାର ରାଜକୀୟ ଯାତ୍ରାରେ ରହିବେ। କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ୧୯୬୮ ପରେ ଏହା ପ୍ରଥମ ଯାତ୍ରା ହେବ। ରାଷ୍ଟ୍ରପତି ମହମ୍ମଦ ଇରଫାନ ଅଲ୍ଲୀଙ୍କ ନିୟନ୍ତ୍ରଣ କ୍ରମେ ପ୍ରଧାନମନ୍ତ୍ରୀ ମୋଦୀ ଗୁଏନା ଗସ୍ତରେ ଯାଉଛନ୍ତି। ଏହି ଯାତ୍ରାରେ ଉଭୟ ପକ୍ଷ ମଧ୍ୟରେ ଦ୍ଵିପାକ୍ଷିକ ଆଲୋଚନା ହେବ। ଏହା ବ୍ୟତୀତ ମୋଦୀ ଗୁଏନାର ବରିଷ୍ଠ ନେତାଙ୍କୁ ଭେଟିବା ସହିତ ସାଂସଦ ଓ ପ୍ରବାସୀ ଭାରତୀୟଙ୍କ ଏକ ସଭାକୁ ସମ୍ବୋଧିତ କରିବେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.