ନୂଆଦିଲ୍ଲୀ: ଆମେରିକାର ସେଣ୍ଟ୍ରାଲ ନ୍ୟୁ ଅରଲ୍ୟାନ୍ସ ସହରରେ ନୂଆବର୍ଷ ପାଳନ ପାଇଁ ଭିଡ଼ ଜମିଥିଲା । ଜିରୋ ନାଇଟ୍ ସେଲିବ୍ରେସନ ପାଇଁ ସମସ୍ତ ଅପେକ୍ଷା କରିଥିଲେ । ହଠାତ୍ ଏକ ଟ୍ରକ୍ ଦ୍ରୁଗଗତିରେ ଆସି ତାଙ୍କ ଉପରେ ମାଡ଼ି ଯାଇଥିଲା । ଏହି ଘଟଣାରେ ୧୫ଜଣ ପ୍ରାଣ ହରାଇଥିବା ବେଳେ ୩୦ଜଣ ଆହତ ହୋଇଛନ୍ତି । ତେବେ ଏହି ଘଟଣାରେ ଏବେ ଟୁଇଷ୍ଟ ସାମ୍ନାକୁ ଆସିଛି । ଏହି ଦୁର୍ଘଟଣା ଗାଡ଼ି ଭାରସାମ୍ୟ ହରାଇବାରୁ ନାହିଁ ବରଂ ଏହାକୁ ଜାଣିଶୁଣି କରାଯାଇଛି । ଏହା ଏକ ଆତଙ୍କବାଦୀ ଆକ୍ରମଣ ବୋଲି କୁହାଯାଉଛି । ଯେଉଁ ଆତତାୟୀ ମାନେ ଲୋକଙ୍କ ଉପରେ ଗାଡ଼ି ମଡ଼ାଇ ଦେଇଥିଲେ, ସେମାନେ ଆଇଏସଆଇଏସ ଲିଙ୍କରେ ଥିବା ଜଣାପଡ଼ିଛି । ରାଷ୍ଟ୍ରପତି ଜୋ-ବାଇଡେନ କହିଛନ୍ତି, ଆତଙ୍କବାଦୀ ମାନେ ଆଇଏସଆଇଏସ ସଂଗଠନରୁ ପ୍ରେରିତ ଥିଲେ ।
ଜଣେ ପୋଲିସ ଅଧିକାରୀ କହିଛନ୍ତି, ହମଲାରେ ଲିଙ୍କ୍ ଥିବା ଆତଙ୍କବାଦୀଙ୍କ ପରିଚୟ ମିଳିପାରିନାହିଁ । ସେମାନେ ଏକ ଧଳା ରଙ୍ଗର ପିକ୍ଅପ୍ ଭ୍ୟାନରେ ଆସି ଭିଡ଼ ଲାଗିଥିବା ସ୍ଥାନରେ ଗାଡ଼ି ମଡ଼ାଇ ଦେଇଥିଲେ । ଏହାପରେ ଆତଙ୍କ ସାମଶୁଦ୍ଦିନ ଜବର ପୋଲିସ ଉପରକୁ ଗୁଳିମାଡ଼ କରିଥିଲେ । ଯେଉଁଥିରେ ଜଣେ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଛି । ୨ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି ।
ରିପୋର୍ଟରେ କୁହାଯାଇଛି, ଦୁର୍ଘଟଣାସ୍ଥଳରୁ ଏକ ଦେଶୀ ଅଫୁଟା ବୋମା ମଧ୍ୟ ଜବତ ହୋଇଛି । ଘଟଣାରେ ଯାଞ୍ଚ କରୁଥିବା ସଂଘୀୟ ଯାଞ୍ଚ ବ୍ୟୁରୋ ସୁନିଶ୍ଚିତ କରିଛି, ପୋଲିସ କିଛି ସନ୍ଦିଗ୍ଧ ପ୍ୟାକେଟକୁ ନଷ୍ଟ କରି ଦେଇଛି । ଏହି ହମଲା ଶୁଗର ବାଓ୍ବଲ୍ ଆୟୋଜନର କିଛି ସମୟ ପୂର୍ବର ହୋଇଛି । ସୁଗର ବାଓ୍ବଲ ଏକ ବାର୍ଷିକ ଫୁଟବଲ ଖେଳ । ଏହା ନୂଆବର୍ଷ ହୋଇଥାଏ , ଏହି ଖେଳକୁ ଦେଖିବାକୁ ବହୁ ସଂଖ୍ୟାରେ ଲୋକ ଭିଡ଼ ଲଗାଇଥାନ୍ତି । ତେବେ ସେଣ୍ଟ୍ରାଲ ନ୍ୟୁ ଅରଲ୍ୟାନ୍ସ ସହର ଆତଙ୍କବାଦୀ ଆକ୍ରମଣ ପରେ ଏହି ଟୁର୍ଣ୍ଣାମେଣ୍ଟକୁ ନେଇ ଆୟୋଜନ କରୁଥିବା କର୍ତ୍ତୃପକ୍ଷ ମଧ୍ୟରେ ଭୟ ବଢ଼ିଯାଇଛି । ଏହି ଆତଙ୍କବାଦୀ ଆକ୍ରମଣ ଆମେରିକା ରାଷ୍ଟ୍ରପତି ଜୋ-ବାଇଡେନଙ୍କ କାର୍ଯ୍ୟକାଳର ଶେଷ ଦିନ ଏବଂ ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶପଥ ଗ୍ରହଣ ପୂର୍ବରୁ ହୋଇଛି ।
ପୋଲିସ ଅନୁସାରେ, ଜାଣିଶୁଣି ଯୋଜନାବଦ୍ଧ ଭାବେ ଏହି ଆକ୍ରମଣ କରାଯାଇଛି । ପୋଲିସ କହିଛି, ଯେ ବ୍ୟସ୍ତବହୁଳ ବର୍ବନ ଷ୍ଟ୍ରିଟ୍ରେ ହଜାର ହଜାର ଲୋକ ଉତ୍ସବ ପାଳୁଥିଲେ । ଏହି ସମୟରେ ଏକ ଟ୍ରକ୍ ମାଡ଼ି ଆସିଥିଲା । କେତେକଙ୍କ ଉପରେ ଟ୍ରକ୍ ମାଡ଼ିଯାଇଥିବା ବେଳେ ଲୋକେ ସେଠାରୁ ପ୍ରାଣ ବିକଳରେ ଧାଁଦୌଡ଼ କରିଥିଲେ । ଦଳାଚକଟାରେ ବି ଅନେକ ଲୋକ ଆହତ ହୋଇଛନ୍ତି । ଲୁଇସିଆନା ଗଭର୍ନର ଏହାକୁ ଆତଙ୍କବାଦୀ ଆକ୍ରମଣ ବୋଲି କହିଛନ୍ତି । ଗତ ଡିସେମ୍ବର ୨୦ରେ ଜର୍ମାନୀର ମାଗ୍ଡେବର୍ଗ ସହରରେ ଏକ ମାର୍କେଟରେ ଜଣେ ସାଉଦୀ ଡାକ୍ତର ଏହିଭଳି କାଣ୍ଡ ଘଟାଇଥିଲେ । ସେ ଲୋକଙ୍କ ଉପରେ ଗାଡ଼ି ମଡ଼ାଇଦେବା ଫଳରେ ୫ ଜଣଙ୍କ ମୃତ୍ୟୁ ଘଟିଥିଲା । ୨୦୦ରୁ ଅଧିକ ଆହତ ହୋଇଥିଲେ ।