ସାଲେପୁର: ‘‘ପୁରୁଣା ମିଟରରେ ତ୍ରୁଟି ରହିଛି… ଏହାକୁ ବଦଳାଇବାକୁ ପଡ଼ିବ... ଏକଥା ଏବେ ଆମକୁ କାହିଁକି କହୁଛନ୍ତି ?… ପୂର୍ବରୁ ମଧ୍ୟ ଏମିତି କହି ମିଟର ବଦଳାଇଥିଲେ… ଏବେ ଆଉ ଥରେ ମିଟର ବଦଳାଇଲେ ପୁଣି ୭ରୁ ୮ ହଜାର ଟଙ୍କା ଦେବାକୁ ପଡ଼ିବ… ଏମିତି କରି କେବଳ ଟଙ୍କା ହଡ଼ପ କରିବାକୁ ଚାହୁଛନ୍ତି ଏମାନେ।’’ ଏଭଳି କିଛି ଅଭିଯୋଗ ଆଣି ସାଲେପୁର ବିଦ୍ୟୁତ ଡିଭିଜନ ଅଫିସରେ କାର୍ଯ୍ୟବନ୍ଦ କରାଇବା ସହ, ମୁଖ୍ୟ ଫାଟକ ଆଗରେ ନିଆଁ ଜାଳି ବିରୋଧ ପ୍ରଦର୍ଶନ କରିଛନ୍ତି ଶତାଧିକ ଉପଭୋକ୍ତା।
ସୂଚନା ଅନୁଯାୟୀ, ସାଲେପୁର ବିଦ୍ୟୁତ ଡିଭିଜନର ଅନେକ ହିତାଧିକାରୀ ଘରେ ଲାଗିଥିବା ମିଟରରେ ତ୍ରୁଟି ଥିବା ଦର୍ଶାଇ ଏହାକୁ ବଦଳାଇବାକୁ କହିଛି ବିଦ୍ୟୁତ ବିଭାଗ। ପ୍ରାୟ ୭ ହଜାରରୁ ଅଧିକ ମିଟରରେ ଏହି ତ୍ରୁଟି ଦେଖିବାକୁ ମିଳିଥିବା କୁହାଯାଇଛି।
ହେଲେ ଉପଭୋକ୍ତାମାନେ ଅଭିଯୋଗ କରିଛନ୍ତି, ମିଟରରେ କୌଣସି ତ୍ରୁଟି ନାହିଁ କେବଳ ଟଙ୍କା ହଡ଼ପ ପାଇଁ ଏଭଳି ଷଡ଼ଯନ୍ତ୍ର କରାଯାଉଛି। ନୂଆ ଡିଜିଟାଲ ମିଟର ଲଗାଇବାକୁ ବାଧ୍ୟ କରାଯାଉଛି। କିନ୍ତୁ ନୂତନ ଡିଜିଟାଲ ମିଟରରେ ୩ ଗୁଣା ଅଧିକ ବିଲ୍ ଆସୁଛି। ଏହା କମ୍ପାନୀର ଏକ ଚକ୍ରାନ୍ତ। ଏମିତି କରି ଟାଟା ପାୱାର ସାଧାରଣ ଉପଭୋକ୍ତାଙ୍କ ଉପରେ ଜୁଲମ କରୁଥିବା ଅଭିଯୋଗ ଆଣିବା ସହ ଏଭଳି କାମକୁ ବିରୋଧ କରିଛନ୍ତି ବିଦ୍ୟୁତ ଉପଭୋକ୍ତାମାନେ। ଆଉ ଏଭଳି ମନମୁଖୀ କାମକୁ ବନ୍ଦ କରିବା ପାଇଁ ଦାବି କରି ସାଲେପୁର ବିଦ୍ୟୁତ ଡିଭିଜନ ଅଫିସରେ କାର୍ଯ୍ୟବନ୍ଦ କରାଇବା ସହ ମୁଖ୍ୟ ଫାଟକ ଆଗରେ ନିଆଁ ଜାଳି ପ୍ରତିବାଦ କରିଛନ୍ତି।
ସେପେଟ ବିଦ୍ୟୁତ ଉପଖଣ୍ଡ ଅଧିକାରୀ କହିଛନ୍ତି, ’ଏତେ ସଂଖ୍ୟାରେ ମିଟର ଗୋଟିଏ ସିରିଜର ହୋଇଥିବା ଜଣାପଡ଼ିଛି। ଲୋକଙ୍କ ସମସ୍ୟା ବିଷୟରେ ଉପରିସ୍ଥ ଅଧିକାରୀଙ୍କୁ ଜଣାଯାଇଛି। ଖୁବ ଶୀଘ୍ର ସମାଧାନର ବାଟ ବାହାରିବ।’ ତେବେ ଏତେ ସଂଖ୍ୟକ ମିଟର କିଭଳି ଖରାପ ହେଲା ତା’ର ଉତ୍ତର ରଖିପାରିନାହାଁନ୍ତି ।