୧୮୮ ରନ୍...ଭାରତୀୟ ଟେଷ୍ଟ କ୍ରିକେଟ୍ ଇତିହାସର ସବୁଠୁ ଖରାପ ଦିନ, ଡକେଟ୍-କ୍ରାଉଲିଙ୍କ ରେକର୍ଡ ପାର୍ଟନରଶିପ୍

Published By : Prameya-News7 Bureau | June 24, 2025 IST

ନୂଆଦିଲ୍ଲୀ: ଲିଡ୍ସରେ ଭାରତ ବିପକ୍ଷରେ ଖେଳାଯାଉଥିବା ପ୍ରଥମ ଟେଷ୍ଟର ଦ୍ୱିତୀୟ ଇନିଂସରେ ଇଂଲଣ୍ଡର ଦୁଇ ଓପନର ଅନେକ ରେକର୍ଡ ନିଜ ନାଁରେ କରିଛନ୍ତି । ବେନ୍ ଡକେଟ୍ ଏବଂ ଜ୍ୟାକ୍ କ୍ରାଉଲି ଓପନିଂ କରି ଭାରତୀୟ ବୋଲରଙ୍କୁ ନିର୍ଦ୍ଧୁମ ପ୍ରହାର କରିଥିଲେ । ପ୍ରଥମ ମ୍ୟାଚ୍‌ର ଦ୍ୱିତୀୟ ଇନିଂସରେ ପ୍ରଥମ ୱିକେଟ୍ ପାଇଁ ୧୮୮ ରନ୍‌ର ବହୁମୂଲ୍ୟ ଭାଗିଦାରୀ କରିଥିଲେ । ଏହା ଟିମ୍ ଇଣ୍ଡିଆ ବିପକ୍ଷରେ ଟେଷ୍ଟ କ୍ରିକେଟରେ ଚତୁର୍ଥ ପାଳିରେ ସବୁଠୁ ବଡ଼ ଓପନିଂ ପାର୍ଟନରଶିପ । ପୂର୍ବରୁ ଏହି ରେକର୍ଡ ୱେଷ୍ଟଇଣ୍ଡିଜର ଏଲନ୍ ରେ ଓ ଜ୍ୟାଫ୍ରେ ଷ୍ଟଲମେୟରଙ୍କ ନାଁରେ ଥିଲା । ଦୁହେଁ ୧୯୫୩ରେ ଭାରତ ବିପକ୍ଷରେ ଚତୁର୍ଥ ଇନିଂସରେ ପ୍ରଥମ ୱିକେଟ୍ ପାଇଁ ୧୪୨ ରନ୍ ଅପରାଜିତ ପାର୍ଟନରଶିପ କରିଥିଲେ ।

ଏହା ବାଦ୍ ଏହି ଦୁଇ ଖେଳାଳି ୨୦୨୨ ପରଠାରୁ ଟେଷ୍ଟରେ ସର୍ବାଧିକ ଶତକୀୟ ଓପନିଂ ଭାଗିଦାରୀ କରିଛନ୍ତି । ଦୁହେଁ ଚାରି ଥର ଏହା କରି ଦେଖାଇଛନ୍ତି । ଏହି ସୂଚୀରେ ଦ୍ୱିତୀୟ ସ୍ଥାନରେ ଚାରି ଯୋଡ଼ି ଅଛନ୍ତି । ପାକିସ୍ତାନର ଅବଦୁଲା ସଫିକ୍ ଓ ଇମାମ ଉଲ୍ ହକ୍, ନ୍ୟୁଜିଲାଣ୍ଡର ଡେଭୋନ୍ କନୱେ ଓ ଟମ୍ ଲାଥମ, ଭାରତର ଯଶସ୍ୱୀ ଜୟସ୍ୱାଲ ଓ ରୋହିତ ଶର୍ମା, ଅଷ୍ଟ୍ରେଲିଆର ଉସ୍ମାନ ଖ୍ୱାଜା ଓ ଡେଭିଡ୍ ୱାର୍ଣ୍ଣର । ଏହି ସବୁ ଯୋଡ଼ି ୨୦୨୨ ପରଠୁ ତିନି ତିନି ଥର ଲେଖାଏଁ ଟେଷ୍ଟ ଓପନିଂରେ ଶତକୀୟ ପାର୍ଟନରଶିପ୍ କରିଥିଲେ । ଏହା ବ୍ୟତୀତ ୨୦୦୦ରୁ ଏହା ସର୍ବଶ୍ରେଷ୍ଠ ଓପନିଂ ପାର୍ଟନରଶିପ୍ । ଏହି ଦୁଇ ଖେଳାଳି ଦମଦାର ବ୍ୟାଟିଂ କରି ଇଂଲଣ୍ଡର ପଲ୍ଲା ଭାରି କରିଛନ୍ତି ।

ଆଜିର ବ୍ୟାଟିିଂରେ ବେନ୍ ଡକେଟ୍ ନିଜ ନାଁରେ ଆଉ ଏକ ଉପଲବ୍ଧି କରିଥିଲେ । ଇଂଲଣ୍ଡର ଏହି ଖେଳାଳି ୨୦୨୨ ଡିସେମ୍ବର ପରଠାରୁ ୧୮ ଥର ୫୦ରୁ ଅଧିକ ରନ୍ କରିଛନ୍ତି । ସେ ଅନ୍ତର୍ଜାତୀୟ ଟେଷ୍ଟ କ୍ରିକେଟରେ ଓପନର ଭାବରେ ସର୍ବାଧିକ ୫୦ ରନ୍ କରିଛନ୍ତି । କେବଳ ଏହା ବ୍ୟତୀତ ବେନ୍ ଡକେଟ୍ ଏବଂ ଜ୍ୟାକ୍ କ୍ରାଉଲି ଭାରତ ବିପକ୍ଷରେ ୬ ଥର ୫୦ ରନରୁ ଅଧିକ ଓପନିଂ ପାର୍ଟନରଶିପ୍ କରିଛନ୍ତି । ଚତୁର୍ଥ ଇନିଂସରେ ଜ୍ୟାକ୍ କ୍ରାଉଲି ୬୫ ରନ୍ କରିଥିଲେ । ତେବେ ଆଜିର ଏହି ଇନିଂସରେ ତାଙ୍କୁ ୭ଟି ସୁଯୋଗ ମିଳିଥିଲା । ଅନ୍ୟପଟେ ବେନ୍ ଡକେଟ୍ ନିଜର ଶତକ ପୂରଣ କରି ୧୪୯ ରନ୍‌ରେ ଆଉଟ୍ ହୋଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.