ନୂଆଦିଲ୍ଲୀ ୧୪/୧୧: ଆମେରିକା ନିର୍ବାଚନରେ ବିଜୟ ପରେ ୨୦୨୫ ଜାନୁଆରୀରେ ଶପଥ ନେବେ ଡୋନାଲ୍ଡ ଟ୍ରମ୍ପ । ଏହାପୂର୍ବରୁ ସେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କୁ ହ୍ୱାଇଟ୍ ହାଉସ୍ରେ ଭେଟିଛନ୍ତି । ନିର୍ବାଚନ ପରେ ଉଭୟଙ୍କ ଏହା ପ୍ରଥମ ସାକ୍ଷାତକାର । ଓଭାଲ ଅଫିସରେ ଆୟୋଜିତ ଏହି ବୈଠକରେ ଉଭୟ ନେତା ଅନେକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଛନ୍ତି । ତେବେ ଚାଲିଥିବା ଋଷ-ୟୁକ୍ରେନ ଯୁଦ୍ଧ ନେଇ ଉଭୟ ଆଲୋଚନା କରିଥିବା ଜଣାପଡ଼ିଛି।
କହିବାକୁ ଗଲେ ୨୦୨୦ରେ ବାଇଡେନ୍ଙ୍କଠାରୁ ପରାସ୍ତ ହେବା ପରେ ଟ୍ରମ୍ପ, ବାଇଡେନ୍ଙ୍କ ବିରୋଧରେ ଆଣିଥିଲେ ସଂଗୀନ ଅଭିଯୋଗ । ନିର୍ବାଚନରେ ସ୍ୱଚ୍ଛତା ବଜାୟ ରଖି ନଥିବା କହିଥିଲେ ଟ୍ରମ୍ପ। ଏହାପରଠୁ ଉଭୟଙ୍କ ମଧ୍ୟରେ ହୋଇନଥିଲା କୌଣସି ସାକ୍ଷାତକାର । ତେବେ ଏଥର ଟ୍ରମ୍ପ ଜିତିବା ପରେ ସତ୍ତା ହସ୍ତାନ୍ତର ନେଇ ଉଭୟ ଆଲୋଚନା କରିଥିଲେ। ଏହାବାଦ୍ ବାଇଡେନ ଏବଂ ଟ୍ରମ୍ପ ୟୁକ୍ରେନ ଓ ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ନେଇ ଆଲୋଚନା କରିଥିଲେ।
ଆମେରିକାର ଜାତୀୟ ସୁରକ୍ଷା ପାଇଁ ୟୁକ୍ରେନକୁ ସମର୍ଥନ କରିବା ଅତ୍ୟନ୍ତ ଜରୁରୀ ବୋଲି ସେଠାରେ ମତ ପ୍ରକାଶ ପାଇଥିଲା । ଏନେଇ ହ୍ୱାଇଟ ହାଉସର ଜାତୀୟ ସୁରକ୍ଷା ପରାମର୍ଶଦାତା ଜେକେ ସଲିଭାନ୍ ସୂଚନା ଦେଇଛନ୍ତି। ବୈଠକ ଆରମ୍ଭରେ ବାଇଡେନ୍ ଟ୍ରମ୍ପଙ୍କୁ ସ୍ୱାଗତ କରିଥିଲେ ଏବଂ ଦୁହେଁ ଓଭାଲ ଅଫିସରେ ଆଲୋଚନା କରିଥିଲେ । ବାଇଡେନ ଟ୍ରମ୍ପଙ୍କୁ କହିଥିଲେ, ଯଥା ସମ୍ଭବ ଶାନ୍ତିପୂର୍ଣ୍ଣ ଭାବରେ କ୍ଷମତା ହସ୍ତାନ୍ତର କରିବେ। ଏଥିରେ ଟ୍ରମ୍ପ ବାଇଡେନ୍ଙ୍କୁ ଧନ୍ୟବାଦ ଜଣାଇଥିଲେ।
#WATCH | Washington, DC, USA: President Joe Biden and President-elect Donald Trump meet at the White House after US presidential polls
— ANI (@ANI) November 13, 2024
(Source: US Network Pool/Reuters) pic.twitter.com/c16I3lSohB
ଜୁଲାଇ ପର୍ଯ୍ୟନ୍ତ ବାଇଡେନ୍ ଟ୍ରମ୍ପଙ୍କ ପ୍ରତିଦ୍ୱନ୍ଦ୍ୱୀ ଥିଲେ। କିନ୍ତୁ ରିପବ୍ଲିକାନ୍ ନେତାଙ୍କ ବିରୋଧରେ ହୋଇଥିବା ବିତର୍କରେ ତାଙ୍କର ଖରାପ ପ୍ରଦର୍ଶନ ଡେମୋକ୍ରାଟଙ୍କ ମଧ୍ୟରେ ତାଙ୍କର ମାନସିକ ସୁସ୍ଥତା ଏବଂ ଦ୍ୱିତୀୟ ଥର ପାଇଁ ନିର୍ବାଚନ ଲଢିବା ନେଇ ଚିନ୍ତା ବଢାଇ ଦେଇଥିଲା। ଅନେକ ଗଣତାନ୍ତ୍ରିକ ନେତା ବାଇଡେନଙ୍କୁ ଇସ୍ତଫା ଦେବାକୁ କହିଥିଲେ। ପରେ ବାଇଡେନ ରାଷ୍ଟ୍ରପତି ନିର୍ବାଚନ ରେସ୍ରୁ ଓହରି ଉପରାଷ୍ଟ୍ରପତି କମଲା ହାରିସଙ୍କୁ ସମର୍ଥନ କରିଥିଲେ। ଟ୍ରମ୍ପ ଓ ବାଇଡେନ୍ ସର୍ବଦା ପ୍ରତିଦ୍ୱନ୍ଦୀ ଥିବା ବେଳେ ବୁଧବାର ଆଲୋଚନାରେ ଏହା କିଛି ବି ପ୍ରଭାବ ପକାଇ ନଥିଲା।
ନିର୍ବାଚନ ପ୍ରଚାର ସମୟରେ ୮୧ ବର୍ଷୀୟ ବାଇଡେନ ଟ୍ରମ୍ପଙ୍କୁ ଗଣତନ୍ତ୍ର ପ୍ରତି ବିପଦ କହିଥିବା ବେଳେ୭୮ବର୍ଷୀୟ ଟ୍ରମ୍ପ ବାଇଡେନଙ୍କୁ ଅଯୋଗ୍ୟ ବୋଲି କହିଥିଲେ। ଏହାପରେ ମଧ୍ୟ ଉଭୟ ନେତା ଏହାକୁ ଭୁଲି ଯାଇ ଶାନ୍ତିପୂର୍ଣ୍ଣ ଆଲୋଚନା କରିଥିଲେ। ପ୍ରଥମ ଲେଡି ଜିଲ ବାଇଡେନ ତାଙ୍କ ସ୍ୱାମୀଙ୍କ ସହ ଯୋଗ ମିଶି ଟ୍ରମ୍ପଙ୍କୁ ବିଜୟ ପାଇଁ ଅଭିନନ୍ଦନ ଜଣାଇଥିଲେ। ସେ ତାଙ୍କୁ ପୂର୍ବତନ ପ୍ରଥମ ଲେଡି ମେଲାନିଆ ଟ୍ରମ୍ପଙ୍କୁ ସମ୍ବୋଧିତ ପତ୍ର ପ୍ରଦାନ କରିଥିଲେ।