ପୁଣି ଘୁଞ୍ଚିଲା ଆଇସିସିର ମିଟିଂ, ଚାମ୍ପିଅନ୍ସ ଟ୍ରଫିକୁ ନେଇ ପିସିବି ପାଖରେ ରହିଛି ଏକ ମାତ୍ର ରାସ୍ତା

Published By : Prameya-News7 Bureau | December 05, 2024 IST

livehindustan

ନୂଆଦିଲ୍ଲୀ: ଚାମ୍ପିଅନ୍ସ ଟ୍ରଫି ୨୦୨୫କୁ ନେଇ ହେବାକୁ ଥିବା ଆଇସିସି ବୈଠକ ପୁଣି ଥରେ ଘୁଞ୍ଚିଛି। ଡିସେମ୍ବର ୫ରେ ଅର୍ଥାତ ଆଜି ହେବାକୁ ଥିବା ବୈଠକକୁ ଡିସେମ୍ବର ୭କୁ ଘୁଞ୍ଚାଇ ଦିଆଯାଇଛି। ଆଉ ଏହି ଦିନ ନିଷ୍ପତ୍ତି ନିଆଯିବ ଯେ, ଚାମ୍ପିଅନ୍ସ ଟ୍ରଫି ପାକିସ୍ତାନରେ ହେବ ନା ଅନ୍ୟତ୍ର ସ୍ଥାନାନ୍ତର ହେବ। ଆଇସିସି ପୁନର୍ବାର ପାକିସ୍ତାନ କ୍ରିକେଟ୍ ବୋର୍ଡକୁ ହାଇବ୍ରିଡ ମଡେଲ୍ ସ୍ଵୀକାର କରିବାକୁ କହିଛି। ରିପୋର୍ଟ ଅନୁଯାୟୀ ପିସିବି ଶୀଘ୍ର ନିଜର ଅନ୍ତିମ ନିଷ୍ପତ୍ତି ବୋର୍ଡକୁ ଜଣାଇବ। 

ଆଇସିସିର ଆଜିର ବୈଠକ କିଛି ସମୟ ପାଇଁ ଚାଲିଥିଲା। ଏହି ସମୟରେ ଟୁର୍ଣ୍ଣାମେଣ୍ଟକୁ ନେଇ ଆଲୋଚନା କରା ଯାଇଥିଲା। ଟୁର୍ଣ୍ଣାମେଣ୍ଟର କ୍ରୀଡ଼ାସୂଚୀ ଘୋଷଣା ହୋଇ ପାରି ନ ଥିବାରୁ ଚିନ୍ତା ପ୍ରକାଶ କରିଥିଲା ଆଇସିସି। ତେଣୁ ଆଇସିସି ପାକିସ୍ତାନକୁ ଶେଷ ଚେତାବନୀ ଦେଇଛି। ଆଇସିସି ସ୍ପଷ୍ଟ ଶବ୍ଦରେ କହିଛି ଯେ, ପାକିସ୍ତାନ ପାଖରେ ହାଇବ୍ରିଡ ମଡେଲ ସ୍ଵୀକାର କରିବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ। ଫଳରେ ପିସିବି ପାଖରେ ଏବେ କେବଳ ଗୋଟିଏ ରାସ୍ତା ରହିଛି, ତାହା ହେଉଛି ହାଇବ୍ରିଡ ମଡେଲ। ପରବର୍ତ୍ତୀ ବୈଠକରେ ନିଜର ଚୂଡ଼ାନ୍ତ ନିଷ୍ପତ୍ତି ସହ ବୈଠକକୁ ଆସିବାକୁ ଆଇସିସି ପିସିବିକୁ ଜଣାଇ ଦେଇଛି। 

ଅଧିକ ପଢନ୍ତୁ- ୧,୦୦,୦୦୦ କୋଟି ଟଙ୍କା ଟପିଲା IPLର ବ୍ରାଣ୍ଡ୍ ଭାଲ୍ୟୁ, ଜାଣନ୍ତୁ କେଉଁ ଟିମ୍ କେତେ ମୂଲ୍ୟବାନ

ଚାମ୍ପିଅନ୍ସ ଟ୍ରଫିକୁ ଆଉ ତିନି ମାସରୁ ଅଳ୍ପ ସମୟ ରହିଛି। ପାକିସ୍ତାନ କ୍ରିକେଟ୍ ବୋର୍ଡକୁ ଶୀଘ୍ର ନିଜର ନିଷ୍ପତ୍ତି ଜଣାଇବାକୁ ପଡ଼ିବ।ଏପରିକି ବୋର୍ଡ ପାଖରେ ଅଧିକ ବିକଳ୍ପ ବି ନାହିଁ। ଚାମ୍ପିଅନ୍ସ ଟ୍ରଫିର ଆୟୋଜନ ଅଧିକାର ପାକିସ୍ତାନ ପାଖରେ ରହିଛି। ହେଲେ ସୁରକ୍ଷା ଦୃଷ୍ଟିକୋଣରୁ ପାକିସ୍ତାନ ଗସ୍ତ କରିବାକୁ ମନା କରିଦେଇଛି ଭାରତ। ତେଣୁ ହାଇବ୍ରିଡ ମଡେଲରେ ଚାମ୍ପିଅନ୍ସ ଟ୍ରଫି ଆୟୋଜନ କରିବାକୁ ପାକିସ୍ତାନ ଉପରେ ଚାପ ପଡ଼ିଛି। ପାକିସ୍ତାନ ହାଇବ୍ରିଡ ମଡେଲକୁ ସ୍ଵୀକାର କରିବା ସହ ଦୁଇଟି ସର୍ତ୍ତ ରଖିଥିଲା।

ଗୋଟିଏ ସର୍ତ୍ତ ୨୦୩୧ ପର୍ଯ୍ୟନ୍ତ ଭାରତରେ ହେବାକୁ ଥିବା ଆଇସିସି ଟୁର୍ଣ୍ଣାମେଣ୍ଟରେ ବି ହାଇବ୍ରିଡ ଲାଗୁ କରାଯାଉ। ଭାରତ ପରି ପାକିସ୍ତାନ ବି ନିଜର ମ୍ୟାଚ୍ ନିରପେକ୍ଷ ସ୍ଥାନରେ ଖେଳିବ। ଅନ୍ୟ ଦାବିରେ ପାକିସ୍ତାନ ରାଜସ୍ଵରେ ଅଧିକ ଭାଗିଦାରୀ ଦାବି କରିଥିଲା। ପିସିବିର ଦାବିକୁ ବିସିସିଆଇ ସଂପୂର୍ଣ୍ଣ ଭାବେ ଖାରଜ କରିବା ପରେ ଏବେ ପାକିସ୍ତାନ ପାଖରେ ହାଇବ୍ରିଡ ମଡେଲ ଆପଣେଇବା ବ୍ୟତୀତ ଅନ୍ୟ ବିକଳ୍ପ ରହିନାହିଁ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.