ନୂଆଦିଲ୍ଲୀ: ଭାରତରେ ସ୍ଥାପନ ହେବ ଇଣ୍ଟରନ୍ୟାସନାଲ ବିଗ୍ କ୍ୟାଟ୍ ଆଲାଏନ୍ସ (IBCA)ର ମୁଖ୍ୟାଳୟ ଓ ସେକ୍ରେଟେରିୟେଟ୍। ଗୁରୁବାର ଏନେଇ କେନ୍ଦ୍ର ସରକାର ଓ ଆଇବସିଏ ସହିତ ଏକ ଚୁକ୍ତି ସ୍ୱାକ୍ଷରିତ ହୋଇଛି। ଏହି ଚୁକ୍ତି ଅନୁସାରେ ଭାରତକୁ ଆଲାଏନ୍ସର ମୁଖ୍ୟାଳୟ ଏବଂ ସଚିବାଳୟ ଭାବରେ ଆନୁଷ୍ଠାନିକ ଘୋଷଣା କରାଯାଇଛି। ଏହା ଦୁଇ ମାସ ପୂର୍ବରୁ ଆଇବିସିଏ ଏକ ପୂର୍ଣ୍ଣାଙ୍ଗ ସନ୍ଧି-ଆଧାରିତ ଆନ୍ତର୍ଜାତୀୟ ସଂଗଠନ ଭାବେ କାର୍ଯ୍ୟକାରୀ ହୋଇଥିଲା।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତର ପ୍ରଥମେ ଆଇବିସିଏ ଗଠନ ପାଇଁ ପ୍ରସ୍ତାବ ଦେଇଥିଲା। ଯାହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ବିଶ୍ୱର ୭ଟି ପ୍ରମୁଖ ବଡ଼ ବିରାଡ଼ି ପ୍ରଜାତି- ବାଘ, ସିଂହ, ଚିତାବାଘ, ହିମଚିତାବାଘ(ସ୍ନୋଲେପର୍ଡ୍ସ), ପୁମା, ଜାଗୁଆର ଓ ଚିତାର ସଂରକ୍ଷଣ କରିବା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୨୩ ମସିହା ଏପ୍ରିଲ ମାସରେ ପ୍ରୋଜେକ୍ଟ ଟାଇଗରର ୫୦ ବର୍ଷ ପୂର୍ତ୍ତି ଉତ୍ସବ ଅବସରରେ ଅବିସିଏରେ ଶୁଭାରମ୍ଭ କରିଥିଲେ।
ଗୁରୁବାର ହୋଇଥିବା ଚୁକ୍ତିକୁ ନେଇ ବୈଦେଶିକ ମନ୍ତ୍ରଣାଳୟ (MEA) ଏକ ପ୍ରେସ ବିଜ୍ଞପ୍ତି ଜାରି କରିଛି। ଏଥିରେ କୁହାଯାଇଛି “ଏହି ଚୁକ୍ତି ଅନୁଯାୟୀ ଭାରତରେ ଆଇବସିଏର ମୁଖ୍ୟାଳୟ ଓ ସଚିବାଳୟ ସ୍ଥାପନ କରାଯିବ। ଆଇବିସିଏ ଏହାର ଲକ୍ଷ୍ୟ ହାସଲ କରିବା ଏବଂ ଆନୁଷ୍ଠାନିକ କାର୍ଯ୍ୟକୁ ଦକ୍ଷତାର ସହିତ ସମ୍ପାଦନ କରିବା ପାଇଁ ଆବଶ୍ୟକୀୟ ପ୍ରାବଧାନ ମଧ୍ୟ ରହିଛି।”
ପଢନ୍ତୁ- ‘ୱାକଫ୍ ଆଇନରେ ତ୍ରୁଟି ବାହାରିଲେ ପଦରୁ ଇସ୍ତଫା ଦେବି’; ‘ସୁପ୍ରିମ୍’ ଶୁଣାଣି ପରେ ଏପରି କହିଲେ ଜେପିସି ଅଧ୍ୟକ୍ଷ
ଏଥିରେ ଆହୁରି ମଧ୍ୟ କୁହାଯାଇଛି ଯେ "ଭାରତ ସରକାର ୨୦୨୩-୨୪ ରୁ ୨୦୨୮-୨୯ ପର୍ଯ୍ୟନ୍ତ ୫ ବର୍ଷ ପାଇଁ ଏକ ପାଣ୍ଠି ତିଆରି କରିବା, ଭିତ୍ତିଭୂମି ନିର୍ମାଣ କରିବା ଏବଂ ଆବଶ୍ୟକୀୟ ଖର୍ଚ୍ଚ ପୂରଣ କରିବା ପାଇଁ ଆଇବିସିଏକୁ ୧୫୦ କୋଟି ଟଙ୍କାର ବଜେଟ୍ ସହାୟତା ଯୋଗାଇବେ।" ଏହି ଚୁକ୍ତିରେ ଆଇବିସିଏର ସଚିବାଳୟ ଓ ଏହାର କର୍ମଚାରୀମାନଙ୍କ ପାଇଁ ଭିସା, ସୁବିଧା, ଓ ଅନ୍ୟାନ୍ୟ ଆଇନଗତ ପ୍ରାବଧାନ, ସଂଗଠନର କାର୍ଯ୍ୟାଳୟ ପ୍ରତିଷ୍ଠା, ଚୁକ୍ତିର କାର୍ଯ୍ୟକାରିତା, ଅତିରିକ୍ତ ଚୁକ୍ତି ଏବଂ ଅନ୍ୟାନ୍ୟ ସାଧାରଣ ପ୍ରାବଧାନ ମଧ୍ୟ ରହିଛି।
ସୂଚନା ଥାଉକି, ଭାରତ ୨୦୨୩ ମସିହା ସେପ୍ଟେମ୍ବରରେ ଆଇବିସିଏରେ ଆନୁଷ୍ଠାନିକ ଭାବେ ଯୋଗ ଦେଇଥିଲା। ପ୍ରାରମ୍ଭିକ ପର୍ଯ୍ୟାୟରେ ଭାରତ, ଲାଇବେରିଆ, ଏସ୍ୱାତିନୀ, ସୋମାଲିଆ ଓ ନିକାରାଗୁଆ ଆଇବିସିଏ ଚୁକ୍ତି କରିବା ପରେ ଏହି ସଂଗଠନ ଏକ ବିଶ୍ୱବ୍ୟାପୀ ଆଇନଗତ ସଂସ୍ଥା ଭାବେ କାର୍ଯ୍ୟକାରୀ ହୋଇଥିଲା। ୨୦୨୪ ମସିହା ଫେବୃଆରୀରେ ଭାରତ ସରକାରଙ୍କ କ୍ୟାବିନେଟ୍ ଆଇବିସିଏ ମୁଖ୍ୟାଳୟ ସ୍ଥାପନ ଏବଂ ୧୫୦ କୋଟି ଟଙ୍କାର ବଜେଟାରୀ ସହାୟତାକୁ ଅନୁମୋଦନ ଦେଇଥିଲା।
ମାର୍ଚ୍ଚ ୨୮ରେ ଅନୁଷ୍ଠିତ ଏକ ବୈଠକରେ କ୍ୟାବିନେଟ୍ ଆଇବିସିଏ ମୁଖ୍ୟାଳୟ ସ୍ଥାପନ ପାଇଁ ଚୁକ୍ତିକୁ ଅନୁମୋଦନ ଦେଇଥିଲା। ଫଳରେ ବୈଦେଶିକ ମନ୍ତ୍ରଣାଳୟର ସଚିବ (ପୂର୍ବ), ପି. କୁମାରନ ଏବଂ ଆଇବିସିଏ ମହାନିର୍ଦ୍ଦେଶକ ଏସ୍. ପି.ଯାଦବଙ୍କ ମଧ୍ୟରେ ଏହି ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା।