ଭୁବନେଶ୍ବର ୧୫।୧: ତୁଟିଲା ବିବାଦ, ସ୍ବାଭାବିକ ହେବ ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି । ଲିଙ୍ଗରାଜ ମନ୍ଦିର ଟ୍ରଷ୍ଟ ବୈଠକ ଶେଷ ହେବା ପରେ ନିଷ୍ପତ୍ତି । ଗତ ୨୪ ଘଣ୍ଟା ଭିତରେ ଏଡିଏମ୍ ତଦନ୍ତ କରି ରିପୋର୍ଟ ଦେବେ । ନୀତିକାନ୍ତିରେ ବିଭ୍ରାଟ କରିଥିବା ସେବାୟତଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଅଳ୍ପ ସମୟ ମଧ୍ୟରେ ନୀତିକାନ୍ତି ଆରମ୍ଭ ହେବ ବୋଲି ବୈଠକ ପରେ ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଲ ରଣା ସୂଚନା ପ୍ରଦାନ କରିଛନ୍ତି ।
ସେବାୟତଙ୍କୁ କଡ଼ା ଚେତାବନୀ ଦେଇଥିଲେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ମନ୍ତ୍ରୀ କହିଛନ୍ତି, ଆଗାମୀ ଦିନରେ ଏପରି କଲେ କଡ଼ା କାର୍ଯ୍ୟାନୁଷ୍ଠାନ ନେବେ ସରକାର । ମନ୍ଦିରକୁ ନେଇ ଯେଉଁମାନେ ରାଜନୀତି ରୁଟି ସେକିବାକୁ ଚାହୁଁଛନ୍ତି ବନ୍ଦ କରନ୍ତୁ । ସ୍ବତଲିପି ନେଇ କମିଶନ ଗଠନ ହେବ । ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତିଙ୍କୁ ନେଇ କମିଶନ ଗଠନ ହେବ । ଦୁଇ ମାସ ଭିତରେ କମିଶନ ରିପୋର୍ଟ ଦେବେ ଆଉ ଏହି ରିପୋର୍ଟ ଆଧାରରେ ସ୍ବତଲିପି ଲାଗୁ ହେବ ବୋଲି ମନ୍ତ୍ରୀ କହିଥିଲେ ।
ଥମୁନି ବିବାଦ, ୩ ଦିନ ହେଲା ଉପବାସରେ ମହାପ୍ରଭୁ ଲିଙ୍ଗରାଜ
ମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଘଟଣାଟି ଛୋଟ ଇସ୍ୟୁକୁ ନେଇ ଘଟଣା ଘଟିଛି । ଏନେଇ ଆଲୋଚନା ହୋଇଛି । ଏହାକୁ ନେଇ ଟ୍ରଷ୍ଟ ବୋର୍ଡ ପକ୍ଷରୁ ଏକ ଏମରଜେନ୍ସି ବୈଠକ ଡାକିବା ପାଇଁ ନିଷ୍ପତ୍ତି ହୋଇଛି । ଟ୍ରଷ୍ଟ ବୋର୍ଡ ବୁଧବାର ନିଷ୍ପତ୍ତି ନେବ । ସେବା ପୂଜା ଆରମ୍ଭ କରନ୍ତୁ । କୌଣସି ସମୟରେ ଏପରି ସେବାୟତ ନୀତିକାନ୍ତି ବନ୍ଦ କରିବା ଭଳିଆ ଅଯୌଗିକ କାର୍ଯ୍ୟ ନକରନ୍ତୁ । ସତ୍ତ୍ବଲିପିର କିଛି ସମସ୍ୟା ରହିଛି । ଆଇନଗତ ଦିଗରେ କିଛି ସମସ୍ୟା ଥିଲା । ଏନେଇ ବହୁତ ଶୀଘ୍ର ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ଏକ ସିଙ୍ଗଲ ମେମ୍ବର କମିଶନ ଗଢ଼ାଯିବ । ସେହି କମିଶନ ବିଭିନ୍ନ ନିଯୋଗ ନିକଟରେ ଥିବା ତଥ୍ୟ ହାସଲ କରିବେ, କଥା ହେବେ ଓ ଆଗରୁ କିଏ କେଉଁ କାର୍ଯ୍ୟ କରୁଥିଲେ ଦେଖିବେ । ଏନେଇ ଦୁଇ ମାସ ଭିତରେ ଏକ ରିପୋର୍ଟ ଦେବେ । ଆଉ ଏହାକୁ ଲାଗୁ କରିବାର ପ୍ରକ୍ରିୟା ଦେବତ୍ତୋର ବିଭାଗ ପକ୍ଷରୁ ସମ୍ପୂର୍ଣ୍ଣ ଭାବରେ କରାଯିବ । ଯାହା ଫଳରେ ଆଗାମୀ ଦିନରେ ସତ୍ତ୍ବଲିପି ନେଇ କୌଣସି ଦ୍ଵନ୍ଦ୍ବ ରହିବ ନାହିଁ । ଯେତେବେଳେ କୌଣସି ସମସ୍ୟା ଆସୁଛି ସେତେବେଳେ ସେବାୟତ ମ୍ୟାନେଜମେଣ୍ଟ କମିଟିକୁ ଜଣାନ୍ତୁ । ହେଲେ ଏହି ଆଳରେ ନୀତିକାନ୍ତି ବନ୍ଦ କରିବାକୁ ସରକାର ଗ୍ରହଣ କରିବେ ନାହିଁ । ଏନେଇ ଆଗାମୀ ଦିନରେ ନୀତିକାନ୍ତି ବ୍ୟାଘାତ ଘଟିଲେ କାର୍ଯ୍ୟାନୁଷ୍ଠାନ ନେବେ ସରକାର ।
ସୂଚନାଯୋଗ୍ୟ ଯେ, ସେବାୟତଙ୍କ ମଧ୍ୟରେ ବିବାଦ ଲାଗି ୩ ଦିନ ହେଲା ଖାଡା ଉପାସରେ ଥିଲେ ପ୍ରଭୁ ଲିଙ୍ଗରାଜ । ନା ଭୋଗ ଲାଗୁଥିଲା ନା ନୀତିକାନ୍ତି ହେଉଥିଲା । ତିନି ଦିନ ହେଲା ଠାକୁର ଉପବାସରେ ରହିଥିବା ବେଳେ ବନ୍ଦ ରହିଥିଲା ଶ୍ରୀଲିଙ୍ଗରାଜଙ୍କ ସମସ୍ତ ନୀତିକାନ୍ତି । ବଡୁ ନିଯୋଗ, ମହାସୁଆର ଏବଂ ପୂଜାପଣ୍ଡାଙ୍କ ମଧ୍ୟରେ ଲାଗିଥିବା ବିବାଦ ଯୋଗୁ ଏପରି ସ୍ଥିତି ଉପୁଜିଥିଲା । କିଛି ଦିନ ତଳେ ଓଢ଼ଣ ଷଷ୍ଠୀ ନୀତି ସମ୍ପାଦନ କ୍ଷେତ୍ରରେ ସେବାୟତଙ୍କ ମଧ୍ୟରେ ଅଧିବାସ ପୂଜା ସମ୍ବନ୍ଧୀୟ ବିବାଦ ଉପୁଜିବାରୁ ଶ୍ରୀଲିଙ୍ଗରାଜଙ୍କ ଘୋଡ଼ ଲାଗି ହୋଇପାରିନଥିଲା । ଫଳରେ ପୌଷ ମାସତମାମ ଠାକୁରଙ୍କ ନୀତି ବିଭ୍ରାଟ ଲାଗିରହିଥିଲା । ଶେଷରେ ଠାକୁରଙ୍କ ମକର ସଂକ୍ରାନ୍ତି ନୀତି ବି ବିଭ୍ରାଟ ହୋଇଥିଲା ।
You Can Read:
ସେବାୟତଙ୍କୁ ଆଇନ ମନ୍ତ୍ରୀଙ୍କ କଡ଼ା ଚେତାବନୀ, ଆଗାମୀ ଦିନରେ ନୀତିକାନ୍ତି ବନ୍ଦକଲେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ