ରାଞ୍ଚି: ଝାଡ଼ଖଣ୍ଡରେ ସରିଲା ପ୍ରଥମ ପର୍ଯ୍ୟାୟ ଭୋଟ୍ । ୪୩ ଆସନରେ ୬୮୩ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍ରେ ସିଲ୍ ହୋଇଛି । ନିର୍ବାଚନ କମିଶନଙ୍କ ରିପୋର୍ଟ ମୁତାବକ ସଂଧ୍ୟା ୫ଟା ସୁଦ୍ଧା ଝାଡ଼ଖଣ୍ଡରେ ୬୬.୩୭%ରୁ ଅଧିକ ଭୋଟିଂ ହୋଇଛି । ବାହରଗୋଡ଼ା ବିଧାନସଭା କ୍ଷେତ୍ରରେ ସର୍ବାଧିକ ୭୭.୩୨% ଓ ଜାମସେଦପୁରରେ ସର୍ବନିମ୍ନ ୫୫.୯୫% ଭୋଟ୍ ପଡ଼ିଛି । ଲୋହରଦଗାରେ ୭୩.୨୧% ଭୋଟିଂ ହୋଇଥିବା ବେଳେ ପୂର୍ବ ସିଂହଭୂମ ଜିଲ୍ଲାର ପୋଟକା ବିଧାନସଭା ଆସନରେ ୭୨.୨୯% ମତଦାନ ହୋଇଛି । ରାଜଧାନୀ ରାଞ୍ଚିର ମାଣ୍ଡର ଆସନରେ ୭୨.୧୩%, ଗୁମଲା ଜିଲ୍ଲାର ସିସଇ ବିଧାନସଭା ଆସନରେ ୭୧.୨୧% ଭୋଟିଂ ହୋଇଛି । ଅପରାହ୍ନ ୫ଟା ସୁଦ୍ଧା ରାଜ୍ୟରେ ଶାନ୍ତିପୂର୍ଣ୍ଣ ମତଦାନ ହୋଇଥିଲା । କିଛି ବୁଥରେ ସନ୍ଧ୍ୟା ୫ଟା ପରେ ପହଞ୍ଚିଥିବା ମତଦାତାଙ୍କୁ ମତାଧିକାର ପାଇଁ ସୁଯୋଗ ମିଳିଥିଲା । ସହରାଞ୍ଚଳ ତୁଳନାରେ ଗ୍ରାମାଞ୍ଚଳରେ ଅଧିକ ଭୋଟ ପଡ଼ିଛି
ଓଡ଼ିଶାର ରାଜ୍ୟପାଳ ରଘୁବର ଦାସ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମୁଣ୍ଡା ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ ଆଦି ବହୁ ହେଭିଓ୍ବେଟ୍ ମତାଧିକାର ସାବ୍ୟସ୍ତ କରିଛନ୍ତି । ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଏବଂ ପତ୍ନୀ ସାକ୍ଷୀ ଧୋନି ଭୋଟ୍ ଦେଇଛନ୍ତି । ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ପତ୍ନୀ କଳ୍ପନାଙ୍କ ସହ ଆସି ନିଜର ମତାଧିକାର ସାବ୍ୟସ୍ତ କରିଛି । ପଶ୍ଚିମ ସିଂହଭୂମର ସୋନୁଆରେ ମତଦାତାଙ୍କୁ ବୁଥ୍ ପର୍ଯ୍ୟନ୍ତ ନେଇଯାଉଥିବା ଏକ ଗାଡ଼ି ଓଲଟି ପଡ଼ିଥିଲା । ଫଳରେ କିଛି ମତଦାତା ଆହତ ହୋଇଥିଲେ । ପ୍ରଥମ ପର୍ଯ୍ୟାୟରେ କୋହ୍ଲାନ ଟାଇଗର ଚମ୍ପାଇ ସୋରେନଙ୍କ ଭାଗ୍ୟ ଇଭିଏମରେ ସିଲ୍ ହୋଇଛି । ଓଡ଼ିଶା ରାଜ୍ୟପାଳ ରଘୁବର ଦାସଙ୍କ ବୋହୂ ପୂର୍ଣ୍ଣିମା ଦାସ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ଅର୍ଜୁନ ମୁଣ୍ଡାଙ୍କ ପତ୍ନୀ ମୀରା ମୁଣ୍ଡାଙ୍କ ଭାଗ୍ୟ ଏହି ପର୍ଯ୍ୟାୟରେ ନିର୍ଦ୍ଧାରଣ ହେଉଛି । ନଭେମ୍ବର ୨୦ରେ ବାକି ୩୮ ଆସନରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ହେବ ।