ଭାରତର ନିର୍ବାଚନରେ ଆମେରିକାର ହସ୍ତକ୍ଷେପ ଚିନ୍ତାର ବିଷୟ: କେନ୍ଦ୍ର ସରକାର

Published By : Prameya-News7 Bureau | February 21, 2025 IST

indiatoday

ନୂଆଦିଲ୍ଲୀଭାରତରେ ନିର୍ବାଚନ ପ୍ରକ୍ରିୟାକୁ ପ୍ରଭାବିତ କରିବାକୁ ଆମେରିକା ପାଣ୍ଠୀ ଦେଉଥିଲା ବୋଲି ଟ୍ରମ୍ପଙ୍କ ବୟାନ ପରେ ଭାରତ ଏନେଇ ଚିନ୍ତା ପ୍ରକଟ କରିଛି। ଶୁକ୍ରବାର ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପ୍ରବକ୍ତା ରଣଧୀର ଜୈୟସ୍ୱାଲ କହିଛନ୍ତି ଏହା ଗମ୍ଭୀର ଚିନ୍ତାର ବିଷୟ। 

ନିକଟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅଭିଯୋଗ କରି କହିଥିଲେ ଯେ ୟୁନାଇଟେଡ୍ ଷ୍ଟେଟ୍ସ ଏଜେନ୍ସି ଫର୍ ଇଣ୍ଟରନ୍ୟାସନାଲ୍ ଡେଭଲପମେଣ୍ଟ (USAID) ଭାରତର ନିର୍ବାଚନ ପ୍ରକ୍ରିୟାକୁ ପ୍ରଭାବିତ କରିବା ଉଦ୍ଦେଶ୍ୟରେ ଭାରତକୁ ୨୧ ନିୟୁତ ଆମେରିକୀୟ ଡଲାରର ପାଣ୍ଠି ଆବଣ୍ଟନ କରୁଥିଲା। ଟ୍ରମ୍ପଙ୍କ ଏହି ବୟାନ ଭାରତର ରାଜନୈତିକ ପରିବେଶରେ ହୋହଲ୍ଲା ସୃଷ୍ଟି କରିଛି। ଏନେଇ ସାମ୍ବାଦିକଙ୍କୁ ସୂଚନା ଦେଇ ଜୟସ୍ୱାଲ କହିଛନ୍ତି ଘଟଣାକୁ ଗମ୍ଭୀର ଚିନ୍ତାଜନକ ବୋଲି କହିବା ସହିତ ଘଟଣାରେ ବିଭାଗୀୟ ଅଧିକାରୀମାନଙ୍କ ଦ୍ୱାରା ତଦନ୍ତ ଜାରି ରହିଛି ବୋଲି ସେ କହିଛନ୍ତି। 

ପଢନ୍ତୁ- ଚୀନ୍ ବିଦେଶମନ୍ତ୍ରୀ ୱାଙ୍ଗ ୟିଙ୍କୁ ଭେଟିଲେ ଏସ୍.ଜୟଶଙ୍କର, ମାନସରୋବର ଯାତ୍ରା ନେଇ ହେଲା ଆଲୋଚନା


ଜୟସ୍ୱାଲ କହିଛନ୍ତି “ଆମେ ଆମେରିକା ପ୍ରଶାସନ ଦ୍ୱାରା କିଛି କାର୍ଯ୍ୟକଳାପ ଏବଂ ପାଣ୍ଠି ସମ୍ପର୍କରେ ପ୍ରକାଶିତ ସୂଚନା ବିଷୟରେ ଜାଣିବାକୁ ପାଇଛୁ। ଏହା ନିଶ୍ଚିତ ବହୁତ ଚିନ୍ତାଜନକ। ଏହା ଭାରତର ଆଭ୍ୟନ୍ତରୀଣ ବ୍ୟାପାରରେ ବିଦେଶୀ ହସ୍ତକ୍ଷେପ ବିଷୟରେ ଚିନ୍ତା ସୃଷ୍ଟି କରିଛି।”

ସେ ଆହୁରି କହିଛନ୍ତି “ ଏହି ଖବର ପରେ ସମ୍ପର୍କିତ ବିଭାଗ ଏବଂ ଏଜେନ୍ସିଗୁଡ଼ିକ ଏହି ବିଷୟ ଉପରେ ତଦନ୍ତ କରୁଛନ୍ତି। ତେଣୁ ଏଭଳି ସ୍ଥିତିରେ ଘଟଣା ସମ୍ପର୍କରେ କୌଣସି ଆଗୁଆ ମନ୍ତବ୍ୟ ଦେବା ପିଲାଳିଆମି ହେବ। ତେଣୁ ସମ୍ପର୍କିତ କର୍ତ୍ତୃପକ୍ଷ ଏହା ଉପରେ ତଦନ୍ତ କରୁଛନ୍ତି, ଆମେ ପରବର୍ତ୍ତୀ ସମୟରେ ଏହା ଉପରେ ଏକ ଅପଡେଟ୍ ପାଇପାରିବୁ ବୋଲି ଆଶା ଖରୁଛୁ।"ତେବେ ପୂରା ମାମଲା କ’ଣ ? କେମିତି ଏହାର ଯାଞ୍ଚ ଚାଲିଛି ସେ ନେଇ ଜୟସ୍ୱାଲ ଅନ୍ୟ କୌଣସି କଥା କହିବାକୁ ମନା କରିଦେଇଛନ୍ତି।

ସୂଚନା ଥାଉକି ଆମେରିକାର ଟ୍ରମ୍ପ ସରକାର ଡଜ୍‌ ନାମକ ଏକ ଖର୍ଚ୍ଚ କାଟ ବିଭାଗ ଗଠନ କରି ବିଭିନ୍ନ ଦେଶକୁ ଦେଉଥିବା ସହାୟତା ରାଶିକୁ କାଟ୍ କରୁଛନ୍ତି। ଏଲନ ମସ୍କଙ୍କ ନେତୃତ୍ୱାଧୀନ ଏହି ବିଭାଗ ଚଳିତ ବର୍ଷ ଫେବ୍ରୁଆରୀ ୧୬ ତାରିଖରେ ଭାରତରେ ଗଣତାନ୍ତ୍ରୀକ ପ୍ରକ୍ରିୟା ମଜଭୁତ ଆମେରିକା ଦେଉଥିବା ୨୧ ନିୟୁତ ଡଲାର ପାଣ୍ଠି ବନ୍ଦ କରି ଦେଇଥିଲା। ଚଳିତ ସପ୍ତାହ ଆରମ୍ଭରେ ଆମେରିକାର ମିଆମିରେ ଏକ ଭାଷଣ ଦେଇ ଟ୍ରମ୍ପ ଭାରତକୁ USAID ଅନୁଦାନ ବାତିଲ ଘୋଷଣା କରିଥିଲେ। ଏବଂ କହିଥିଲେ ଯେ ପୂର୍ବ ଜୋ ବିଡେନଙ୍କ ନେତୃତ୍ୱାଧୀନ ପ୍ରଶାସନ "ଅନ୍ୟ କାହାକୁ ନିର୍ବାଚିତ କରିବା" ପାଇଁ ଭାରତର ୨୦୨୪ ଲୋକସଭା ନିର୍ବାଚନରେ ହସ୍ତକ୍ଷେପ କରିବାକୁ ଚେଷ୍ଟା କରୁଥିଲା। ଭାରତରେ ଭୋଟରଙ୍କ ମତଦାନ ପାଇଁ ଆମକୁ ୨୧ ନିୟୁତ ଡଲାର ଖର୍ଚ୍ଚ କରିବାର ଆବଶ୍ୟକତା କାହିଁକି? ବାଃ, ୨୧ ନିୟୁତ ଡଲାର! ମୁଁ ଭାବୁଛି ସେମାନେ ଅନ୍ୟ କାହାକୁ ନିର୍ବାଚିତ କରିବାକୁ ଚେଷ୍ଟା କରୁଥିଲେ।"

ଟ୍ରମ୍ପଙ୍କ ଏହି ମନ୍ତବ୍ୟ ପରେ ଇଣ୍ଡିଆନ୍ ଏକ୍ସପ୍ରେସ ପକ୍ଷରୁ ଏକ ତଦନ୍ତ କରାଯାଇଥିଲା। ଯେଉଁଥିରେ କୁହାଯାଇଥିଲା ଯେ ୨୦୦୮ ପରଠାରୁ ଭାରତରେ କୌଣସି ନିର୍ବାଚନ-ସମ୍ବନ୍ଧୀୟ ପ୍ରକଳ୍ପ ପାଇଁ ଆମେରିକୀୟ ଅନୁଦାନ ଆବଣ୍ଟନ କରାଯାଇ ନାହିଁ। ତେବେ ୨୦୨୨ରେ ବାଂଲାଦେଶର ଭୋଟର ଅଂଶଗ୍ରହଣ ବଢ଼ାଇବା ପାଇଁ ଏକ କାର୍ଯ୍ୟକ୍ରମ "ଅମର ଭୋଟ ଆମାର" (ମୋ ଭୋଟ ମୋର) ଆୟୋଜନ କରିବାକୁ ୨୧ ନିୟୁତ ଅନୁଦାନ ମଞ୍ଜୁର କରାଯାଇଥିଲା। ଏହାକୁ ନେଇ ବିଜେପି ରାହୁଲ ଗାନ୍ଧୀଙ୍କୁ ଆମେରିକାର ଅସ୍ତ୍ର ବୋଲି କହି ସମାଲୋଚନା କରୁଥିବା ବେଲେ କଂଗ୍ରେସ ଇଣ୍ଡିଆନ ଏକ୍ସପ୍ରେସ୍‌ ରିପୋର୍ଟକୁ ନେଇ ବିଜେପିକୁ ପାଲଟା ସମାଲୋଚନା କରିଥିଲା। 



 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.