ନୂଆଦିଲ୍ଲୀ ୨୪/୦୪: ପାକିସ୍ତାନକୁ ଉଚିତ ଜବାବ ଦେବା ଆରମ୍ଭ କରିଛି ଭାରତ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ ସୁରକ୍ଷା କ୍ୟାବିନେଟ କମିଟି ବୈଠକରେ କଠୋର ନିଷ୍ପତ୍ତି ନିଆଯାଇଛି । ଯେଉଁଥିରେ ସିନ୍ଧୁ ଜଳ ଚୁକ୍ତିକୁ ସ୍ଥଗିତ ରଖିବା ନିଷ୍ପତ୍ତି ମଧ୍ୟ ଅନ୍ତର୍ଭୁକ୍ତ । ପାକିସ୍ତାନ ଉପରେ ଭାରତର ଏହି 'ଓ୍ୱାଟର ଷ୍ଟ୍ରାଇକ' ପଡ଼ୋଶୀ ଦେଶକୁ ପ୍ରତି ବୁନ୍ଦା ପାଣି ପାଇଁ ଆକୁଳ କରିବ।
୬ ଦଶନ୍ଧି ପୁରୁଣା ସିନ୍ଧୁ ଚୁକ୍ତିନାମା:
ଭାରତ ଓ ପାକିସ୍ତାନ ମଧ୍ୟରେ ୧୯୬୦ ସେପ୍ଟେମ୍ବର ୧୯ ତାରିଖରେ ସିନ୍ଧୁ ନଦୀର ଜଳକୁ ନେଇ ଏକ ଚୁକ୍ତି ହୋଇଥିଲା । ଏହି ଚୁକ୍ତି ବିଶ୍ୱବ୍ୟାଙ୍କର ସହାୟତାରେ ପ୍ରସ୍ତୁତ ହୋଇଥିଲା । ସିନ୍ଧୁ ନଦୀକୁ ପାକିସ୍ତାନର ଜୀବନରେଖା ବୋଲି ବିବେଚନା କରାଯାଏ । ୨୧ କୋଟିରୁ ଅଧିକ ଜନସଂଖ୍ୟା ସେମାନଙ୍କର ଜଳ ଆବଶ୍ୟକତା ପୂରଣ କରିବା ପାଇଁ ସିନ୍ଧୁ ଓ ଏହାର ଚାରୋଟି ଶାଖା ନଦୀ ଉପରେ ନିର୍ଭର କରନ୍ତି । ପାକିସ୍ତାନର ଚାଷଯୋଗ୍ୟ ଜମିର ୮୦ ପ୍ରତିଶତ, ଯାହା ପ୍ରାୟ ୧୬ ନିୟୁତ ହେକ୍ଟର, ସିନ୍ଧୁ ନଦୀର ପାଣି ଦ୍ୱାରା ଜଳସେଚନ କରାଯାଏ।
ପାକିସ୍ତାନରେ, ସିନ୍ଧୁ ଓ ଏହାର ଶାଖା ନଦୀଗୁଡ଼ିକର ୯୦ ପ୍ରତିଶତ ଜଳ ଜଳସେଚନ ପାଇଁ ବ୍ୟବହୃତ ହୁଏ । ଯାହା ବିନା ପଡ଼ୋଶୀ ଦେଶର ଚାଷୀର ଅଣ୍ଟା ଭାଙ୍ଗିଯାଏ । ଏହା ବ୍ୟତୀତ, ପାକିସ୍ତାନର ପ୍ରମୁଖ ସହର ଯେପରିକି କରାଚୀ, ଲାହୋର ଓ ମୁଲତାନ ସିନ୍ଧୁ ଏବଂ ଏହାର ଶାଖା ନଦୀ ଉପରେ ନିର୍ଭର କରନ୍ତି । ଖାଲି ସେତିକି ନୁହେଁ, ଏହି ନଦୀଗୁଡ଼ିକ ସାହାଯ୍ୟରେ ତରବେଲା ଓ ମଙ୍ଗଳା ଭଳି ବିଦ୍ୟୁତ୍ ପ୍ରକଳ୍ପ ମଧ୍ୟ ଚାଲିଛି।
ବୁନ୍ଦାଏ ପାଣି ପାଇଁ କଲବଲ ହେବ ପାକ୍
ସିନ୍ଧୁ ଜଳ ଚୁକ୍ତିନାମା ସ୍ଥଗିତ ହେବା ଫଳରେ ପାକିସ୍ତାନରେ ଖାଦ୍ୟ ଉତ୍ପାଦନ ହ୍ରାସ ପାଇପାରେ । ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ଖାଦ୍ୟ ସଂକଟ ଦେଖାଦେଇପାରେ । ପାକିସ୍ତାନର ସହରାଞ୍ଚଳ ଜଳ ଯୋଗାଣ ବନ୍ଦ ହେଲେ ସେଠାରେ ଅଶାନ୍ତି ସୃଷ୍ଟି ହେବ । ଏମିତିକି ବିଦ୍ୟୁତ୍ ଉତ୍ପାଦନ ବନ୍ଦ ହେବାର ସମ୍ଭାବନା ରହିଛି । ଏହା ଯୋଗୁଁ ପାକିସ୍ତାନର ଅନେକ ସହରରେ ବ୍ଲାକଆଉଟ୍ ହେବାର ଆଶଙ୍କା ରହିଛି।
ସିନ୍ଧୁ, ଚେନାବ, ବୋଲାନ, ଝେଲମ, ରବି ସମେତ ଅନେକ ନଦୀ ପାକିସ୍ତାନରେ ପ୍ରବାହିତ ହୁଏ । କିନ୍ତୁ ସିନ୍ଧୁ ନଦୀ ପଡ଼ୋଶୀ ଦେଶର ଜୀବନରେଖା। ସିନ୍ଧୁ ନଦୀ ତିବ୍ଦତର ମାନସରୋବର ନିକଟରେ ସିନ୍-କା-ବାବ୍ ନଦୀରୁ ଉତ୍ପନ୍ନ । ଏହିଠାରୁ ତିବ୍ଦତ ଏବଂ କାଶ୍ମୀର ମଧ୍ୟରେ ପ୍ରବାହିତ ହୁଏ । ନଦୀର ଅଧିକାଂଶ ଅଂଶ ପାକିସ୍ତାନକୁ ଯାଏ ।
ଏହା ବ୍ୟତୀତ, ପାକିସ୍ତାନ ଘରକୁ ପାନୀୟ ଜଳ ପହଞ୍ଚାଇବା ଓ କ୍ଷେତକୁ ଜଳସେଚନ କରିବା ପାଇଁ ଏହି ନଦୀର ପାଣି ଉପରେ ନିର୍ଭର କରେ । ପାକିସ୍ତାନର ଅନେକ ଜଳବିଦ୍ୟୁତ ପ୍ରକଳ୍ପ ପାଇଁ ସିନ୍ଧୁ ନଦୀ ବହୁତ ଗୁରୁତ୍ୱପୂର୍ଣ୍ଣ। ଏହି କାରଣରୁ ଏହାକୁ ପାକିସ୍ତାନରେ ଜାତୀୟ ନଦୀର ମାନ୍ୟତା ମଧ୍ୟ ମିଳିଛି । ଏବେ ଭାରତ ସହିତ ଚୁକ୍ତିନାମା ବନ୍ଦ ହେବା ଯୋଗୁଁ ପାକିସ୍ତାନକୁ ଗମ୍ଭୀର ଜଳ ସଙ୍କଟର ସମ୍ମୁଖୀନ ହେବାକୁ ପଡ଼ିପାରେ।
ଏପର୍ଯ୍ୟନ୍ତ ସବୁଠୁ ବଡ଼ ପଦକ୍ଷେପ:
୧୯୬୫ ଯୁଦ୍ଧ ସମୟରେ ମଧ୍ୟ ଭାରତ ପାକିସ୍ତାନ ସହିତ ସିନ୍ଧୁ ଜଳ ଚୁକ୍ତିନାମାକୁ ସ୍ଥଗିତ ରଖିନଥିଲା । ଯଦିଓ ସେତେବେଳେ ଭାରତୀୟ ସେନା ଲାହୋରକୁ କବଜା କରିବାକୁ ପହଞ୍ଚିଥିଲା। ପ୍ରଥମ ଥର ପାଇଁ, ଉଭୟ ଦେଶର ବାୟୁସେନା ଏହି ଯୁଦ୍ଧରେ ଅଂଶଗ୍ରହଣ କରିଥିଲେ । ଜାତିସଂଘର ହସ୍ତକ୍ଷେପ ପରେ, ପ୍ରାୟ ୨୦ ଦିନ ଧରି ଚାଲିଥିବା ଏହି ଯୁଦ୍ଧର ଅନ୍ତ ଘଟିଥିଲା। ଭାରତୀୟ ସେନାର ବୀରତ୍ୱ ଆଗରେ ପାକିସ୍ତାନ ଆତ୍ମସମର୍ପଣ କଲା ।
ଏହା ପରେ, ୧୯୭୧ ଯୁଦ୍ଧରେ, ଭାରତ ପାକିସ୍ତାନକୁ ଦୁଇ ଭାଗରେ ବିଭକ୍ତ କରିଥିଲା । ଫଳରେ ଜନ୍ମ ନେଇଥିଲା ବାଂଲାଦେଶ । ପରେ ପୂର୍ବ ପାକିସ୍ତାନ (ବର୍ତ୍ତମାନ ବାଂଲାଦେଶ)ର ପରିସ୍ଥିତି ଏତେ ଖରାପ ହୋଇଗଲା ଯେ ପାକିସ୍ତାନ ନିଜ ଲୋକଙ୍କ ବିରୋଧରେ ନିଜର ସେନା ମୁତୟନ କଲା। ପାକିସ୍ତାନୀ ସେନା ପୂର୍ବ ପାକିସ୍ତାନର ବାସିନ୍ଦାମାନଙ୍କୁ ଅତ୍ୟାଚାର କରିଥିଲା ।
ଏହି କାରଣରୁ ଭାରତ ୩ ଡିସେମ୍ବର ୧୯୭୧ରେ ପାକିସ୍ତାନୀ ସେନା ଉପରେ ବିମାନ ଆକ୍ରମଣ କରିଥିଲା। ପରିଣାମ ସ୍ୱରୂପ ପାକିସ୍ତାନୀ ସେନା ଶେଷରେ ପରାସ୍ତ ହେବା ପରେ ଆତ୍ମସମର୍ପଣ କରିଥିଲା । ପୂର୍ବ ପାକିସ୍ତାନ ବିଚ୍ଛିନ୍ନ ହୋଇ ଏକ ନୂତନ ଦେଶ, ବାଂଲାଦେଶ ଭାବରେ ପ୍ରତିଷ୍ଠିତ ହୋଇଥିଲା। ଏହି ପରିସ୍ଥିତିରେ ମଧ୍ୟ ଭାରତ ପାକିସ୍ତାନ ସହିତ ସିନ୍ଧୁ ଚୁକ୍ତିନାମାକୁ ସ୍ଥଗିତ ରଖିନଥିଲା।
ଏହା ପରେ ୧୯୯୯ ମସିହାର କାର୍ଗିଲ ଯୁଦ୍ଧ ହୋଇଥିଲା । ଯେତେବେଳେ ପାକିସ୍ତାନ ପୁଣି ଥରେ ଜମ୍ମୁ ଓ କାଶ୍ମୀରକୁ କବଜା କରିବାକୁ ତା'ର ଘୃଣ୍ୟ ପ୍ରୟାସ କରିଥିଲା । କିନ୍ତୁ ଭାରତ 'ଅପରେସନ୍ ବିଜୟ' ଆରମ୍ଭ କରି ପାକିସ୍ତାନୀ ସେନା ଓ ଅନୁପ୍ରବେଶକାରୀଙ୍କୁ ନିଜ ଭୂମିରୁ ବିତାଡିତ କରିଥିଲା । ଏହା ପରେ, ପୁଲୱାମା, ଉରି ଆକ୍ରମଣ ପରେ ମଧ୍ୟ, ଭାରତ ଧୈର୍ଯ୍ୟ ବଜାୟ ରଖିଥିଲା । ଏତେ ପରେ ବି ପାକିସ୍ତାନ ସହିତ ଏହି ଜଳ ଚୁକ୍ତିନାମାକୁ ସ୍ଥଗିତ ରଖିନଥିଲା । ତଥାପି, ଭାରତ ସବୁବେଳେ ଅନ୍ୟ କୌଣସି ଉପାୟରେ ପାକିସ୍ତାନକୁ ଉପଯୁକ୍ତ ଜବାବ ଦେଇଆସିଛି।
ସେପଟେ ଭାରତ ସରକାରଙ୍କ ଏହି କାର୍ଯ୍ୟରେ ପାକିସ୍ତାନ ରକ୍ତମୁଖା । ଏହି ନିଷ୍ପତ୍ତିକୁ ବେଆଇନ ବୋଲି କହି ବୁଲୁଛି ପାକ୍ । ପାକିସ୍ତାନ ଏବେ ଏହି ନିଷ୍ପତ୍ତି ବିରୋଧରେ ବିଶ୍ୱ ବ୍ୟାଙ୍କର ଦ୍ୱାରସ୍ଥ ହେବ । କାରଣ ବିଶ୍ୱ ବ୍ୟାଙ୍କର ମଧ୍ୟସ୍ଥତା ମାଧ୍ୟମରେ ଦୁଇ ଦେଶ ମଧ୍ୟରେ ସିନ୍ଧୁ ଜଳ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା । ଯଦିଓ ଭାରତର ଯୁକ୍ତି ଅଛି ଯେ ଚୁକ୍ତିନାମା ସ୍ଥାୟୀ ଭାବରେ ବାତିଲ ହୋଇନାହିଁ । କିନ୍ତୁ ଆତଙ୍କବାଦ ବିରୋଧରେ କାର୍ଯ୍ୟାନୁଷ୍ଠାନ ଅଭାବରୁ, ଚୁକ୍ତିନାମାକୁ ବର୍ତ୍ତମାନ ପାଇଁ ବନ୍ଦ କରିଦିଆଯାଇଛି।