କେଜରିୱାଲ ଇସ୍ତଫା ଦେଲେ କିଏ ହେବେ ମୁଖ୍ୟମନ୍ତ୍ରୀ ? CM ଦୌଡରେ ଅଛନ୍ତି ଏହି ୫ ନାମ

Published By : Prameya-News7 Bureau | September 15, 2024 IST

ନୂଆଦିଲ୍ଲୀ ୧୫।୯:   ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଦୁଇ ଦିନ ପରେ ତାଙ୍କ ପଦରୁ ଇସ୍ତଫା ଦେବେ ବୋଲି ଘୋଷଣା କରିଛନ୍ତି। ଜେଲରୁ ଜାମିନରେ ମୁକୁଳିବା ପରେ ଦିଲ୍ଲୀ ଆମ ଆଦମୀ ପାର୍ଟି (ଆପ) ମୁଖ୍ୟାଳୟରେ ରବିବାର ଅନୁଷ୍ଠିତ କାର୍ଯ୍ୟକର୍ତ୍ତା ସମ୍ମିଳନୀକୁ ସମ୍ବୋଧିତ କରି କେଜରିୱାଲ ଏହି ଘୋଷଣା କରିଛନ୍ତି। ନିର୍ବାଚନ ପରେ ସେ ପୁଣି ମୁଖ୍ୟମନ୍ତ୍ରୀ ହେବେ, ତେବେ ସେ ପର୍ଯ୍ୟନ୍ତ ଅନ୍ୟ କେହି ମୁଖ୍ୟମନ୍ତ୍ରୀ ହୋଇପାରନ୍ତି ବୋଲି ସେ କହିଛନ୍ତି। କେଜରିୱାଲଙ୍କ ଘୋଷଣା ପରେ ଦିଲ୍ଲୀର ଆଗାମୀ ମୁଖ୍ୟମନ୍ତ୍ରୀଙ୍କୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି?

କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧିତ କରି ଅରବିନ୍ଦ କେଜରିଲୱାଲ ସଫାସଫା କହିଛନ୍ତି ଯେ ଦିଲ୍ଲୀରେ କେହି ନୂଆ ମୁଖ୍ୟମନ୍ତ୍ରୀ ହେବେ, ଯାହାର ନିଷ୍ପତ୍ତି ବିଧାୟକ ଦଳ ବୈଠକରେ ନିଆଯିବ। ସେ ଏହା ମଧ୍ୟ କହିଛନ୍ତି ଯେ ଆଗାମୀ ନିର୍ବାଚନ ପର୍ଯ୍ୟନ୍ତ ତାଙ୍କ ସହ ମନିଷ ସିସୋଦିଆ ବି କୌଣସି ପଦପଦବୀ ଗ୍ରହଣ କରିବେ ନାହିଁ। ଏଥିରୁ ସ୍ପଷ୍ଟ ହୋଇଯାଇଛି ଯେ ମନିଷ ସିସୋଦିଆ ମଧ୍ୟ ମୁଖ୍ୟମନ୍ତ୍ରୀ ହେବେ ନାହିଁ। କେଜରିୱାଲ କହିଛନ୍ତି ଯେ ଦୁଇ ଦିନ ପରେ ସେ ଇସ୍ତଫା ଦେବେ ଓ ଦିଲ୍ଲୀରେ ସମୟ ପୂର୍ବରୁ ନିର୍ବାଚନ କରାଇବାକୁ ଦାବି କରିବେ। 


ତେବେ କେଜରିୱାଲ କହିଛନ୍ତି ଯେ ଯେଉଁ ପର୍ଯ୍ୟନ୍ତ ଲୋକେ ତାଙ୍କୁ ‘ସଚ୍ଚୋଟ ପ୍ରମାଣପତ୍ର’ ନ ଦେଇଛନ୍ତି ସେ ପର୍ଯ୍ୟନ୍ତ ସେ ମୁଖ୍ୟମନ୍ତ୍ରୀ ଚୌକିରେ ପୁଣି ଥରେ ବସିବେନି। ତେବେ ଅରବିନ୍ଦ କେଜରିୱାଲ ଇସ୍ତଫା ଦେବେ ବୋଲି ଘୋଷଣା କରିବା ପରଠାରୁ ମୁଖ୍ୟମନ୍ତ୍ରୀ ରେସରେ ସବୁଠୁ ଆଗରେ ରାଖୀ ବିରଳାଙ୍କ ନାମ ଚାଲିଛି। ରାକ୍ଷୀ ବିରଳା ଏସସିଙ୍କୁ ପ୍ରତିନିଧିତ୍ୱ କରନ୍ତି ଓ ଜାତୀୟ ରାଜଧାନୀରେ ପଛୁଆ ବର୍ଗଙ୍କୁ ଧ୍ୟାନରେ ରଖି ତାଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇ ପାରେ ବୋଲି ଚର୍ଚ୍ଚା ହେଉଛି। 


ଏହା ଛଡା ଦିଲ୍ଲୀ ସରକାରରେ ମନ୍ତ୍ରୀ ଆତିଶୀ ମାର୍ଲେନାଙ୍କ ନାମ ମଧ୍ୟ ଚର୍ଚ୍ଚା ହେଉଛି।  ଆତିଶୀଙ୍କୁ କେଜରିୱାଲ ଅଗଷ୍ଟ ୧୫ ସ୍ୱାଧୀନତା ଦିବସ ଉତ୍ସବରେ ପତକା ଉତ୍ତୋଳନ କରିବାକୁ ମନୋନୀତ କରିଥିଲେ। ତେବେ ତାଙ୍କ ପ୍ରସ୍ତାବକୁ ଅସ୍ୱୀକାର କରିଦିଆଯାଇଥିଲା। ମୁଖ୍ୟମନ୍ତ୍ରୀ ଦୌଡରେ ସୌରଭ ଭରଦ୍ୱାଜଙ୍କ ନାମ ମଧ୍ୟ ଚର୍ଚ୍ଚା ହେଉଛି। ଭରଦ୍ୱାଜ ପାର୍ଟି ମୁଖପାତ୍ର ହୋଇଥିବା ବେଳେ କେଜରିୱାଲ ଜେଲ ଯିବା ପରଠାରୁ ସରକାରରେ କାମ ସମ୍ଭାଳୁଥିଲେ। ଏହା ଛଡା କୈଳାଶ ଗହଲୋଟଙ୍କ ନାମ ମଧ୍ୟ ଚର୍ଚ୍ଚାରେ ଅଛି। ସେ ଦିଲ୍ଲୀ ପରିବେଶ ଓ ପରିବହନ ମନ୍ତ୍ରୀ ଅଛନ୍ତି। ଏ ସବୁ ପରେ ସୁନିତା କେଜରିୱାଲଙ୍କ ନାମ ମଧ୍ୟ ଚର୍ଚ୍ଚା ହେଉଛି। ବିଜେପି ମଧ୍ୟ କହୁଛି କେଜରିୱାଲ ତାଙ୍କ ପତ୍ନୀଙ୍କୁ ମଖ୍ୟମନ୍ତ୍ରୀ କରିପାରନ୍ତି। ତେବେ ଦିଲ୍ଲୀର ଆଗାମୀ ମୁଖ୍ୟମନ୍ତ୍ରୀ କିଏ ହେବେ ତାହା ସମୟ କହିବ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.