ରାଜ୍ୟରେ ଜାତୀୟ ଶିକ୍ଷା ନୀତି ଲାଗୁ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି, କରିକୁଲମ୍‌ ପ୍ରସ୍ତୁତିବେଳେ ଆଞ୍ଚଳିକ ବିଷୟବସ୍ତୁକୁ ବିଚାରକୁ ନେବାକୁ ପରାମର୍ଶ

Published By : Prameya-News7 Bureau | January 15, 2025 IST

ଭୁବନେଶ୍ବର: ରାଜ୍ୟରେ ଲାଗୁ ହେବାକୁ ଯାଉଛି ଜାତୀୟ ଶିକ୍ଷାନୀତି-୨୦୨୦। ଏଥିପାଇଁ ବୁଧବାର ଗଣଶିକ୍ଷା ବିଭାଗ ପକ୍ଷରୁ ଜାରି ହୋଇଛି ବିଜ୍ଞପ୍ତି। ରାଜ୍ୟରେ ଶିକ୍ଷା ବ୍ୟବସ୍ଥା ସୁଦୃଢ଼ କରିବାକୁ ଧ୍ୟାନରେ ରଖି ନୀତି ଲାଗୁ କରିବାକୁ ନିଷ୍ପତ୍ତି ନିଆଯାଇଥିବା କୁହାଯାଇଥିବାବେଳେ, ଏନଇପି-୨୦୨୦ ଲାଗୁ ପୂର୍ବରୁ ପାଠ୍ୟ ଖସଡ଼ା ପ୍ରସ୍ତୁତିବେଳେ ଆଞ୍ଚଳିକ ବିଷୟବସ୍ତୁକୁ ବିଚାରକୁ ନେବାକୁ ମଧ୍ୟ ବିଜ୍ଞପ୍ତରେ କୁହାଯାଇଛି। 

ସୂଚନାଥାଉକି, ଗତ ବର୍ଷ ନଭେମ୍ବରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୨୦୨୪-୨୫ ଶିକ୍ଷା ବର୍ଷରେ ଜାତୀୟ ଶିକ୍ଷା ନୀତି ୨୦୨୦ କାର୍ଯ୍ୟକାରୀ କରାଯିବା ନେଇ ଘୋଷଣା କରିଥିଲେ। ତେବେ ଏହି ନୂତନ ଶିକ୍ଷା ନୀତି-୨୦୨୦ ଅନୁସାରେ ଓଡ଼ିଶାରେ ଚାରି ବର୍ଷିଆ ସ୍ନାତକ କୋର୍ସ ଆରମ୍ଭ ହେବାକୁ ଯାଉଛି, ଯେଉଁଥିରେ ପ୍ରତ୍ୟେକ ବର୍ଷ ପରେ ଯୋଗ୍ୟ ଛାତ୍ରମାନଙ୍କୁ ସାର୍ଟିଫିକେଟ୍, ଡିପ୍ଲୋମା, ଡିଗ୍ରି  ଏବଂ ଡିଗ୍ରି ଅନର୍ସ  ପ୍ରଦାନ କରାଯିବ |

ୟୁ.ଜି.ସି. ଦ୍ୱାରା ପ୍ରଦତ୍ତ କ୍ରେଡିଟ୍ ଫ୍ରେମ୍‌ୱର୍କ୍ ଆଧାରରେ ରାଜ୍ୟସ୍ତରୀୟ କ୍ରେଡିଟ୍ ଫ୍ରେମ୍‌ୱର୍କ୍ ପ୍ରସ୍ତୁତ ହୋଇଛି ଏବଂ ଏଥିରେ ଦକ୍ଷତା ବିକାଶ ଏବଂ ଇଣ୍ଟର୍ଣ୍ଣସିପ୍‌ ପାଇଁ ସୁଯୋଗ ପ୍ରଦାନ ସହିତ ଉପଯୁକ୍ତ କ୍ରେଡିଟ୍‌ ପ୍ରଦାନ କରାଯାଇଛି । କମ୍ୟୁନିଟି ସର୍ଭିସ୍ ଓ ଏକ୍ଟ୍ରା କରିକୁଲାର ଆକ୍ଟିଭିଟି, ଏନ.ସି.ସି. ଏନ.ଏସ.ଏସ. ଇତ୍ୟାଦି  ପାଇଁ ମଧ୍ୟ କ୍ରେଡିଟ ପ୍ରଦାନ କରାଯିବ | ଏତଦ୍ୱାରା ଛାତ୍ରଛାତ୍ରୀମାନେ ନିଜ ସ୍ୱେଚ୍ଛାରେ ତାଙ୍କର ବିଷୟ ଗୁଡ଼ିକ ଚୟନ କରି ଏକାଧିକ ଥର ପାଇଁ ଉଚ୍ଚ ଶିକ୍ଷା ଅନୁଷ୍ଠାନ ମାନଙ୍କରେ ପ୍ରବେଶ ଓ ପ୍ରସ୍ଥାନ ସହିତ   ୭ ବର୍ଷ ଭିତରେ ତାଙ୍କର ଡିଗ୍ରୀ କୋର୍ସକୁ ପୂର୍ଣ୍ଣ କରିପାରିବେ |

ନୂତନ ଶିକ୍ଷା ନୀତି ୨୦୨୦ ଅନୁସାରେ ଓଡ଼ିଶାର ଉଚ୍ଚ ଶିକ୍ଷା ବ୍ୟବସ୍ଥାକୁ ଅଧିକ ଗୁଣାତ୍ମକ, ସ୍ୱାୟତ୍ତ ଏବଂ ସମାବେଶୀ କରିବାକୁ ପଦକ୍ଷେପ ନିଆଯାଉଛି। ଏଥିରେ ଭିନ୍ନ ଯୋଜନାମାନଙ୍କ ମାଧ୍ୟମରେ ଅନୁସନ୍ଧାନ ଓ ନୂତନତାକୁ ବଢ଼ାଇବା, ପ୍ରାକ୍ଟିକାଲ୍ ଆଧାରିତ ଶିକ୍ଷାକୁ ଓ ଶିଳ୍ପ ସହିତ ଇଣ୍ଟର୍ନସିପ୍ ଆଦି ଦ୍ୱାରା ନିପୁଣତା ବଢ଼ାଇବା ଲକ୍ଷ୍ୟ କରାଯାଉଛି। ପାଠ୍ୟକ୍ରମକୁ ଅଧିକ ରୋଜଗାର ଭିତ୍ତିକ ଏବଂ ଶିଳ୍ପ ଆବଶ୍ୟକତା ଅନୁଯାୟୀ କରାଯିବ |

ଏଥିପାଇଁ ବର୍ତ୍ତମାନ ରେ  ୪୦ଟି ସ୍ନାତକ  ମୂଳ ବିଷୟ ପାଇଁ ବିସ୍ତୃତ ମଡେଲ୍ ସିଲାବସ୍ ସହିତ ୨ଟି ଦକ୍ଷତା ବୃଦ୍ଧି ପାଠ୍ୟକ୍ରମ, ୧୧୨ଟି ମଲ୍ଟି ଡିସିପ୍ଲିନାରୀ ପାଠ୍ୟକ୍ରମ, ୧୪ଟି ଧନ୍ଦା ମୂଳକ ପାଠ୍ୟକ୍ରମ, ୫୬ଟି ମୂଲ୍ୟ ଯୁକ୍ତ ପାଠ୍ୟକ୍ରମ ଏବଂ ୮୪ଟି ଦକ୍ଷତା ବୃଦ୍ଧି ପାଠ୍ୟକ୍ରମ ଅନୁମୋଦନ କରାଯାଇଛି। ଏହା ଦ୍ୱାରା   ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ବିଶ୍ୱ ବିଦ୍ୟାଳୟ ଗୁଡିକ ନୂତନ ସିଲାବସ୍ ଓ କ୍ରେଡିଟ୍ ଫ୍ରେମ୍‌ୱର୍କ୍  ଅନୁଯାୟୀ ଜାତୀୟ ଶିକ୍ଷାନୀତି ଲାଗୁ କରିପାରିବେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.